ସମାଜରେ କର୍ମଚାରୀ ଶୋଷଣ // ମାନବ ଅଧିକାର ଆୟୋଗ ହସ୍ତକ୍ଷେପ କରୁ , ଜାଲ୍ ଦଖଲକାରୀଙ୍କୁ ବେଦଖଲ କରାଯାଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପତ୍ରାଙ୍କ ସଂଖ୍ୟା: ୭୩୫୧/ଲୋ.ମ./୨୦୨୧ ତା. ୧୯/୦୫/୨୦୨୧
ନିବେଦନ
ଏମିତି ଏକ ନିବେଦନ ଆପଣ ମାନଙ୍କୁ କରିବାକୁ ଆମ ମନରେ ନଥିଲା। ଗତବର୍ଷ ଆମକୁ ମାନସିକ, ଶାରୀରିକ ଓ ଆର୍ଥିକ ଅଶାନ୍ତିରେ ଆହତ ଓ ଅସ୍ତବ୍ୟସ୍ତ କରି ଦେଇଥିବା ଅଜଣା କୋଭିଡ଼ ମହାମାରୀ ଲେଉଟାଣି ଏମିତି ଏକ ଦିନାବସ୍ଥା ସୃଷ୍ଟି କରିଛି। ଗତବର୍ଷ ଶତକଡ଼ା ୫୦ ଦରମା କାଟ ଓ କର୍ମବିରତି (ଲେ-ଅଫ୍)ରେ ରହିଥିବା କର୍ମଚାରୀ ବନ୍ଧୁମାନଙ୍କର ଶୁଖିଲା ଓ ଛଳ ଛଳ ମୁହଁ ଏଯାଏଁ ବି ଭୁଲିବାର ନାହିଁ। ତା ପରେ ତତ୍କାଳୀନ ବାକିଆ ବେତନ ଏ ଯାଏଁ ଦିଆ ଯିବାକୁ ମଧ୍ୟ ଅନୁଷ୍ଠାନ ସକ୍ଷମ ହୋଇ ନାହିଁ।

ଏମିତି ଏକ ଭୟଙ୍କର ପରିସ୍ଥିତିରେ ପୁଣି କର୍ମବିରତି (ଲେ-ଅଫ୍) ଓ ଦରମା କାଟ ଭଳି ଅସୁଖକର ବ୍ୟବସ୍ଥାକୁ ଏଡ଼େଇବାକୁ ଆପଣମାନଙ୍କ ସହଯୋଗ ଏକାନ୍ତ କାମ୍ୟ। ସେଥିପାଇଁ ନିମ୍ନଲିଖିତ ବ୍ୟବସ୍ଥା ପ୍ରତି ଆପଣଙ୍କ ମନ ଓ ରୁଚି ଅନୁଯାୟୀ ସ୍ୱୀକୃତି ପ୍ରଦନା କରିବାକୁ ଅନୁରୋଧ କରୁଛୁ।
୧. ମୁଁ ଏକମାସ ବା ଦୁଇମାସ ପାଇଁ କର୍ମବିରତି (ଲେ-ଅଫ୍)ରେ ଯିବାକୁ ରାଜି ଅଛି।
୨. ମୁଁ ମୋ ସମ୍ପୃକ୍ତ ମାସ ବେତନରୁ ଶତକଡ଼ା ୩୦ ଅନୁଷ୍ଠାନକୁ ଦାନ କରିବାକୁ ପ୍ରସ୍ତୁତ ଅଛି।
୩. ମୁଁ ଗୋଟିଏ ମାସ ପାଇଁ ____ଟଙ୍କା ଦାନ କରିବାକୁ ପ୍ରସ୍ତୁତ ଅଛି।
୪. ମୁଁ ସର୍ବମୋଟ _____ଟଙ୍କା ଅନୁଷ୍ଠାନକୁ ଦାନ କରିବାକୁ ପ୍ରସ୍ତୁତ ଅଛି।

