କୃତଜ୍ଞତା ହିଁ ଅସ୍ମିତାର ପରିଚାୟକ, କୃତଘ୍ନତା ନୁହେଁ, ପ୍ରିୟ ଧର୍ମେନ୍ଦ୍ରବାବୁ ! ରେଭେନ୍ସା ନାମ ରାଜନୀତିର ଖେଳ ପଡ଼ିଆ ନହେଉ (ଭାଗ ୨ )
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପୂର୍ବଭାଗରେ କହିଛି ଯେ, ନ’ଙ୍କ ଦୁର୍ଭିକ୍ଷ ମୁଖବ୍ଯାଦାନ କରିସାରିଥିଲା, ଯେତେବେଳେ ଓଡ଼ିଆ ଜାତିର ସୌଭାଗ୍ଯକୁ ଓଡ଼ିଶା ଡିଭିଜନର ପଦାସୀନ କମିଶନର ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଥୋମାସ ଏଡ଼ୱାର୍ଡ ରେଭେନ୍ସା । ତାହା ନହୋଇଥିଲେ ଚରମ ଦୁର୍ଦ୍ଦଶା କବଳରେ ଓଡ଼ିଆ ଜାତିର ସର୍ବନାଶ ଅପରିହାର୍ଯ୍ୟ ଥିଲା ।
ସମୟର ପାଶ୍ଚାତଗତି ଯେହେତୁ ସମ୍ଭବ ନୁହେଁ, ସେହେତୁ ସେ ତୁରନ୍ତ ଏପରି କିଛି କାମ କରିଥିଲେ, ଯାହା ଓଡ଼ିଶାକୁ ସେପରି ଦୁର୍ବିପାକ କବଳରୁ ସ୍ଥାୟୀ ସୁରକ୍ଷା ପ୍ରଦାନ କରିପାରେ ।
ଦୁଃଖର କଥା, ଆମ ଭିତରେ ଏପରି କେତେକ ବନ୍ଧୁ ଅଛନ୍ତି ଯେଉଁମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି ନ’ଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସାଙ୍କୁ ଅଯଥାରେ ଦାୟୀ କରି ଓଡ଼ିଆ ଜାତି ମୁହଁରେ ନିଜ ଅଲକ୍ଷରେ ଉପରଠାଉରିଆମୀର କଳଙ୍କ ବୋଳୁଛନ୍ତି ! ତେଣୁ ସେମାନଙ୍କ ଅବଗତି ପାଇଁ ପ୍ରଥମଭାଗ ଅଧିକନ୍ତୁ ଦୁର୍ଭିକ୍ଷ ପ୍ରେକ୍ଷାପଟରେ ରେଭେନ୍ସାଙ୍କ କାମର ସାମାନ୍ଯ କିଛି ସୂଚନା ଦେଇ ଆଗକୁ ଆଗେଇବା ଯଥାର୍ଥ ହେବ ।
ମା ବାପ ଭୂମିକା
ଯେହେତୁ ସମୟକୁ ପଛକୁ ପେଲିବା ତାଙ୍କ ପକ୍ଷେ ସମ୍ଭବ ନଥିଲା, -କାହା ପକ୍ଷେ ବି ନୁହଁ – ସେହେତୁ ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କୁ ତତ୍କାଳ ଖାଦ୍ୟ ଓ ସାହାଯ୍ୟ ପ୍ରଦାନ ପାଇଁ ସେ ସେହି ସମସ୍ତ ପଦକ୍ଷେପ ନେଇଥିଲେ, ଯାହା କେବଳ ମା