ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆଙ୍କୁ ଛାଡ଼ି ସାରା ପୃଥିବୀରେ ଏପରି କ’ଣ କୌଣସି ଜାତି ଅଛି ଯାହାର ଚିନ୍ତାରେ, ଚଳଣିରେ,ଚରିତ୍ରରେ, ଯାହାର ଦୈନନ୍ଦିନ କାର୍ଯ୍ୟରେ, ସାର୍ବଜନୀନ ଆଚରଣରେ, ଯାହାର ବ୍ୟକ୍ତିଗତ ଜୀବନରେ, ସାମୁହିକ ଉତ୍ସବରେ, ଯାହାର ଶୟନରେ, ସ୍ୱପନରେ,ଜାଗରଣରେ, ଆଲୋକରେ, ଅନ୍ଧାରେ, ସୁଖରେ, ଦୁଃଖରେ, ସାହିତ୍ୟରେ, ସଙ୍ଗୀତରେ, ନୃତ୍ୟରେ, ଯୁଦ୍ଧରେ, ପର୍ବରେ, ପର୍ବାଣୀରେ, ସର୍ଜନାରେ, ଦର୍ଶନରେ – ସବୁଥିରେ ଜଗନ୍ନାଥ ପରି କେହି ଜଣେ ଆପଣାର ଜନ ଥିବ, ଯାହା ବିନା କିଛି ବି ହୋଇପାରୁନଥିବ? ଯାହାକୁ ପ୍ରଥମେ ନିମନ୍ତ୍ରଣ କଲେ ଯାଇଁ ଆରମ୍ଭ ହୋଇପାରୁଥିବ ଜୀବନର ଶୁଭ କାର୍ଯ୍ୟ, ଯାହାର କୋଳ ହୋଇଥିବ ଜୀବନର ଶେଷ ଅଭିଳାଷ – ଏମିତି ପ୍ରିୟଜନ କ’ଣ ଅନ୍ୟ କୌଣସି ଜାତିର କୌଣସି ଦିଅଁ କେବେ ହୋଇଥିବେ? ବିବାହ ହେବ, ତା ପାଖକୁ ପ୍ରଥମେ ନିମନ୍ତ୍ରଣ ପଠାଅ । ସନ୍ତାନ ଜନ୍ମ ହେଲା, ଏକୋଇଶା ହେବ, ତାକୁ ପ୍ରଥମେ ଡାକ – ଏମିତି କ’ଣ ଆପଣାର ଜନ ହୋଇପାରେ ଅନ୍ୟ କେଉଁ ଜାତିର ଜୀବନରେ କେଉଁ ଠାକୁର ? ଜୀବନ ସରିଗଲା, ଶେଷ ବିଶ୍ରାମ ଆବଶ୍ୟକ, ଖୋଜ ତା’ର କୋଳ , ଖୋଜ ତା’ର ସ୍ଵର୍ଗଦ୍ଵାର ଅଞ୍ଚଳ ; ସେହି ହେଉ ଜୀବନରେ ଶେଷ ଠିକଣା – ଏମିତି କ’ଣ ଅସରନ୍ତି ଆପଣାରପଣିଆ ଅନ୍ୟ କୌଣସି ଜାତି କୌଣସି ପୂଜା ପୀଠରେ କେବେ ବି ପାଇଥାଏ? ମାଆଟିଏ । ସେ ତ ମାଆଟିଏ । ତମେ ତାକୁ ପୁରୁଷ କହ , ପୁରୁଷୋତ୍ତମ କହ, ବ୍ରହ୍ମାଣ୍ଡଠାକୁର ବୋଲି ଯେତେ ଚିତ୍କାର କରୁଛ କର, ସେ ତ ମାଆଟିଏ । ମାଆଟିଏ । ମାଆ ଭିନ୍ନ ଆଉ କିଛି ନୁହେଁ ।
ମା ପୃଥ୍ଵୀ ବା ଜଗତ ଆଦିବାସୀ ଭାଷାରେ ଜଗନ୍ତ (ଡଃ ବେଣୀମାଧବ ପାଢୀ) । ମାଆର ସ୍ତନ ବ ଥନକୁ ଆଶ୍ରା କରି ବଞ୍ଚିଥାଏ ସନ୍ତାନ । ତେଣୁ ଜଗନ୍ତର ଥନ ବା ଥ ହେଉଛି ଆଦିମ ଓଡ଼ିଆର ଜୀବନର ଆଧାର । ଏକତ୍ର ଏହା ଜଗନ୍ତା-ଥ, କାଳକ୍ରମେ ଯାହା ହୋଇଯାଏ ଜଗନ୍ତାଥ ଏବଂ ତହିଁରୁ ଜଗନ୍ନାଥ । ଏହି ଜଗନ୍ନାଥଙ୍କ ଭିନ୍ନ ନାମ ମାଦଳା । କାନ୍ଧଠାରୁ ଯାନୁମୂଳ ପର୍ଯ୍ୟନ୍ତ ନାରୀର ଗଣ୍ଡିକୁ କୁହାଯାଏ ମାଦଳା । ପୁରୁଷର ଗଣ୍ଡିକୁ କୁହାଯାଏ ମାଦଳ । ଜଗନ୍ନାଥ ମାଦଳ ନୁହନ୍ତି , ମାଦଳା । ସେଥିପାଇଁ ତାଙ୍କ ଦିନାଲିପିର ନାମ ମାଦଳାପାଞ୍ଜି । ଅତଏବ, ସେ ଏକ ନାରୀର ଗଣ୍ଡି । ଚକା ଆଖି ବୋଲି ଯାହାକୁ କୁହା ହେଉଛି ତାହା ସେହି ମାଦଳାର ଛାତିରେ ଥିବା ଦୁଇ ସ୍ଫୀତ ସ୍ତନର ରୂପକଳ୍ପ । ସ୍ତନାଗ୍ର ହିଁ କଳା ଡୋଳା । ସ୍ତନର ସ୍ଫୀତି ହିଁ ଧଳା ଡୋଳା । ଯେହେତୁ ନିଟୋଳ ସ୍ତନ, ସେହେତୁ ବର୍ତ୍ତୁଳ । ଏହି ସ୍ତନକୁ ଆଶ୍ରା କରି ମଣିଷ ବଞ୍ଚିଛି । ସେଥିପାଇଁ ଆଦିମ ଓଡ଼ିଆର ବିକଶିତ ମତ ଜଗନ୍ତା -ଥ ଜଗନ୍ତାଥ ହୋଇ ଜଗନ୍ନାଥ ( ଦୈନିକ ସମ୍ବାଦରେ ୨୩.୦୩.୧୯୯୬ରୁ କ୍ରମାନ୍ୱୟରେ ପ୍ରକାଶିତ ମୋଟ ଆଲୋଚନା – ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର )।
ଯେଉଁମାନେ ଓଡ଼ିଆର ମାତୃପ୍ରଧାନ ପରମ୍ପରାକୁ ଭାଙ୍ଗି ପୁରୁଷପ୍ରଧାନ୍ୟ ବଳବତ୍ତର କରିବାକୁ ଷଡ଼ଯନ୍ତ୍ର କରିଛନ୍ତି, ସେମାନେ କହିଛନ୍ତି –“ତ୍ବଂ ସ୍ତ୍ରୀ ତ୍ବଂ ପୁମାନସି” – ତୁମେ ସ୍ତ୍ରୀ , ତଥାପି ବି ତୁମେ ପୁରୁଷ । ଯିଏ ସ୍ତ୍ରୀ ସେ ହିଁ ପୁରୁଷ ବୋଲି ଜଗନ୍ନାଥଙ୍କୁ ମାଦଳାରୁ ମରଦ କରିବାକୁ , ମରଦରୁ ପୁରୁଷୋତ୍ତମ କରିବାକୁ ବହୁ ଚେଷ୍ଟା କରିଛନ୍ତି ; ଏବଂ ଏହି ଷଡ଼ଯନ୍ତ୍ରକୁ ସାର୍ଥକ କରିବାକୁ ପାଇଛନ୍ତି ଏକଛତ୍ରବାଦୀ ଶାସକର ସମର୍ଥନ ।
ତଥାପି ଓଡ଼ିଆ ତାକୁ ମାଆ କରି ହିଁ ରଖିଛି । ପ୍ରତିଦିନ ତାକୁ ସଜାଇ ଚାଲିଛି ମାଆ ରୂପେ । ପ୍ରତିଦିନ ପୂଜା ପୂର୍ବରୁ ତାକୁ ନାରୀ ରୂପେ ସଜାଇ, ନାରୀ ରୂପେ ଦେଖି ହିଁ ପୂଜା କରାଯାଏ । ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱରେ ଥାଇ ଜଗନ୍ନାଥଙ୍କ ନୀତିକାନ୍ତିକୁ ପ୍ରତ୍ୟକ୍ଷ ଲକ୍ଷ୍ୟ କରିଥିବା ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ଭାଷାରେ “ଶ୍ରୀଜଗନ୍ନାଥଙ୍କ ପୂଜା ପୂର୍ବରୁ ମୁଣ୍ଡରେ ଓଢଣୀ ଦେବା ସଙ୍ଗେ ସଙ୍ଗେ ଅଳତା ଓ ନାକରେ ନାକୁଆସି ପିନ୍ଧାଇବା ପରେ ଯାଇ ପୂଜାକର୍ମ ଆରମ୍ଭ କରାଯାଏ ( ତନ୍ତ୍ର ଶିରୋମଣି ଶ୍ରୀଜଗନ୍ନାଥ, ପୃ ୬୭) ।
ଅତଏବ, ବ୍ରାହ୍ମଣ୍ୟବାଦୀମାନେ ଜଗନ୍ନାଥଙ୍କୁ ପୁରୁଷୋତ୍ତମ ବୋଲି ଯେତେ ଚିତ୍କାର କରନ୍ତୁ ନା କାହିଁକି, ଓଡ଼ିଆ ଆଖିରେ ଜଗନ୍ନାଥ ତା ମାଆ । ସେ ତାର ମାତୃପ୍ରଧାନ ଜୀବନଶୈଳୀର ରୂପକଳ୍ପ । ସେଥିପାଇଁ କୃଷିଜୀବୀ ଓଡ଼ିଆ ଜଗନ୍ନାଥଙ୍କ ଚଳଣିରେ ଖଞ୍ଜିଛି ଓଡ଼ିଆ ଘରର, ଓଡ଼ିଆ କୃଷକର ପରମ୍ପରା । ନାରୀର ଋତୁସ୍ରାବ ନିୟମିତ ହେବା ପରି ପୃଥିବୀ ହୁଏ ରଜସ୍ଵଳା ଓ ସମତାଳରେ ମାତୃରୂପା ଜଗନ୍ନାଥ ।
ସବୁ ଋତୁ ଶେଷରେ ନାରୀ ଗର୍ଭବତୀ ହୁଏନି ; ବ୍ଯବଧାନ ବାରି ହୋଇପଡ଼େ । ସେଥିପାଇଁ କେତେ କେତେ ବର୍ଷ ପରେ ଜଗନ୍ନାଥଙ୍କ ଗର୍ଭରେ ଥାପିତ ହୁଏ ନୂଆ ଜୀବନ, ଯାହାର ପ୍ରତୀକମାତ୍ର ନବ କଳେବର । ମହାପ୍ରସାଦ ବୋଲି ଯେତେ ଧେଣ୍ଡୁରା ପିଟା ହେଉ ନା କାହିଁକି, ତାଙ୍କ ପ୍ରସାଦ ହେଉଛି ମାଆପ୍ରସାଦ । ମା ତା’ର କୌଣସି ସନ୍ତାନ ପାଇଁ ଭେଦଭାବ ରଖେନି । ସେଥିପାଇଁ ଜଗନ୍ନାଥଙ୍କ ପାଖରେ ଜାତିଭେଦ , ସମ୍ପତ୍ତିଭେଦ ନାହିଁ । ମାଆର ପରଷା ଉପରେ ସବୁ ପିଲାଙ୍କ ସମାନ ଅଧିକାର । ସେଥିପାଇଁ , ତାଙ୍କ ପ୍ରସାଦ ଉପରେ ବ୍ରାହ୍ମଣର ଯେପରି ଅଧିକାର, ଚଣ୍ଡାଳର ବି ସେପରି । ସ୍ନେହମୟୀ , ପ୍ରେମମୟୀ ମା ଜଗନ୍ନାଥ । ବୌଦ୍ଧତନ୍ତ୍ରର ମହୀୟସୀ ଠାକୁରାଣୀ । ଭୈରବୀ ଚକ୍ରରେ ଆସୀନା ଆଦି ଓଡ଼ିଆଣୀ । ଏହି ଚକ୍ରରେ ଯିଏ ପଶିଲା ତା’ର ଦ୍ଵିତୀୟ ଜନ୍ମ ହୋଇଗଲା , ସେ ଦ୍ଵିଜ ହୋଇଗଲା । ହାଡ଼ି ପଶିଲେ ଦ୍ଵିଜ, ବ୍ରାହ୍ମଣ ପଶିଲେ ବି ଦ୍ଵିଜ । ସେଥିପାଇଁ କୁଳାର୍ଣ୍ଣବ ତନ୍ତ୍ର କହେ –
“ପ୍ରବୃତ୍ତେ ଭୈରବୀ ଚକ୍ରେ ସର୍ବେ ବର୍ଣ୍ଣା ଦ୍ୱିଜାତାୟଃ ।
ନିବୃତ୍ତେ ଭୈରବୀ ଚକ୍ରେ ସର୍ବେ ବର୍ଣ୍ଣା ପୃଥକ୍ ପୃଥକ୍ ॥
“ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବ” ବୋଲି କହି ଜଗନ୍ନାଥଙ୍କୁ ପୁରୁଷ ଭାବେ ଦେଖାଇବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ସେ ହିଁ ଭୈରବୀ । ଶ୍ରୀ ମହାନ୍ତିଙ୍କ ଭାଷାରେ, “ଶ୍ରୀଜଗନ୍ନାଥ ପ୍ରଥମେ ତନ୍ତ୍ରର ନାୟିକା ମହାଶକ୍ତି ଭାବେ ପୂଜା ପାଉଥିଲେ (ତନ୍ତ୍ର ଶିରୋମଣି ଶ୍ରୀଜଗନ୍ନାଥ, ପୃ. ୨୬୬) । ତନ୍ତ୍ରର ନାୟିକା ଏହି ମହାଶକ୍ତି ଜଗନ୍ନାଥଙ୍କ ଜୀବନରେ ସେହି ସମସ୍ତ ଘଟଣା ଘଟେ ଯାହା ଘଟିଥାଏ ଗୋଟିଏ ମାଆର ଜୀବନରେ ବା ମାଆ ହେବାକୁ ସକ୍ଷମ ଘରଯୋଗ୍ୟା କନ୍ୟାର ଜୀବନରେ । ସ୍ନାନ ଯାତ୍ରା ଏହିପରି ଏକ ଘଟଣା ।
ଏହା କୃଷକୀୟ । ଏକ ଓଡ଼ିଆ କୃଷକ ଘରେ ଝିଅ ଘରଯୋଗ୍ୟା ହେଲେ ଯେଉଁ ସବୁ ବିଧିବିଧାନ ପାଳନ ହୁଏ ସେ ସମସ୍ତ ଅକ୍ଷରିକତଃ ପାଳିତ ହୋଇଥାଏ ଜଗନ୍ନାଥଙ୍କ ସ୍ନାନଯାତ୍ରା କାଳରେ । ଓଡ଼ିଆ କୃଷକ ଘରେ ଝିଅ ଯେତେବେଳେ ଘରଯୋଗ୍ୟା ହୁଏ, ଭେରୀ , କାହାଳୀ ଓ ଢୋଲ ବଜାଇ ତାହା ଜଣାଇ ଦିଆଯାଏ ସାରା ଗ୍ରାମକୁ । ଝିଅକୁ ଅଣତୁଠିଆ ପାଣିରେ ହଳଦୀ ଇତ୍ୟାଦି ନାନା ସ୍ଵାସ୍ଥ୍ୟକର ଉପାଦାନ ମିଶାଇ ତହିଁରେ ସ୍ନାନ କରାଇ ଏକ ଅଣଆଡ଼ିଆ ଘରେ ନିକାଞ୍ଚନରେ ରଖାଯାଏ । ଋତୁଚକ୍ର ଶେଷରେ ଶୁଦ୍ଧସ୍ନାନ କରାଇ ନବଯୌବନ ବନ୍ଦାପନା ହୁଏ । ଘରର ନିଜସ୍ୱ ଓ ନୈକଟ୍ୟସମ୍ପନ୍ନ ମହିଳା ସଦସ୍ୟମାନେ ଝିଅକୁ ବନ୍ଦାଣ କରନ୍ତି ଓ ଉପହାର ସହ ଆଶୀର୍ବାଦ ଦିଅନ୍ତି । ସାଙ୍ଗସାଥୀମାନେ ଥଟ୍ଟା ଟାପରା ବି କରନ୍ତି । ତା ପରେ ଚାଲେ ବରଖୋଜା । ମାତୃପ୍ରଧାନ ସମାଜରେ ନିଜେ ନିଜେ ନିଜର ବର ଖୋଜେ । ଯିଏ ତାହାକୁ ଘିଞ୍ଚିନେଇପାରେ ସେ ହୁଏ ତାହାର ।
ଜଗନ୍ନାଥଙ୍କର ଠିକ୍ ଏହା ହିଁ ହୁଏ । ସ୍ନାନଯାତ୍ରା ଦିନ ଅଣତୁଠିଆ ପାଣି ଆସେ ଯେଉଁ କୂଅରୁ କେହି କେବେ ପାଣି ନିଅନ୍ତିନି, ସେହି “ସୁନା କୂଅ”ରୁ । ସେଥିରେ ସର୍ବୌଷଧି ପକାଇ ସେହି ପାଣିରେ ସ୍ନାନ କରାଇ ତାଙ୍କୁ ନିଆଯାଏ ଅଣସର ଘରକୁ । ସେଠାରେ ନିକାଞ୍ଚନ କାଳ ଅତିବାହିତ କରିସାରିବା ପରେ ହୁଏ ନବଯୌବନ ଦର୍ଶନ । ଆରମ୍ଭ ହୁଏ ରଥଯାତ୍ରା । କାରଣ, ଯିଏ ତାଙ୍କୁ ଘିଞ୍ଚି ପାରିବ, ସେ ହେବେ ତାହାର ।
( ମୋ ଲିଖିତ “ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ, ଭାରତ ଭାରତୀ, କଟକ ୨୦୦୫, ପୃଷ୍ଠା ୧୭୭-୧୭୯)