ଉପରଲିଖିତ ସର୍ତ୍ତ ଓ ବ୍ୟବସ୍ଥା ମଧ୍ୟରୁ କୌଣସିଟି ଚୟନ କରି ତା.୨୦.୦୫.୨୦୧୧ରିଖ ମଧ୍ୟରେ ଜଣାଇବାକୁ ଅନୁରୋଧ। ଆପଣଙ୍କ ମତ ଇମେଲ ‘loksevakmandal@gmail.com’ ଜରିଆରେ ଏବଂ ମୋବାଇଲ ନ. 7609096650କୁ sms/whatsapp ମାଧ୍ୟମରେ ପଠାଇପାରିବେ।

ସମ୍ପାଦକ
ଲୋକ ସେବକ ମଣ୍ଡଳ
ଏହାର ଏକକିତା ନକଲ କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ, କାର୍ଯ୍ୟକାରୀ ସଂପାଦକ, ସମସ୍ତ ପରିଚାଳକ, ସହକାରୀ ପରିଚାଳକ, ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କ ଅବଗତି ନିମନ୍ତେ ପ୍ରେରଣ କରାଗଲା।

ଏହା ହେଉଛି ଦୈନିକ ସମାଜର ନିର୍ଯ୍ୟାତିତ କର୍ମଚାରୀମାନଙ୍କୁ ପୁନଶ୍ଚ ଶୋଷଣ କରିବାକୁ ଏହି କାଗଜକୁ ବେଆଇନ ଭାବେ ଦଖଲ କରିଥିବା ଲୋକ ସେବକ ମଣ୍ଡଳର ନୂଆ କୌଶଳ ।

ରାଧାନାଥ ରଥ ଓ ଲିଙ୍ଗରାଜ ମିଶ୍ରଙ୍କ ସାହାଯ୍ୟରେ ଗୋପବନ୍ଧୁଙ୍କ ଉଇଲ ଜାଲ କରି ଲୋକ ସେବକ ମଣ୍ଡଳ ଦୈନିକ ସମାଜ ଦଖଲ କରିଛି ଏବଂ ଏହାର ହଜାର ହଜାର କୋଟି ଟଙ୍କାର ଆୟ ହଡଫ କରିଛି । ପ୍ରଭୂତ ପାଣ୍ଠିର ଭଣ୍ଡାର ଉପରେ ପ୍ରଭୁତ୍ଵ କରୁଥିବା ଏହି ଲୁଟେରା ଗ୍ୟାଙ୍ଗ୍ ଆଦୌ କୌଣସି ଆର୍ଥିକ ଅଭାବରେ ନଥିବା ବେଳେ ସମାଜର ଶ୍ରମଜୀବୀ କର୍ମଚାରୀ ଓ ସାମ୍ବାଦିକମାନଙ୍କଠାରୁ ସେମାନଙ୍କ ବେତନର ୩୦ ଶତାଂଶ ବଳପ୍ରୟୋଗ କରି ଆଦାୟ କରିବା କାରୋନାଜନିତ ଆର୍ଥିକ ଅନାଟନ ସମୟରେ ସେମାନଙ୍କୁ ଅଧିକ ବିପର୍ଯ୍ୟସ୍ତ କରିବା ସୁନିଶ୍ଚିତ ।

ଏହି ଗ୍ୟାଙ୍ଗ ଲୁଟ କରିବାରେ ଲାଗିଥିବା ହେତୁ କଟକରେ ଥିବା ମଣ୍ଡଳର କେତେକ ପଦବୀଧାରୀ ବହପ ପାଇ ଏପରି ଯଦ୍ଦୃଚ୍ଛା ହେର୍ ଫେର୍ ଚଳାଇଲେ ଲୋକସେବକ ମଣ୍ଡଳର ପରିଚାଳନା ପରିଷଦ ତହିଁ ଉପରେ ଏକ ନିଜସ୍ଵ ତଦନ୍ତ କମିଶନ ବସାଇଥିଲା ଯହିଁର ଅଧ୍ୟକ୍ଷ ଥିଲେ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ ପଶାୟତ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି (ଯିଏ ପରେ ସଭାପତି ହୋଇଥିଲେ) ଓଂକାର ଚାନ୍ଦ ଓ ଓଡ଼ିଶାର ଜଣେ ଅଭିଜ୍ଞ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଉମଚରଣ ନାୟକ । ଏହି ତଦନ୍ତ କମିଶନର କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରାଇନଦେବା ପାଇଁ ଲୋକ ସେବକ ମଣ୍ଡଳର କୌଣସି ସଭ୍ୟ ଷଡଯନ୍ତ୍ର ଚଳାଇଥିବା ହୃଦୟଙ୍ଗମ କରି ତଦନ୍ତ କମିଶନ ସ୍ପଷ୍ଟ କରିଦେଇଥିଲା ଯେ, ସମାଜ କାଗଜ ଲୋକ ସେବକ ମଣ୍ଡଳର ସମ୍ପତ୍ତି ନୁହେଁ ; ଏହା ଓଡ଼ିଶାବାସୀଙ୍କର ଜାତୀୟ ସମ୍ପତ୍ତି । କମିଶନଙ୍କ ଭାଷାରେ “The Samaja unlike other newspapers is not the property of any individual or group of persons. It belongs to the people of Orissa who are emotionally attached to the newspaper“, ଯାହା ଏହି ନିର୍ଦ୍ଧାରଣରେ ଓଂକାର ଚାନ୍ଦଙ୍କ ସମ୍ପୃକ୍ତି ହେତୁ ଏହା ନିସନ୍ଦେହ କରିଛି ଯେ, ସମାଜର ମାଲିକ ଲୋକ ସେବକ ମଣ୍ଡଳ ନୁହେଁ । ଏତଦ୍ଦୃଷ୍ଟିରୁ ଲୋକ ସେବକ ମଣ୍ଡଳର କେଉଁଠୁ ଅଧିକାର ଆସିଲା ନିଜକୁ ସମାଜର ମାଲିକ ବୋଲି କହି କର୍ମଚାରୀମାନଙ୍କ ଉପରେ ଏପରି ଜାନ୍ତବୀୟ ଜୁଲୁମ ଚଳାଇବାକୁ ?

ଜାଲିଆତି ଦ୍ଵାରା ସମାଜ ଦଖଲ କରିଥିବା ହେତୁ ଲୋକ ସେବକ ମଣ୍ଡଳ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ କରୁ ବୋଲି ୨୦୧୨ ଅକ୍ଟୋବର ୧୩ ତାରିଖରେ ମୁଁ ଦାବି କରିଥିଲି ।

ଗୋପବନ୍ଧୁଙ୍କ ଉଇଲ ଜାଲ୍ କରି ତାକୁ ନିଜ ଫାଇଦା ପାଇଁ ବ୍ୟବହାର କରିବା ଏକ ଧର୍ତ୍ତବ୍ୟ ଅପରାଧ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୪୬୮ଅନୁସାରେ ୭ ବର୍ଷ ଜେଲ ଅଧିକନ୍ତୁ ଅର୍ଥ ଦଣ୍ଡରେ ଦଣ୍ଡନୀୟ । ବ୍ୟବସ୍ଥାଟି ଏହିପରି –
Section 468 in The Indian Penal Code
“Forgery for purpose of cheating.—Whoever commits forgery, intending that the 1[document or electronic record forged] shall be used for the purpose of cheating, shall be punished with imprisonment of either de¬scription for a term which may extend to seven years, and shall also be liable to fine.