ବାପା ହିଁ ତାଙ୍କ ପିଲାଙ୍କ ଜୀବନରକ୍ଷା ସକାଶେ ନେଇପାରନ୍ତି । ସେଥିପାଇଁ ସେହି ସମୟର ପ୍ରତ୍ଯକ୍ଷଦର୍ଶୀ ବ୍ୟାସକବି ଫକିର ମୋହନ ସେନାପତି ଯଥାର୍ଥତଃ ତାଙ୍କୁ ଓଡ଼ିଆ ଜାତିର “ମା ବାପ” ଭାବେ ବନ୍ଦନା କରିଥିଲେ (ଉତ୍କଳ ଭ୍ରମଣ, ପୃ ୧୨ ) ।
ରେଭେନ୍ସା ଅନୁଭବ କରିଥିଲେ ଯେ, ଦୁର୍ଭିକ୍ଷ ଅଣାୟତ୍ତ ହେବା ମୂଳରେ ଥିଲା ବଙ୍ଗରୁ ଆସି ଓଡ଼ିଶା ଡିଭିଜନରେ ନିଯୁକ୍ତ ହୋଇଥିବା କର୍ମଚାରୀମାନଙ୍କ ହୀନମାନ୍ୟତା , ଦୁରଭିସନ୍ଧି ଓ ସ୍ଵାର୍ଥଲିପ୍ସା । ସ୍ମରଣଯୋଗ୍ୟ ଯେ, ଓଡ଼ିଶାରେ କର୍ମରତ ବଙ୍ଗାଳୀମାନଙ୍କୁ ଓଡ଼ିଆମାନଙ୍କ ପାଇଁ ମହାବିପତ୍ତି ଓ ସଂତ୍ରାସ ବୋଲି ଚିହ୍ନଟ କରିଥିଲେ କଟକ ଜିଲ୍ଲାପାଳ ଡବ୍ଲୁ ଟ୍ରୋୱର ୧୮୧୭ରେ ତାଙ୍କ ରିପୋର୍ଟରେ, ଯାହା ରାଜ୍ୟ ଅଭିଲେଖାଗାରରେ ସଂରକ୍ଷିତ ଅଛି ଓ ମୁଁ ପୂର୍ବଭାଗରେ ଉଲ୍ଲେଖ କରିଛି ।
ଯଦି ପ୍ରଶାସନିକକଳରେ କର୍ମରତ ବଙ୍ଗାଳୀମାନେ ଟ୍ରୋୱରଙ୍କ ଚିହ୍ନିତ ଚରିତ୍ରରେ ଭରପୁର ହୋଇ ରହିନଥାନ୍ତେ, ତେବେ ସେମାନେ ସମ୍ଭାବ୍ୟ ଦୁର୍ଭିକ୍ଷ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇପାରିଥାନ୍ତେ; କାରଣ ସେହିମାନେ ହିଁ ଥିଲେ ଇଂରେଜ ଶାସକଙ୍କ ଆଖି ଓ କାନ । ତା ହୋଇଥିଲେ ଯଥା ସମୟରେ ହସ୍ତକ୍ଷେପ ହୋଇପାରିଥାନ୍ତା ଓ ମରଣ ଏପରି ଭୟଙ୍କର ପ୍ରାଣଘାତୀ ତାଣ୍ଡବ ରଚିପାରିନଥାନ୍ତା । ତେଣୁ , ଅବସ୍ଥା ଆୟତ୍ତକୁ ଆଣିବା ପାଇଁ ସେ ବଙ୍ଗାଳୀକର୍ମଚାରୀମାନଙ୍କୁ ଦୁର୍ଭିକ୍ଷ ନିୟନ୍ତ୍ରଣରୁ ଯଥାସମ୍ଭବ ଦୂରେଇରଖି ନିଜ ଅଧୀନରେ ବିଭିନ୍ନ ପଦପଦବୀରେ ଥିବା ୭ ଜଣ ଇଂରେଜ ପଦାଧିକାରୀଙ୍କୁ ସେହି କାମରେ ନିୟୋଜିତ କରିଥିଲେ । ସେମାନେ ହେଲେ – ପୁରୀ ଜିଲ୍ଲାପାଳ ବର୍ଲୋ (Barlow), ବାଲେଶ୍ଵର ଜିଲ୍ଲାପାଳ ମସପ୍ରଟ୍ଟ (Muspratt), ଭଦ୍ରକର ସହକାରୀ ବିଚାରପତି ଶର୍ଟ୍ଟ (Shortt), ବାଲେଶ୍ଵର ସିଭିଲ୍ ସର୍ଜନ ଜ୍ୟାକସନ (Jackson), ଧମରାର ସହକାରୀ ସର୍ଭେୟର ହାରିସ (Harris) , ଖୋର୍ଦ୍ଧାର ସହକାରୀ ବିଚାରପତି ବର୍ଟନ (Barton) ଓ କର୍କଉଡ଼, (Kirkwood) ଯାହାଙ୍କୁ ରେଭେନ୍ସା ଉପରୋକ୍ତ ପଦାଧିକାରୀମାନଙ୍କ ସହ ସମନ୍ଵୟ ରଖି ରିଲିଫ ପରିଚାଳନା ନିର୍ଭୁଲ ଭାବେ ସମ୍ପାଦନ କରିବାର ଦାୟିତ୍ଵ ଦେଇଥିଲେ । ଶ୍ରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ବହିର ଇଂରାଜୀ ସଂସ୍କରଣ (A Time Elsewhere, p.151)ରେ ଥିବା ତଥ୍ୟ ଆନୁଯାୟୀ , କର୍କଉଡ଼ ମନପ୍ରାଣ ଦେଇ ରିଲିଫ ପରିଚାଳନା କାମରେ ଲାଗିଥିଲେ ଓ ଦୁର୍ଭିକ୍ଷ ସ୍ଥିତି କାବୁକୁ ଆସିବା ପରେ ମଧ୍ୟ ଦୁର୍ଗତ ଲୋକଙ୍କୁ ସେବାଦାନ କରିଚାଲିଥିଲେ । ତାଙ୍କ କାମରେ ଖୁସି ହୋଇ ରେଭେନ୍ସା ତାଙ୍କୁ ପଦାସୀନ ଯୁଗ୍ମ ବିଚାରପତି ମର୍ଯ୍ୟାଦା ପ୍ରଦାନ କରିଥିଲେ ।
ଓଡ଼ିଆଙ୍କ ପାଇଁ ରେଭେନ୍ସାଙ୍କ ସମ୍ମାନ
ସମୟ ଯଦିଓ ଓଡ଼ିଆମାନଙ୍କ ପାଇଁ ଦୁଃସହ ଦୁଃଖର ପ୍ଲାବନ ଖେଳାଇଦେଇଥିଲା ୧୮୬୫-୬୬ରେ, ରେଭେନ୍ସାଙ୍କ ରୂପରେ ଆଶୀର୍ବାଦର ଏକ କାଳଜୟୀ ଧାରା ବି ଟାଣି ଆଣିଥିଲା ଓଡ଼ିଶା ମାଟିକୁ । ଇଂରେଜ ଜାତିକୁ ସୁବିଦିତ ଥିବା ଓଡ଼ିଆ ଜାତିର ଦୁର୍ଦ୍ଧର୍ଷ ମିଜାଜ ଭୟରେ ଓଡ଼ିଶା ଆସିବାକୁ କୁଣ୍ଠିତ ଥିବା ସରଳସ୍ଵଭାବସମ୍ପନ୍ନ ରେଭେନ୍ସାଙ୍କ ହୃଦୟ “ମଲେ ପଛେ ମରିବୁ, ଛତ୍ରଖାଇବୁନି ” ପରି ଓଡ଼ିଆ ମାନସିକତା ପ୍ରତ୍ଯକ୍ଷ କରି ସ୍ବାଭିମାନୀ ଓଡ଼ିଆ ଜାତିର ସେହି ଦୁର୍ଦ୍ଧର୍ଷ ମିଜାଜ ପାଇଁ ସ୍ନେହ ଓ ସମ୍ମାନରେ ପରିପୂର୍ଣ୍ଣ ହୋଇଯାଇଥିଲା ।
