ବିପର୍ଯ୍ୟୟ କବଳରେ ଓଡ଼ିଆ ଅସ୍ମିତାର ଶ୍ରେଷ୍ଠ ପରିଚୟ ଶ୍ରୀ ବୁଦ୍ଧ ଜଗନ୍ନାଥ
ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସାରା ବିଶ୍ଵରେ ଓଡ଼ିଆ ହେଉଛି ଏକମାତ୍ର ଜନଜାତି , ଯାହାର ଜାତୀୟ ଗୁରୁ ପୂଜା ପାଉଛନ୍ତି ତା’ର ଜାତୀୟ ଦେବତା ରୂପେ । ଦୟାମୟ ବୁଦ୍ଧ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ରୂପେ ପୂଜା ପାଇବା ସମ୍ଭବ ହୋଇନଥାନ୍ତା ଯଦି ଓଡ଼ିଆ ଜାତିର ଅସ୍ମିତା ମହୋଦଧି ପରି ବିରାଟ ହୋଇନଥାନ୍ତା ।
ବୁଦ୍ଧଦେବଙ୍କ ମୃତ୍ୟୁ ପରେ ଯେଉଁ ବିରାଟ ଶୂନ୍ୟତା ଅନୁଭୂତ ହେଲା, ସେହି ଶୂନ୍ୟତାର ରୂପକଳ୍ପ ହେଲେ ଶ୍ରୀଜଗନ୍ନାଥ । ‘ବିରାଟ ଗୀତା’ ଭାଷାରେ-“ଯାହାର ରୂପରେଖ ନାହିଁ, ଶୂନ୍ୟ ପୁରୁଷ ଶୂନ୍ୟ ଦେହି ।” ଇନ୍ଦ୍ରଭୂତିଙ୍କ ଭାଷାରେ, “ଗଗନୋପମ୍” । ଗଗନ ପରି ଅନନ୍ତ ଶୂନ୍ୟର ସାନ୍ଧ୍ରତାରେ ଯାହାର ବର୍ଣ୍ଣ କୃଷ୍ଣ ସେ ହିଁ ଶ୍ରୀଜଗନ୍ନାଥ ।
ଦୟାଳୁ ବୁଦ୍ଧ ଶୂନ୍ୟ ରୂପେ ସର୍ବବ୍ୟାପୀ ବୋଲି ଅନୁଭବ କରି ଓଡ଼ିଆ ଦାର୍ଶନିକର ଲେଖନୀରୁ ଝରି ପଡ଼ିଥିଲା ‘ଶୂନ୍ୟ ଦର୍ଶନ’ର ମହାନ୍ ନିରୂପଣ : “ଶୂନ୍ୟପୁରୁଷ ଦୟାଳୁ ଅଟଇ , ଶୂନ୍ୟପୁରୁଷ ସର୍ବ ଘଟେ ରହି “ (ଶୂନ୍ୟ ସଂହିତା) । ଅପରପକ୍ଷେ, ବୁଦ୍ଧଙ୍କ ଅବର୍ତ୍ତମାନରେ ବୌଦ୍ଧମାନଙ୍କ ମଧ୍ୟରେ ଜୀବନ ରହସ୍ୟର ବ୍ୟାପକ ବିଶ୍ଳେଷଣ ଘଟି ରୂପ ନେଇଥିଲା ବୌଦ୍ଧ ବଜ୍ରଯାନ, ଯହିଁର ପରୀକ୍ଷାଗାର ଭାବେ ଗଢିଉଠିଥିଲା ଶ୍ରୀମନ୍ଦିର । ଏହା ଥିଲା ଏହି ଦର୍ଶନର ‘ସହସ୍ରଦଳପଦ୍ମ’ । ଯଥା –