ଏତଦ୍ଦୃଷ୍ଟିରୁ ଏହି ଉପସ୍ଥାପନାର ସର୍ବାଗ୍ରେ ରହିଥିବା ଲୋକ ସେବକ ମଣ୍ଡଳର ଆଦେଶରେ ଯେଉଁ ବ୍ୟକ୍ତି ତହିଁର ସେକ୍ରେଟାରୀ ଭାବେ ସ୍ଵାକ୍ଷର କରିଛନ୍ତି ସେ ପ୍ରଥମେ ଜେଲ ଯିବା ଆବଶ୍ୟକ ।

ଏହି ଆଦେଶ ଅନୁସାରେ ପ୍ରତ୍ୟେକ କର୍ମଚାରୀ ହାତ କାଟି ଲେଖିଦେବ – “ମୁଁ ଏକମାସ ବା ଦୁଇମାସ ପାଇଁ କର୍ମବିରତି (ଲେ-ଅଫ୍)ରେ ଯିବାକୁ ରାଜି ଅଛି।“ ଏହା “ରାଜି” କି ବାଧ୍ୟବାଧକତା? ଏହାକୁ ସ୍ଵାକ୍ଷର କରିବାକୁ ବାଧ୍ୟ ହେଲେ, ସ୍ଵାକ୍ଷରକାରୀ ଦି ମାସ କର୍ମବିରତି ପାଇଁ ରାଜିହେବା ବଦଳରେ ମାସକ ପାଇଁ ରାଜିହେବ ; କାରଣ ମାସକ ପାଇଁ କର୍ମବିରତିର ବ୍ୟବସ୍ଥା ବି ଅଛି । ଭିନ୍ନ ଭାବେ କହିଲେ ପ୍ରତ୍ୟେକ କର୍ମଚାରୀ ଅତି କମ୍ ଏକ ମାସ କର୍ମବିରତି ପାଇଁ ବାଧ୍ୟ ହେବ । ଯିଏ ଏଥିରେ ରାଜି ନହେବ, ସେ ଲେଖିଦେବାକୁ ବାଧ୍ୟ ହେବ – “ମୁଁ ମୋ ସମ୍ପୃକ୍ତ ମାସ ବେତନରୁ ଶତକଡ଼ା ୩୦ ଅନୁଷ୍ଠାନକୁ ଦାନ କରିବାକୁ ପ୍ରସ୍ତୁତ ଅଛି ।“ ଯିଏ ଏଥିରେ ରାଜି ହେବନି ସେ ଲେଖିବ “ମୁଁ ଗୋଟିଏ ମାସ ପାଇଁ ____ଟଙ୍କା ଦାନ କରିବାକୁ ପ୍ରସ୍ତୁତ ଅଛି ।“ ତା ନହେଲେ “ମୁଁ ସର୍ବମୋଟ _____ଟଙ୍କା ଅନୁଷ୍ଠାନକୁ ଦାନ କରିବାକୁ ପ୍ରସ୍ତୁତ ଅଛି ।“ ଅର୍ଥାତ୍ ଶୋଷଣର ଚକ୍ରବ୍ୟୁହରୁ ତାର ନିସ୍ତାର ନାହିଁ ।

ଲକ୍ଷ୍ୟ କରିବାର କଥା ଇଂରାଜୀ ଜାଣିଥିବା ଉଚ୍ଚ ବର୍ଗୀୟ କର୍ମଚାରୀମାନଙ୍କୁ ୧୮ ତାରିଖରେ ଇଂରାଜୀ ଭାଷାରେ ଏହା ଅବଗତ କରାଯାଇଥିବା ବେଳେ ଇଂରାଜୀ ଜାଣିନଥିବା ନିମ୍ନ ସ୍ତରୀୟ କର୍ମଚାରୀମାନଙ୍କୁ ଓଡିଆରେ ଏହା ୧୯ ତାରିଖରେ ଅବଗତ କରାଯାଇ ୨୦ ତାରିଖ ସୁଦ୍ଧା ନିଜ ନିଜ ଶୋଷଣ ପାଇଁ ଅଙ୍ଗୀକାର ପାତ୍ର ସ୍ଵାକ୍ଷର କରି ଦାଖଲ କରିବାକୁ ଆଦେଶ ଦିଆଯାଇଛି , ଯାହାକୁ ଆଦେଶ ନୁହେଁ , “ନିବେଦନ” ବୋଲି ଘେନା କରିବାକୁ କହିଛନ୍ତି ଏହି ଓଡ଼ଷ ଅବତାର; ସତେ ଯେମିତି ଯୂପକାଠରେ ମୁଣ୍ଡ ରଖିବାକୁ ଦିଆଯାଉଥିବା ହୁକୁମ “ଆଦେଶ” ନୁହେଁ, “ନିବେଦନ” ।