ଦୁର୍ଭିକ୍ଷ ଉପରେ ଗଠିତ ତଦନ୍ତ କମିଶନ ଓଡ଼ିଆମାନଙ୍କ ମିଜାଜ ଉପରେ ଅନୁଶୀଳନ କରିଥିବା ଦେଖି ଆମୋଦିତ ହେବାକୁ ହୁଏ । ମନେହୁଏ, ଇଂରେଜମାନଙ୍କ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଖୋର୍ଦ୍ଧାରେ ଓଡ଼ିଆ ମିଜାଜର ଯେଉଁ ଝଲକ ଦେଖି ଭୀତତ୍ରସ୍ତ ହୋଇପଡ଼ିଥିଲା ସେହି ମିଜାଜ ସେମାନଙ୍କ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ଵ ଶାସନ କାଳରେ କେତେଦୂର ହ୍ରାସ ପାଇଥିଲା ତାହା ଦେଖିବା ଥିଲା ଏହି ଅନୁଶୀଳନର ଉଦ୍ଦେଶ୍ୟ ।
ପୁନରୁଲ୍ଲେଖ ଅନାବଶ୍ୟକ ଥିଲେ ମଧ୍ୟ ପ୍ରାସଙ୍ଗିକତା ଦୃଷ୍ଟିରୁ ସ୍ମରଣ କରାଯାଇପାରେ ଯେ, ଇଂରେଜମାନଙ୍କୁ ଖୋର୍ଦ୍ଧାରୁ କାଣୀକଉଡ଼ିଟିଏ ବି ରାଜସ୍ୱ ନମିଳିବାରୁ (“the disturbances having completely put a stop to the collection etc.”) କମିଶନର ରୋବର୍ଟ କେର୍ (Robert Ker) ଯୁଗ୍ମ ବିଚାରପତି ଡବ୍ଲୁ ଫରେଷ୍ଟର (W. Forrester )ଙ୍କଠାରୁ ସେଠିକା ସ୍ଥିତି ଉପରେ ଏକ ବ୍ୟାଖ୍ୟାତ୍ମକ ରିପୋର୍ଟ ମାଗିଥିଲେ । ତାଙ୍କୁ ୯.୯.୧୮୧୮ରେ ଦେଇଥିବା ରିପୋର୍ଟରେ ଫରେଷ୍ଟର କହିଥିଲେ, ଏ ମାଟିର ଗୁଣ ଓ ଏହାର ଅଧିବାସୀମାନଙ୍କ ମିଜାଜ ଏପରି ଅନମନୀୟ ଯେ, ସେନାବାହିନୀ ବା ପୋଲିସ ବଳରେ ସେମାନଙ୍କୁ ଦମନ କରିବା କେବେ ବି ସହଜ ହେବନାହିଁ (“the nature of the country and disposition of its inhabitants will always present formidable obstacle to the suppression of these disturbances either by military or by police.”) । ଏହି ବାସ୍ତବତା ଇଂରେଜମାନଙ୍କୁ ଏପରି ଭୟଭୀତ କରିଥିଲା ଯେ, ଯୁଦ୍ଧ ପରିବର୍ତ୍ତେ ଓଡ଼ିଆଙ୍କ ସହ ସନ୍ଧି ସ୍ଥାପନ କରିବାକୁ ସେମାନେ ଯାବତୀୟ କଳକୌଶଳ ପ୍ରୟୋଗ କରିଥିଲେ । ସେଥିରେ ସଫଳ ହେଲା ପରେ ଓଡ଼ିଆମାନଙ୍କ ଅନ୍ତର୍ନିହିତ ସଂହତିର କାରଣ ଜାଣିବାକୁ ଉଦ୍ୟମ କରିଥିଲେ ଇଂରେଜ କର୍ତ୍ତୃପକ୍ଷ ଓ ଦେଖିଥିଲେ, ଓଡ଼ିଆ ଭାଷା ହିଁ ସେମାନଙ୍କ ଅନ୍ତର୍ନିହିତ ସଂହତି ଓ ଯୌଥଶକ୍ତିର ସର୍ବଶ୍ରେଷ୍ଠ ଆଧାର । ଏହି ଆଧାରକୁ ଉଜାଡ଼ି ଦେବା ପାଇଁ ସେମାନେ କରାୟତ୍ତ କରିଥିବା ଓଡ଼ିଆଅଞ୍ଚଳଗୁଡ଼ିକୁ ସୀମାନ୍ତବର୍ତ୍ତୀ ଅଣଓଡ଼ିଆ ପ୍ରଦେଶମାନଙ୍କରେ ଖୁନ୍ଦି ରଖି ଏପରି ଶାସନ ଚଳାଇଲେ, ଯଦ୍ଦ୍ବାରା ସେହି ସେହି ପ୍ରଦେଶମାନଙ୍କରେ ଭାଷା ଭିତ୍ତିରେ ଓଡ଼ିଆମାନେ ହୋଇଯାଇଥିଲେ ସଂଖ୍ୟାଲଘୁ ଓ ଓଡ଼ିଆ ଜାତିର ଭାଷାକୈନ୍ଦ୍ରିକ ସଂହତି ଓ ଶକ୍ତି ଛାରଖାର ହୋଇଯାଇଥିଲା । ବହପ ପାଇ ତେଲୁଗୁଭାଷୀମାନେ ଦକ୍ଷିଣରେ, ହିନ୍ଦୀଭାଷୀମାନେ ଉତ୍ତର ଓ ପଶ୍ଚିମରେ ଏବଂ ବଙ୍ଗାଳୀମାନେ ମେଦିନୀପୁରରୁ ବାଲେଶ୍ଵର ଓ କଟକ ଦେଇ ପୁରୀ ଜିଲ୍ଲା ସମେତ ସମଗ୍ର ଅଞ୍ଚଳରେ ସେମାନଙ୍କ ଭାଷାଧିପତ୍ୟ ଚଳାଇଲେ ଓ ଓଡ଼ିଆଜାତି ସେମାନଙ୍କ ଚକ୍ରାନ୍ତ ହେତୁ ତଳିତଳାନ୍ତ ହୋଇଗଲା । ପଡ଼ୋଶୀ ପ୍ରଦେଶରେ ଖୁନ୍ଦା ନହୋଇ ଇଂରେଜଙ୍କ ପ୍ରତ୍ଯକ୍ଷ ଶାସନାଧୀନ ଥିବା ବାଲେଶ୍ଵର-କଟକ-ପୁରୀକୁ ନେଇ ଗଠିତ ଓଡ଼ିଶା ଡିଭିଜନର ସମସ୍ତ କାର୍ଯ୍ଯାଳୟରେ କର୍ମଚାରୀ ଥିଲେ ବଙ୍ଗାଳୀମାନେ, ଯେଉଁମାନେ ଓଡ଼ିଆମାନଙ୍କ ପାଇଁ ମହା ବିପତ୍ତି ଓ ସଂତ୍ରାସ ବନିଥିବା ଦର୍ଶାଇଥିଲେ କଟକ ଜିଲ୍ଲାପାଳ ଡବ୍ଲ୍ୟୁ. ଟ୍ରୋୱର (Revenue Administration in Orissa, W. Trower, Ms.Vol.387, Orissa Stare Archives) । ଏହି ସଂତ୍ରାସ କବଳରେ ପ୍ରାୟ ୬ ଦଶନ୍ଧି ଧରି ନିର୍ଯ୍ଯାତନା ଭୋଗିଥିବା ଓଡ଼ିଆମାନଙ୍କ ମିଜାଜ ତାର ତୀକ୍ଷ୍ଣତା ହରାଇଛି କି ନାହିଁ ତାହା ଜାଣିବାକୁ ଦୁର୍ଭିକ୍ଷ କମିଟି ଉଦ୍ୟମ କରିଥିବା ତାତ୍ପର୍ଯ୍ଯପୂର୍ଣ୍ଣ । ଯେଉଁ ଦୃଶ୍ୟପଟ କମିଟି ସମକ୍ଷକୁ ଆସିଲା, ତହିଁରୁ ଦେଖାଗଲା, ଘରେ ଉପାସ ରହି ମରୁଥିଲେ ପଛେ, ଓଡ଼ିଆମାନେ ରିଲିଫ ଶିବିରକୁ ଆସି ଛତ୍ର ଖାଇବାକୁ ପସନ୍ଦ କରୁନଥିଲେ । ଯଦି କେହି ଆସୁଥିଲା ସେ ଜାତିର ଯୌଥସତ୍ତାରୁ ବାଛନ୍ଦ ହୋଇଯାଉଥିଲା ।