“ବଡ଼ ଦେଉଳ ଯେ ବୋଲାଇ , ସହସ୍ରଦଳପଦ୍ମ ସେହି “ (ଜଗନ୍ନାଥ ଚରିତାମୃତ) ।
ଦୟାମୟ ବୁଦ୍ଧ ଜଗନ୍ନାଥ ରୂପେ ସେହି ସହସ୍ରଦଳପଦ୍ମ ରୂପୀ ଶ୍ରୀମନ୍ଦିରରେ ସଂସ୍ଥାପିତ । ସେଥିପାଇଁ ତହିଁରେ “ବିଜେ ଦାରୁବ୍ରହ୍ମ ସହସ୍ର ଦଳରେ” ବୋଲି କୁହାଯାଇଥିବା ବେଳେ ଶୂନ୍ୟସଂହିତାରେ କୁହାଯାଇଛି, “ବୁଦ୍ଧରୂପେ ମହୋଦଧି କୂଳେ, ଭୋଗ ବିଳସିବୁ ତୁ ସେତେବେଳେ ।“
ଶ୍ରୀମନ୍ଦିରରେ ଥିବା ଦଶାବତାର ପଟଳରେ ବୁଦ୍ଧଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ରୂପ ଲିଖନ ହିଁ ସାବ୍ୟସ୍ତ କରେ ଯେ, ଓଡ଼ିଆ ଜାତି ବୁଦ୍ଧଙ୍କୁ ହିଁ ଜଗନ୍ନାଥ ବୋଲି ଜାଣେ । ଯାହାଙ୍କୁ ଶ୍ରୀଜଗନ୍ନାଥ ରୂପେ ପୂଜା କରାଯାଏ , ସେ ହିଁ ବୁଦ୍ଧ । ଶ୍ରୀ ବୁଦ୍ଧ ହିଁ ଶ୍ରୀଜଗନ୍ନାଥ । ‘ଶଶୀଷେଣା’ ଭାଷାରେ, “ଶ୍ରୀ ନିଳଗିରି କନ୍ଦରେ ହରି, ବୁଦ୍ଧରୂପରେ ଛନ୍ତି ବିଜେକରି ।”
ଦୟାମୟ ବୁଦ୍ଧ ଶାକ୍ୟ ନାମକ ଆଦିବାସୀ ଜନଜାତିର ଅନ୍ତର୍ଗତ ଥିଲେ ଏବଂ ଚନ୍ଦକା ଅରଣ୍ୟ ନିବାସୀ ଆଦିବାସୀମାନଙ୍କ ସଙ୍ଘୀୟ ଜୀବନ ଯାପନ ଶୈଳୀକୁ ଅନୁକରଣ କରି ତଦନୁଯାୟୀ ବୌଦ୍ଧ ସଂଘର ପରିକଳ୍ପନା, ପ୍ରତିଷ୍ଠା ଓ ସଞ୍ଚାଳନା କରୁଥିଲେ । ସେ ଲୋକାୟତ ସମାଜ ବ୍ୟବସ୍ଥାର ପୃଷ୍ଠପୋଷଣ କରି ଦୈବାୟତ ସମାଜ ବ୍ୟବସ୍ଥାକୁ ବିରୋଧ କରିଥିଲେ ଏବଂ ବୈଦିକ କର୍ମକାଣ୍ଡ ମାଧ୍ୟମରେ ଚାଲିଥିବା ସାମାଜିକ ଶୋଷଣର ପ୍ରତିରୋଧ କରିଥିଲେ । ସେହେତୁ, ବେଦାନୁଗାମୀମାନେ ଶ୍ରୀମନ୍ଦିରରେ ସେହି ବୁଦ୍ଧ ଶ୍ରୀଜଗନ୍ନାଥ ହୋଇ ରହିବାକୁ ସହ୍ୟ କରିପାରୁନଥିଲେ । ସୁତରାଂ ସେମାନେ ତାଙ୍କୁ ବୁଦ୍ଧରୁ ବିଷ୍ଣୁରେ ରୂପାନ୍ତରିତ କରିବାକୁ ଚେଷ୍ଟା କରିଚାଲିଥିଲେ । ଏହି କ୍ରମରେ ‘ଦାରୁବିଗ୍ରହ’ଙ୍କୁ ‘ଦାରୁବ୍ରହ୍ମ’ରେ ରୂପାନ୍ତରିତ କରିବାକୁ ଅତି ଚତୁର ପ୍ରୟାସ ହୋଇଥିଲା । ଦାରୁବିଗ୍ରହ ଦାରୁବ୍ରହ୍ମ ଭାବେ ପ୍ରଚାରିତ ହେବା ପରେ ‘ଦାରୁବ୍ରହ୍ମ ଗୀତା’ ମାଧ୍ୟମରେ ଓଡ଼ିଆ ଜାତି କିନ୍ତୁ ସେହି ଦାରୁବ୍ରହ୍ମଙ୍କୁ ବି ବୁଦ୍ଧ ବୋଲି ଦର୍ଶାଇଥିଲା । ଯଥା –
“ବଉଧ ରୂପ ହେବା ପାଇଁ,
ପାଦ ପାଣି ଛାଡ଼ିଲେ ଗୋସାଇଁ ।“
ଅପରପକ୍ଷେ , ବଜ୍ରଯାନ ଦର୍ଶନର ସହସ୍ରଦଳପଦ୍ମ ଅବଧାରଣାରେ ଦାରୁବ୍ରହ୍ମରୂପୀ ବୁଦ୍ଧ ଅଧିଷ୍ଠିତ ବୋଲି ଘୋଷଣା କରିଥିଲା ‘ଜଗନ୍ନାଥ ଚରିତାମୃତ’ । ଯଥା –
“ଚାହାଁ ଡୋଳାରେ ନୀଳଚକ୍ରରେ
ବିଜେ ଦାରୁବ୍ରହ୍ମ ସସ୍ରଦଳରେ ।“
ସାଧାରଣ ଲୋକମାନଙ୍କ ମଧ୍ୟରେ ବେଦନୁଗାମୀମାନେ ଶ୍ରୀଜଗନ୍ନାଥଙ୍କ ଠାରୁ ଶ୍ରୀ ବୁଦ୍ଧଙ୍କୁ ଭିନ୍ନ ବୋଲି ଦର୍ଶାଇବାକୁ ‘ବ୍ରହ୍ମ’ ପରି ଏକ ବ୍ରାହ୍ମଣ୍ୟବାଦୀ ଶବ୍ଦ ପ୍ରୟୋଗ ଦ୍ଵାରା ଯେଉଁ ସମସ୍ତ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ , ଆଦି କବି ସାରଳା ଦାସ ତାଙ୍କ ମହାଭାରତରେ ତାକୁ ପ୍ରତିହତ କରିବାକୁ ଉଦ୍ୟମ କରି ବାରମ୍ବାର ଲେଖିଥିଲେ ଯେ ଶ୍ରୀ ଜଗନ୍ନାଥ ହେଉଛନ୍ତି ସ୍ଵୟଂ ବୁଦ୍ଧ । ଯଥା-
“ସଂସାର ଜନଙ୍କୁ ତାରିବା ନିମନ୍ତେ
ବୁଦ୍ଧ ରୂପରେ ବିଜେ ଅଛ ଜଗନ୍ନାଥେ ।“
କୌଣସି ଭିନ୍ନ ମତକୁ ପ୍ରଶ୍ରୟ ନଦେଇ ଓଡ଼ିଆ ଜାତିର ଉଦ୍ଘୋଷଣ ଉଚ୍ଚାରିତ ହୋଇଥିଲା ‘ଦେଉଳତୋଳା’ରେ । ଯଥା-
“ଠାକୁରେ ବୋଇଲେ ରାଜା ହୋଇଲୁ କି ବାଇ?
