ସୁଭାଷ ଚନ୍ଦ୍ର ପଟ୍ଟନାୟକ
ନାସ୍ତିକ ନ ହେବା, ଈଶ୍ବରବିଶ୍ବାସୀ ହେବା ପରିସ୍ଥିତି ଚାପରେ ନିଜକୁ ଅସୁରକ୍ଷିତ ଅନୁଭବ କରୁଥିବା ସରଳବିଶ୍ବାସୀ ସାଧାରଣ ମଣିଷମାନଙ୍କ ଜୀବନାଭ୍ୟାସରେ ପ୍ରାୟତଃ ଦେଖିବାକୁ ମିଳେ ।
କୌଣସି ବିଷୟରେ ବିଦ୍ବାନ ଓ ବୈଜ୍ଞାନିକ ହେବାକୁ ହେଲେ ସମ୍ପୃକ୍ତ କ୍ଷେତ୍ରରେ ମଣିଷ ସମାଜର ପୂର୍ବାର୍ଜିତ ଜ୍ଞାନର ଉପଯୋଗ କରି ତାକୁ ନିଜସ୍ବ ଅନୁଭୂତି ଓ ବୁଦ୍ଧି ଦେଇ ସମକାଳୀନ ସମାଜ ପାଇଁ ପ୍ରୟୋଗ କରିବାର ସ୍ବାଗତଯୋଗ୍ୟ ସାମର୍ଥ୍ୟ ହାସଲ କରିବାକୁ ହୁଏ । ଏହି ସାମର୍ଥ୍ୟ ସମର୍ଥବ୍ୟକ୍ତିଙ୍କ ମନରେ ଯେଉଁ ଆତ୍ମସନ୍ତୋଷ ଭରେ ତାହା ନିଜ ଶକ୍ତିର ବହିର୍ଭୂତ ଭାବି କେହି କେହି ବିଦ୍ବାନ ତହିଁରେ ଅସମ୍ଭବକୁ ସମ୍ଭବ କରିପାରିଥିବା କୁହୁକର କିମିଆ ଦେଖନ୍ତି । ଏହି କୁହୁକର ସମାର୍ଥବାଚକ ହେଲେ ଈଶ୍ୱର ।
ତେଣୁ ଈଶ୍ୱରବିଶ୍ବାସ ଅସମ୍ଭବକୁ ସମ୍ଭବ କରିପାରିଥିବା ଆନନ୍ଦର ଏକ ଉପନାମ ।ଏହାର ସଜ୍ଞା ଓ ସୀମା ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ।
ଈଶ୍ବରାନୁଭୂତି ଉପରେ କେଶବ ସେନଙ୍କୁ ଏକ ପ୍ରଶ୍ନର ଉତ୍ତର ଦେଇ ଠାକୁର ରାମକୃଷ୍ଣ ପରମହଂସ କହିଥିଲେ ଯେ ରତିସୁଖ ପରି ଏହା ଅନିର୍ବଚନୀୟ ।
ଅନିର୍ବଚନୀୟ ଈଶ୍ବରବିଶ୍ବାସ ରତି ଅନୁଭୂତି ପରି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ ଜନସମାଜର ସାମୁହିକ ଅବଗତିର ଅଧିକାର ବହିର୍ଭୁତ । ତାହା ଜ୍ଞାନବିଜ୍ଞାନ ମଣ୍ଡଳରେ ମଣିଷର ବ୍ୟକ୍ତିଗତ ଉପଲବ୍ଧିର ଆନନ୍ଦ ସହ ସଂଯୁକ୍ତ ହୋଇ ମଣିଷର ମନରେ, ତା’ର ଆଚରଣରେ, ତା’ର ନିଜସ୍ଵ ପରିସରରେ ରହୁ । ତହିଁରେ କିଛି ଗୋଳମାଳ ନାହିଁ ।
ଗୋଳମାଳ ଅଛି ଈଶ୍ବରବିଶ୍ବାସବାଦରେ, ନିଜେ ମାନୁଥିବା ଈଶ୍ଵରଙ୍କୁ ଅନ୍ୟ ଉପରେ ଲଦିବାରେ ।