ଏପରି ଅନମନୀୟ ମିଜାଜସମ୍ପନ୍ନ ଏହି ପ୍ରଚଣ୍ଡ ସ୍ବାଭିମାନୀ ଜାତି ପାଇଁ ରେଭେନ୍ସାଙ୍କ ସମ୍ମାନ ଅସୀମ ଥିଲା ।
ଏପରି ଏକ ସ୍ବାଭିମାନୀ ମହାର୍ହ ଜାତି ପ୍ରଶାସନିକ ସଂତ୍ରାସ , ମରୁଡ଼ି ଓ ବନ୍ୟା କବଳରେ ପଡ଼ି ଦୁର୍ଭିକ୍ଷ ଭୋଗିବା ରେଭେନ୍ସାଙ୍କୁ ଭୀଷଣ କଷ୍ଟ ଦେଇଥିଲା । ଭବିଷ୍ୟତରେ ଆଉ କେବେ ଯେପରି ଓଡ଼ିଆ ଜାତି ଏପରି ଦୁର୍ଭିକ୍ଷ ନଭୋଗେ, ସେଥିପାଇଁ ଜଳସେଚନ ତଥା ବନ୍ୟା ନିୟନ୍ତ୍ରଣ ପାଇଁ ସେ ଯେଉଁ ସମୟୋପଯୋଗୀ , ସମୟଭିତ୍ତିକ, ଐକାନ୍ତିକ ପଦକ୍ଷେପ ନେଇଥିଲେ, ତାହାର ଯତ୍ପରୋନାସ୍ତି ସଂକ୍ଷିପ୍ତ ସୂଚନା ଏହି ନିବନ୍ଧର ପ୍ରଥମ ଭାଗରେ ପ୍ରଦତ୍ତ ହୋଇଛି ।
କିନ୍ତୁ ସେତିକିରେ ସେ ସୀମିତ ନଥିଲେ । ପ୍ରଶାସନିକ କାର୍ଯ୍ଯାଳୟମାନଙ୍କରେ ବଙ୍ଗାଳୀଙ୍କ ସ୍ଥାନରେ ଓଡ଼ିଆମାନେ କାର୍ଯ୍ୟ କରିବା ଓ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଆସୀନ ହୋଇ ସେମାନେ ନିଜ ଜାତିର ସ୍ଵାର୍ଥ ସୁରକ୍ଷା ସକାଶେ ଯୋଗ୍ୟତା ହାସଲ କରିବାକୁ ଯେପରି ଆବଶ୍ୟକୀୟ ଶିକ୍ଷା ଅର୍ଜନ କରନ୍ତି, ତାହା ସୁନିଶ୍ଚିତ କରିବାକୁ ସେ ବ୍ଯାକୁଳ ହୋଇଉଠିଥିଲେ ।
ଓଡ଼ିଆ ଭାଷା ଏବଂ ଓଡ଼ିଶାରେ ଶିକ୍ଷା
ପ୍ରଶାସନରେ ବଙ୍ଗାଳୀମାନଙ୍କ ପ୍ରଭାବର ଅବସାନ ପାଇଁ ଓଡ଼ିଆମାନଙ୍କ ଭିତରେ ଶିକ୍ଷା ପ୍ରସାରଣକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ କମିଶନର ରେଭେନ୍ସା । ଏହି ବ୍ରତରେ ସେ ଏତେ ନିଷ୍ଠାର ସହ ନିମଜ୍ଜିତ ହୋଇଯାଇଥିଲେ ଯେ, ଅଭିସନ୍ଧିସମ୍ପନ୍ନ ବଙ୍ଗାଳୀମାନଙ୍କ ଆଖିରେ ସେ ହୋଇଯାଇଥିଲେ “ନିତାନ୍ତ ଗୋଟେ ଓଡ଼ିଆ” (“କମିଶ୍ନରଟା ନିତାନ୍ତ ଉଡ଼େ ହୟେଛେ”, ଉତ୍କଳ ଦୀପିକା ଭା ୮ ଗ , ସଂ ୧୨ ଖ୍ୟା, ୨୨.୩.୧୮୭୩) ।