କଳିଯୁଗେ ବସିବୁ ବୁଦ୍ଧ ରୂପ ହୋଇ ।“
ଶ୍ରୀଜଗନ୍ନାଥ ବିଗ୍ରହର ପ୍ରଥମ ପରିକଳ୍ପନାକାରୀ ଥିଲେ ବୌଦ୍ଧ ବଜ୍ରଯାନର ସଂସ୍ଥାପକ, ଆଧୁନିକ ସମ୍ବଲପୁରର କ୍ଷମତାପନ୍ନ ସିଦ୍ଧାଚାର୍ଯ୍ୟ ଇନ୍ଦ୍ରଭୂତି । ଓଡ଼ିଶାର ଏହି ଯୁଗାନ୍ତକାରୀ ରାଜା ଓଡ଼ିଶାର ସର୍ବଶ୍ରେଷ୍ଠ ସନ୍ତାନ ଦୟା ନଦୀ ତୀର ସମ୍ଭୁତ ଦୟାମୟ ବୁଦ୍ଧଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ଶୂନ୍ୟତାର ସର୍ବବ୍ୟାପକତାର ପ୍ରତୀକ ଭାବେ ଶ୍ରୀଜଗନ୍ନାଥ ବିଗ୍ରହର ପରିକଳ୍ପନା କରିଥିଲେ ଏବଂ ତାଙ୍କରି ଭିତରେ ନିଜ ଗୁରୁ ସିଦ୍ଧାର୍ଥ ବୁଦ୍ଧଙ୍କର ପୂଜାର୍ଚ୍ଚନା କରିଥିଲେ ।
“ପର୍ଯ୍ୟୁପାସ୍ୟୋ ଜଗନ୍ନାଥୋ ଗୁରୁର୍ସର୍ବାର୍ଥ ସିଦ୍ଧିଦଃ ।” ଗୁରୁଦେବ ଶ୍ରୀ ବୁଦ୍ଧ ମୃତ୍ୟୁ ପରେ ମଧ୍ୟ ଅବର୍ତ୍ତମାନ ନୁହନ୍ତି – ଏହା ହିଁ ଥିଲା ତାଙ୍କର ପ୍ରତିପାଦ୍ୟ ।
ଗୁରୁଦେବ ବୁଦ୍ଧ ଦୈବାୟତ ସମାଜ ବ୍ୟବସ୍ଥା ବିରୁଦ୍ଧରେ ଆଦିବାସୀ ଜନଜାତିର ସଙ୍ଘୀୟ ସଂସ୍କୃତିର ସୁରକ୍ଷା ପ୍ରତି ଧ୍ୟାନ ଦେଇଥିବା ହେତୁ ତାଙ୍କରି ପ୍ରତୀକ ରୂପେ ଯେତେବେଳେ ମହୋଦଧି କୂଳରେ ଦାରୁବିଗ୍ରହଙ୍କ ପୂଜାର୍ଚ୍ଚନା ଚାଲିଲା , ପୂର୍ବ ସମୁଦ୍ର ତଟକୁ ନଆସିବା ପାଇଁ ବେଦାନୁଗାମୀମାନଙ୍କୁ ବୈଦିକ ନିୟନ୍ତାମାନେ ପରାମର୍ଶ ଦେଇଥିଲେ । କିନ୍ତୁ ବଜ୍ରଯାନ ସଂସ୍ଥାପକ ଇନ୍ଦ୍ରଭୂତିଙ୍କ ଦ୍ଵାରା ଦୟାମୟ ବୁଦ୍ଧ ସାରା ଜଗତର ଅଧିପତି ଭାବେ ପ୍ରକୀର୍ତ୍ତିତ ହେଲେ । ‘ଜ୍ଞାନସିଦ୍ଧି’ର ଆରମ୍ଭ ହେଲା ତାଙ୍କରି ବନ୍ଦନାରୁ । ଯଥା-
“ପ୍ରଣିପତ୍ୟଂ ଜଗନ୍ନାଥଂ ସର୍ବଜନବରାର୍ଚ୍ଚିତମ୍ ।
ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମମ୍ ॥ ୧ ॥
ସର୍ବଦଂ ସର୍ବସତ୍ତ୍ଵେଭ୍ୟଃ ସର୍ବଜ୍ଞବରବଜ୍ରିଣମ୍ ।
ଭକ୍ତ୍ୟାହଂ ସର୍ବଭାବେନ ବକ୍ଷେ ତତ୍ସାଧାନଂ ପରମ୍ ॥ ୨ ॥“
ଅତଏବ, ପ୍ରାରମ୍ଭରୁ ଯିଏ ଜଗନ୍ନାଥ, ସେ ହିଁ ଦୟାମୟ ବୁଦ୍ଧ ।
ବେଦନୁଗାମୀମାନେ କାଳକ୍ରମେ ଓଡ଼ିଶାକୁ ମାଡ଼ିଆସିଲା ପରେ ସେମାନଙ୍କ ଶ୍ରେଣୀସ୍ଵାର୍ଥର ସହଯୋଗୀ ରାଜନ୍ୟବର୍ଗଙ୍କୁ ବ୍ୟବହାର କରି ଶ୍ରୀମନ୍ଦିରରେ ଜଗନ୍ନାଥ ରୂପେ ସମ୍ପୂଜିତ ବୁଦ୍ଧଙ୍କୁ ବିଷ୍ଣୁ ଭାବେ ଦର୍ଶାଇବାକୁ ଅଜସ୍ର ଉଦ୍ୟମ କରିଛନ୍ତି । ସେହି ଉଦ୍ୟମ କ୍ରମେ ଜଗନ୍ନାଥଙ୍କ ପ୍ରକୃତ ପ୍ରତିଷ୍ଠାତା ଇନ୍ଦ୍ରଭୂତିଙ୍କ ନାମକୁ ଧୀରେ ଧୀରେ ଇନ୍ଦ୍ରଦ୍ୟୁମ୍ନ ନାମକୁ ବଦଳାଇ ଦେଇଛନ୍ତି । ଏହା ଯେହେତୁ ଇତିହାସର ବିକୃତିକରଣ, ସେହେତୁ ଏହି ନୂତନ ନାମ ସପକ୍ଷରେ ନାନା କିମ୍ବଦନ୍ତୀ ତିଆରିକରାଯାଇଛି । ଏବଂ, ସୃଷ୍ଟି ହୋଇଛି ତନ୍ନିହିତ ବହୁ ଉପାଖ୍ୟାନ ଓ ନାମ,ଯେମିତି ସ୍ଵପ୍ନରେ ଦିଅଁ ଦର୍ଶନ, ରାଣୀ ଗୁଣ୍ଡିଚା, ବିଦ୍ୟାପତି, ବିଶ୍ଵକର୍ମା ଇତ୍ୟାଦି ଇତ୍ୟାଦି ।
ମାତ୍ର ଏ ସମସ୍ତ କ୍ଷମତାପୁଷ୍ଟ ଅପୋଦ୍ୟମ ସତ୍ତ୍ୱେ ଶ୍ରୀଜଗନ୍ନାଥ ଦୟାମୟ ବୁଦ୍ଧ ହୋଇ ହିଁ ରହିଛନ୍ତି ଏବଂ ଶ୍ରୀମନ୍ଦିର ବୌଦ୍ଧ ବଜ୍ରଯାନର ଅଧରଶୀଳା ହୋଇରହିଛି । ଇନ୍ଦ୍ରଭୂତିଙ୍କ ଭଉଣୀ ଲକ୍ଷ୍ମୀଙ୍କରା ବଜ୍ରଯାନକୁ ବୁଦ୍ଧଙ୍କ ସମର୍ଥିତ ମାତୁରଧିକାରର ତାତ୍ତ୍ଵିକ ପରିପୂରକତା ଦେଇ ଯେଉଁ ସହଜଯାନ ସୃଷ୍ଟିକରିଥିଲେ, ବେଦର ପୁରୁଷପ୍ରଧାନବାଦ ବିରୁଦ୍ଧରେ ତାହା ପ୍ରକୃତିପ୍ରଧାନବାଦର ଅନତିକ୍ରମଣୀୟ ଯୁକ୍ତି ବାଢି ତହିଁର ପ୍ରୟୋଗାତ୍ମକ ଦର୍ଶନ ଭାବେ ମୈଥୁନବାଦର ଭିତ୍ତିସ୍ଥାପନ କରିଥିଲା । ବଜ୍ରଯାନ ପରିସୃଷ୍ଟ ଜଗନ୍ନାଥ ତତ୍ତ୍ଵ ଉପରେ ସୋନପୁରର ସେହି ମହାନ ମହିଳା ଦାର୍ଶନିକା ଲକ୍ଷ୍ମୀଙ୍କରା ତାଙ୍କ ସହଜଯାନପ୍ରସୂତ ମୈଥୁନବାଦ ଅଜାଡ଼ି ଦେଇ ତାକୁ ସଶକ୍ତିକୃତ କରିଥିଲେ । ମୈଥୁନବାଦରେ ପୋତି ହୋଇପଡ଼ିଥିଲା ଜଗନ୍ନାଥଙ୍କ ବଜ୍ରଯାନୀୟ ପୂଜାବିଧି । ସେଥିପାଇଁ କୁହାଯାଏ , ଜଗନ୍ନାଥ ସୋନପୁରରେ ପାତାଳୀ ହୋଇଥିଲେ । ଏହି ମୈଥୁନବାଦର ଦାର୍ଶନିକ ଉଦ୍ଘୋଷଣ ସୂର୍ଯ୍ୟରୂପୀ ବୁଦ୍ଧଙ୍କ ମନ୍ଦିର ‘କୋଣାର୍କ’ରେ ଯେପରି ଖୋଦିତ ହୋଇଛି, ଜଗନ୍ନାଥରୂପୀ ବୁଦ୍ଧଙ୍କ ଶ୍ରୀମନ୍ଦିରରେ ବି ସେପରି ଉତ୍କୀର୍ଣ୍ଣ ହୋଇଛି ।
ଏହି ମନ୍ଦିର ପରିସରରେ ପୁରୁଷାଧିକାରବାଦୀ ବେଦର ଅନୁସରଣ ନଗଣ୍ୟ , ମାତୁରଧିକାରବାଦୀ ତନ୍ତ୍ରର ପ୍ରଚଳନ ପ୍ରବଳ । ବଜ୍ରଯାନ- ସହଜଯାନର ମୈଥୁନାଶ୍ରୟୀ ତତ୍ତ୍ଵରେ ସୁସଜ୍ଜିତ ଯେପରି ଶ୍ରୀମନ୍ଦିରର ଅବୟବ, ମୈଥୁନରତ ବିଗ୍ରହଙ୍କର ପୂଜାର୍ଚ୍ଚନାରେ ଜୀବନ୍ମୟ ସେହିପରି ଅନଙ୍ଗ ତ୍ରୟୋଦଶୀର ମନ୍ଦିର ଅଙ୍ଗନ ।
ଜୀବନଦର୍ଶନର ବାସ୍ତବବାଦୀ ଅନୁଶୀଳନରେ ସମସ୍ତ କର୍ମକାଣ୍ଡୀୟ କୁସଂସ୍କାରରୁ ଉର୍ଦ୍ଧ୍ଵରେ ସଦା ଜାଜୁଲ୍ୟମାନ ହୋଇରହିଛି ଜଗନ୍ନାଥ ଦର୍ଶନ, ଯାହା ଜାତିବର୍ଣ୍ଣ ନିର୍ବିଶେଷରେ ସାମାଜିକ ଐକ୍ୟର ନିୟାମକ, ଠିକ୍ ଯେମିତି ବୌଦ୍ଧ ସଂଘ ।
ଗୁରୁଦେବ ବୁଦ୍ଧ ଆଦିବାସୀ ଜନଜାତିର ଶ୍ରେଷ୍ଟ ନାୟକ ଥିଲେ । ସେ ଥିଲେ ନିଷ୍ପେଷିତ ମଣିଷର ହିତକାରୀ ଦାର୍ଶନିକ । ସେ ଦୈବାୟତ ସମାଜ ବ୍ୟବସ୍ଥାର ଘୋର ବିରୋଧୀ ଥିଲେ ଏବଂ, ତହିଁରୁ ଉଦ୍ଭୁତ ଜାତିଭେଦ କବଳରୁ ମଣିଷ ସମାଜକୁ ରକ୍ଷା କରିବା ପାଇଁ ସଙ୍ଘୀୟ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ । ବୈଦିକ ସମାଜରେ ଥିବା ଜାତିଭେଦ ବୌଦ୍ଧ ସମାଜରେ ନଥିଲା । ନଥିଲା କୌଣସି କର୍ମକାଣ୍ଡୀୟ କୁସଂସ୍କାର । ସେହି ବୈଶିଷ୍ଟ୍ୟକୁ ନେଇ ଗଢି ଉଠିଛି ଜଗନ୍ନାଥ ଦର୍ଶନ । ଏହାକୁ ଯେତେବେଳେ ଜାତିଭେଦ ଦ୍ଵାରା ସଂକ୍ରମିତ କରିବାକୁ ଚେଷ୍ଟା ହୋଇଥିଲା , ଓଡ଼ିଆ ଜାତି ସେତେବେଳେ ଶ୍ରୀୟା ଚଣ୍ଡାଳୁଣୀ ଉପାଖ୍ୟାନ ସୃଷ୍ଟି କରି ବର୍ଣ୍ଣବୈଶିଷ୍ଟ୍ୟବାଦୀମାନଙ୍କ ପ୍ରୌଢୀର ଅସାରତା ସାବ୍ୟସ୍ତ କରିଥିଲା ଏବଂ ଜଗନ୍ନାଥ ଦର୍ଶନର ମୌଳିକ ବୌଦ୍ଧ ବିଭବ ରକ୍ଷା କରିଥିଲା । ସୁତରାଂ ଜଗନ୍ନାଥ ତତ୍ତ୍ଵରେ ଜାତିଗତ ବାଛ ବିଚାର ନାହିଁ । ଏହା ଦର୍ଶନତଃ ବୌଦ୍ଧ, ଆଚରଣତଃ ବୌଦ୍ଧ ।
ଶ୍ରୀଜଗନ୍ନାଥଙ୍କୁ ବୁଦ୍ଧ ବୋଲି ଜାଣିଥିବା ଓଡ଼ିଆ ଜାତି ଏ ପର୍ଯ୍ୟନ୍ତ ଚାଲି ଆସିଥିବା ସମସ୍ତ ଚକ୍ରାନ୍ତ ପଣ୍ଡ କରି ଶ୍ରୀମନ୍ଦିରକୁ ଜାତିଭେଦରୁ ଉର୍ଦ୍ଧ୍ଵରେ ରଖିଛି । ତେଣୁ ତାଙ୍କ ବୁଦ୍ଧତ୍ଵକୁ ଜନଚକ୍ଷୁରୁ ଅପସାରିତ କରିବା ପାଇଁ ଏବଂ ତାଙ୍କୁ କେବଳ ଏକ ହିନ୍ଦୁ ଦିଅଁ ଭାବେ ଦେଖାଇବା ପାଇଁ ବାହୁବଳେନ୍ଦ୍ରମାନେ ଉଦ୍ୟମ ଚଳାଇଛନ୍ତି ।
ଶ୍ରୀମନ୍ଦିର ନିଃସନ୍ଦେହ ବୌଦ୍ଧ ତତ୍ତ୍ବର ସର୍ବୋତ୍ତମ ପ୍ରୟୋଗଶାଳା । ଜଗତର ଗୁରୁଶ୍ରେଷ୍ଠ ବୁଦ୍ଧଙ୍କୁ ତାଙ୍କ ଜନ୍ମମାଟି ତୋଷଳର ପୁରୀ ପୀଠରେ ଜଗତର ଶ୍ରେଷ୍ଠତମ ବ୍ୟକ୍ତିର ସମ୍ମାନ ଦିଆଯାଇ ଜଗନ୍ନାଥ ରୂପେ ପୂଜା କରାଯାଉଛି । “ପର୍ଯ୍ୟୁପାସ୍ୟୋ ଜଗନ୍ନାଥୋ ଗୁରୁର୍ସର୍ବାର୍ଥ ସିଦ୍ଧିଦଃ” ବୋଲି କହିଛନ୍ତି ଇନ୍ଦ୍ରଭୂତି ।