ଏହି ପ୍ରେକ୍ଷାପଟରେ ଯାହା ହେବାକୁ ଯାଉଛି ତାହା ସମାଜ କାଗଜର କର୍ମଚାରୀମାନଙ୍କ ଜୀବନ ଉପରେ ଭୟଙ୍କର ବିପଦ । କୌଣସି କର୍ମଚାରୀ ୨୦ ତାରିଖ ସୁଦ୍ଧା ସ୍ଵାକ୍ଷରିତ ଅଙ୍ଗୀକରପତ୍ର ଦାଖଲ କରିନାହାନ୍ତି । ତେଣୁ ସମସ୍ତଙ୍କୁ କର୍ମବିରତିର ଶିକାର ହେବାକୁ ପଡ଼ିବ । ଏହା ହେବ ସେମାନଙ୍କ ମାନବ ଅଧିକାରର ଭୟାନକ ଉଲ୍ଲଂଘନ । ମୋଦୀ ଯେପରି ଶ୍ରମ ଆଇନ ସମୂହକୁ ଅଗମୂଳହୀନ ପାଳଗଦାରେ ପରିଣତ କରିଛନ୍ତି ସେଥିରେ ସେହି ଆଇନର ପ୍ରଶାସନିକ ପାଳକମାନେ କେତେଦୂର ସହାୟକ ହୋଇପରିବେ ସେମାନେ ନିଜେ ବି ଜାଣନ୍ତିନି । ଏହି ବିଶେଷ ପରିସ୍ଥିତିରେ ଓଡ଼ିଶା ମାନବ ଅଧିକାର ଆୟୋଗ ନିଜ ଆଡୁ ଏଥିରେ ହସ୍ତକ୍ଷେପ କରୁ ।

ଗୋପବନ୍ଧୁଙ୍କ ଉଇଲ ଜାଲ୍ କରି ସମାଜକୁ ବେଆଇନ ଦଖଲରେ ରଖି ସମାଜର ଆୟକୁ ଲୁଟ କରୁଥିବା ଓ କର୍ମଚାରୀମାନଙ୍କ ବେତନ ଲୁଟ ପାଇଁ ଜାଲ ପକାଇଥିବା ଲୋକ ସେବକ ମଣ୍ଡଳର ସେକ୍ରେଟାରୀ ଓ ତାଙ୍କ ସହକର୍ମୀମାନଙ୍କୁ ଦଣ୍ଡ ବିଧି ସଂହିତାର ଧାରା ୪୬୮ ଅନୁସାରେ କାରାଗାରକୁ ନିକ୍ଷେପ କରିବା ପାଇଁ ମକଦ୍ଦମା ଆରମ୍ଭ କରିବା ସଙ୍ଗେ ସଙ୍ଗେ ସମାଜ କାଗଜକୁ ଓଡ଼ିଶା ଜନସାଧାରଣଙ୍କ ନିଜ ସମ୍ପତ୍ତି ବୋଲି ଘୋଷଣା କରାଯାଇ ଯେଉଁମାନେ ଶ୍ରମ କରି ଶୋଷିତ ହୋଇ ଏହାକୁ ଚଳାଇଛନ୍ତି ସେହି କର୍ମଚାରୀମାନଙ୍କର ଏକ ସମବାୟ ଗଠନ କରାଯାଇ ସମାଜ ସମେତ ଗୋପବନ୍ଧୁ ଭବନର ପରିଚାଳନା ଦାୟିତ୍ଵ ଦିଆଯାଉ । ଏହା ଯେତେ ଶୀଘ୍ର ହେବ , ସେତେ ମଙ୍ଗଳ ।

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.