Naveen’s deathblow to Oriya Language – 1

ଓଡ଼ିଶାର ଆବିର୍ଭାବ
ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଯଦି ଏକତ୍ର କରି ଗୋଟିଏ ପ୍ରଦେଶ ସୃଷ୍ଟି କରାନଯାଏ, ତେବେ କୌଣସି ଯଥାର୍ଥତା ନଥାଇ ଏପରି ଚାରି ଭାଗରେ ଭାଗ ଭାଗ ହୋଇରହିଥିଲେ ଏହି ସୂକ୍ଷ୍ମ ବୁଦ୍ଧିସମ୍ପନ୍ନ ଉତ୍କୃଷ୍ଟ ଜାତି ଯେଉଁ ସ୍ଵାଭାବିକ ଅଗ୍ରଗତି ପାଇଁ ହକଦାର, ହୁଏତ ତାହା ସମ୍ଭବ ହେବନାହିଁ ବୋଲି କହିଥିଲେ ମହାତ୍ମା ଗାନ୍ଧୀ ୧୯୨୦ ଫେବୃଆରୀ ୧୮ ତାରିଖରେ ୟଙ୍ଗ ଇଣ୍ଡିଆରେ (“This fine race cannot possibly make the natural advance which is its due, if it is split up into four divisions for no sound reason.” – Young India, 18 Feb.1920) । ସେ କହିଥିଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଆନ୍ଦୋଳନ ଏକ ସାଧାରଣ ଆନ୍ଦୋଳନ ନୁହେଁ, ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ବୃହତ୍ତର ପ୍ରସଙ୍ଗରେ ଏହା ଏକ ଯୁଗାନ୍ତକାରୀ ବିଭାବନା । (ଏଯନ) ।

କେଉଁ କାରଣ ହେତୁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡ ଏପରି ଚାରିଭାଗ ହୋଇଯାଇଥିଲା ? ‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ବହିରେ ମୁଁ ଏହାର କାରଣ ଦର୍ଶାଇଛି । ଏହି କାରଣ ଥିଲା: ଭାରତକୁ ଦଖଲ କରିଥିବା ବ୍ରିଟିଶ ଅନୁପ୍ରବେଶକାରୀମାନଙ୍କ ମନରେ ଓଡ଼ିଆ ଲୋକଙ୍କ ମିଜାଜ ପ୍ରତି ଥିବା ଭୟଙ୍କର ଭୟ ।

ସେମାନେ କୂଟକୌଶଳ ଦ୍ଵାରା ଆମ ମାଟିରେ ଦଖଲଦାରୀ ଜାରି କଲାବେଳେ ଯେଉଁ ଭୟଙ୍କର ପ୍ରତିଘାତର ସମ୍ମୁଖୀନ ହେଲେ, ତାହାକୁ ଏକ ପ୍ରାଣାନ୍ତକ ଝଡ଼ ବୋଲି ବର୍ଣ୍ଣନା କରିଥିଲେ ସେମାନଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀଲେଖକ ଜି. ଟୟନବୀ (“It was not long, however, before we had to encounter a storm which burst with so sudden fury as to threaten our expulsion, if not from the whole of Orissa, at least from the territory of Khurda.” – A sketch of the history of Orissa, G.Toynbee) ।

ଓଡ଼ିଶା ମାଟି ଏତେ ବୀରତ୍ୱବ୍ୟଞ୍ଜକ ଓ ଓଡ଼ିଆ ଲୋକଙ୍କ ମିଜାଜ ଏତେ କଡ଼ା ଯେ, ମିଲିଟାରୀ ବା ପୋଲିସ ବଳରେ ତାଙ୍କୁ ଆୟତ୍ତ କରି ହେବନି ଓ ବ୍ରିଟିଶ ବିରୁଦ୍ଧରେ ସେମାନଙ୍କ ସଂଘର୍ଷ ସବୁବେଳେ ଲାଗିରହିବ ବୋଲି ବିଚାରପତି ଡବ୍ଲ୍ୟୁ. ଫରେଷ୍ଟର ରିପୋର୍ଟ କରିଥିଲେ (“…..it is to be feared that, the nature of the country and the disposition of the inhabitants will always present formidable obstacles to the suppression of these disturbances either by military or police.” (Para 18 of W. Forrester’s Report to Commissioner Robert Ker, dt. 9.9.1818) । ଏହା ବ୍ରିଟିଶ ମନସ୍ତତ୍ତ୍ଵକୁ ଏପରି ଭୟାଛନ୍ନ କରି ରଖିଥିଲା ଯେ, କଳେ ବଳେ କୌଶଳେ ଓଡ଼ିଶା ଦଖଲ କଲା ପରେ, ଓଡ଼ିଆ ଜାତିର ଐକ୍ୟ ଉଜାଡ଼ି ଦେବାକୁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଭାଗଭାଗ କରିଦେଲେ କେବଳ ନୁହେଁ, ସେହି ବିଖଣ୍ଡିତ ଭାଗଗୁଡ଼ିକୁ ପଡ଼ୋଶୀ ପ୍ରଦେଶମାନଙ୍କରେ ମିଶାଇ ସେମାନଙ୍କ ଭାଷାର ଆଧିପତ୍ୟ ତଳେ ସଂଖ୍ୟାଲଘୁ ହୋଇପଡ଼ିଥିବା ଓଡ଼ିଆଙ୍କୁ ତଳିତଳାନ୍ତ କରିଦେଲେ । (To be continued)

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.