ପ୍ରତି ବୌଦ୍ଧମତାବଲମ୍ବୀ ନିଜ ଜୀବନକାଳରେ ଅନ୍ତତଃ ଥରକ ପାଇଁ ହେଉ ପଛେ ଗୁରୁଦେବ ବୁଦ୍ଧଙ୍କ ଜନ୍ମସ୍ଥାନ ଦର୍ଶନ କରିବାକୁ ବୌଦ୍ଧ ଶାସ୍ତ୍ରରେ ନିର୍ଦ୍ଦେଶ ରହିଛି । ନେପାଳର ତରାଇ ଅଞ୍ଚଳରେ କଲ୍ପନାପ୍ରସୂତ କପିଳବାସ୍ତୁକୁ ବୁଦ୍ଧଙ୍କ ଜନ୍ମସ୍ଥାନ ବୋଲି ବିଶ୍ଵାସ କରି ବୌଦ୍ଧମାନେ ପ୍ରତାରିତ ହୋଇ ଚାଲିଛନ୍ତି । ବୁଦ୍ଧଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି ତୋଷଳ ଅନ୍ତର୍ଗତ ଧଉଳିଗିରି ସମୀପବର୍ତ୍ତୀ କପିଳେଶ୍ଵର ଗ୍ରାମ । ବୁଦ୍ଧ ଏହିଠାରେ ଜନ୍ମ ହୋଇଥିବା କଥା ସମ୍ରାଟ ବିମ୍ବିସାରଙ୍କୁ ନିଜେ କହିଛନ୍ତି । ‘ସୂତ୍ତନିପାତ’ରେ ଏହା ଲିପିବଦ୍ଧ । ଯଥା –
“ଉଜୁଂ ଜନପଦୋ ରାଜା ହେମବନ୍ତସ୍ସ ପସ୍ସତୋ
ଧନ ବୀର୍ୟେନ ସମ୍ପନ୍ନୋ ତୋଷଳେସୁ ନିକେତିନୋ ॥“
ସ୍ଵର୍ଣ୍ଣାର୍ଦ୍ରିମହୋଦୟ ଅନ୍ତର୍ଗତ ଭାବାର୍ଥ ଅନୁଯାୟୀ ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳିଗିରି ହିଁ ହେମଗିରୀ, ଯାହାର ଅନତିଦୂରରେ ଥିବା କପିଳେଶ୍ଵର ଗ୍ରାମରେ ବୁଦ୍ଧ ଜନ୍ମ ହୋଇଥିଲେ ।
ସମଗ୍ର ପୃଥିବୀକୁ ଶାନ୍ତି ଓ ମୁକ୍ତିର ଅନନ୍ୟ ମାର୍ଗ ପ୍ରଦାନ କରିଥିବା ବୁଦ୍ଧ ଜନ୍ମତଃ ସେହି ମାଟିର ସନ୍ତାନ, ଯେଉଁ ମାଟି ସମ୍ପ୍ରତି ଓଡ଼ିଶା ନାମରେ ନାମିତ । ତେଣୁ ଶ୍ରୀ ବୁଦ୍ଧ ଜଗନ୍ନାଥ ହିଁ ଓଡ଼ିଆ ଅସ୍ମିତାର ସର୍ବଶ୍ରେଷ୍ଠ ପରିଚୟ । କିନ୍ତୁ ଏହି ପରିଚୟ ଏବେ ବିପର୍ଯ୍ୟସ୍ତ । ଆମ ମାଟିଜ ବୁଦ୍ଧ ହିଁ ଆମ ଜଗନ୍ନାଥ – ଏକଥା ନକହି ଅଣଓଡ଼ିଆ ଧର୍ମପ୍ରଚାରକ ଓ ଅଣଓଡ଼ିଆ ଶାସକମାନଙ୍କ କୂଟଚକ୍ରର ଶିକାର ହୋଇ ଆମେ ତାଙ୍କୁ ମଥୁରାରେ ଜନ୍ମ ହୋଇଥିବା ଶ୍ରୀକୃଷ୍ଣ ବୋଲି ଆପାତତଃ ଗ୍ରହଣ କରିନେଲୁଣି ।
ଏହି ବିପର୍ଯ୍ୟୟ କବଳରୁ ଆମ ଅସ୍ମିତା ଉଦ୍ଧାର ପାଇବା ପାଇଁ ଆମ ଜଗନ୍ନାଥ ଆମ ପାଇଁ କେବଳ ଆମ ବୁଦ୍ଧ ରୂପେ ବିରାଜିତ ହେବା ଆବଶ୍ୟକ ।
1 comment » Write a comment