ବଙ୍ଗାଳୀକର୍ମଚାରୀମାନଙ୍କ ଓଡ଼ିଆବିଦ୍ଵେଷ ଅନୁଭବ କରି ତହିଁର ନିରାକରଣ ପାଇଁ ଓଡ଼ିଆମାନଙ୍କ ଆବଶ୍ୟକୀୟ ଶିକ୍ଷାର୍ଜନ ସକାଶେ ତାଙ୍କଠି ଫୁଟିଉଠିଥିଲା ବେସାଲିସ୍ ବ୍ଯଗ୍ରତା । ତାଙ୍କର ଏହି ବ୍ୟଗ୍ରତାକୁ ବଙ୍ଗାଳୀ କର୍ମଚାରୀମାନେ ବ୍ୟର୍ଥ କରିବାକୁ ଚେଷ୍ଟା କରୁଥିଲେ । ତତ୍କାଳୀନ ଓଡ଼ିଶାର ସର୍ବାଧିକ ପାଠକପ୍ରିୟ ସଂବାଦପତ୍ର ‘ଉତ୍କଳ ଦୀପିକା’ରୁ ଆମେ ଏହାର ସୁରାକ ପାଉଁ , ଯଥା- “କମିଶ୍ନର ସାହେବ ଓଡ଼ିଆଙ୍କ ଉନ୍ନତି ସକାଶେ ସର୍ବଦା ଚେଷ୍ଟା କରୁଥିଲେ ହେଁ (ତାଙ୍କର) ସମସ୍ତ ଚେଷ୍ଟା ବଙ୍ଗଦେଶୀୟ କର୍ମଚାରିଙ୍କ ଦ୍ଵାରା ବିଫଳ ହେଉଛି” (ଉତ୍କଳ ଦୀପିକା, ଭା ୮ , ସଂଖ୍ୟା ୧୫, ତା ୨୯.୩.୧୮୭୩ ) । ବାସ୍ତବତାର ଏହି ସଂକ୍ଷିପ୍ତ ସୂଚନା ସହ ୧୮୧୮ରେ ବଙ୍ଗାଳୀ କର୍ମଚାରୀମାନଙ୍କୁ ଓଡ଼ିଶା ପାଇଁ ମହାବିପତ୍ତି ଓ ସଂତ୍ରାସ ବୋଲି କଟକ ଜିଲ୍ଲାପାଳ ଟ୍ରୋୱରଙ୍କ ପୂର୍ବୋଦ୍ଧୃତ୍ତ ଅଭିମତକୁ ମିଳାଇ ଅନୁଧ୍ୟାନ କଲେ ଦେଖାଯାଏ, ଇଂରେଜମାନଙ୍କ ଦେଶୀ ନୌକର (“native servants”) ସାଜି ବଙ୍ଗରୁ ଓଡ଼ିଶା ଆସିଥିବା ବଙ୍ଗାଳୀମାନେ ୧୮୧୭ରୁ ୧୮୭୩ ପର୍ଯ୍ଯନ୍ତ ଏହି ସୁଦୀର୍ଘ ସମୟ ଓଡ଼ିଆ ଜାତିକୁ ଅଧିକରୁ ଅଧିକ ବିପତ୍ତି କବଳକୁ ଠେଲିଠେଲି ଚାଲିଥିଲେ ।
ରେଭେନ୍ସାଙ୍କ ଉପରେ ମିଥ୍ୟା ଦୋଷାରୋପ କରି ଓଡ଼ିଆ ଜାତୀୟତାର ଫମ୍ପା ଆୱାଜ ତୋଳିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ ସମ୍ଭବତଃ ଆଦୌ ଜାଣନ୍ତିନାହିଁ ଯେ, ଚକ୍ରାନ୍ତକାରୀ ବଙ୍ଗାଳୀଙ୍କ କବଳରୁ ଓଡ଼ିଆ ଜାତିକୁ ରକ୍ଷା କରିବା ପାଇଁ ସେ ଓଡ଼ିଶାର ସ୍କୁଲ ସମୂହରେ ବଙ୍ଗାଳୀ ଛାତ୍ରଛାତ୍ରୀଙ୍କ ପରିବର୍ତ୍ତେ ଓଡ଼ିଆ ପିଲାମାନଙ୍କ ଅଧ୍ୟୟନ ପାଇଁ ଯେଉଁ ପଦକ୍ଷେପ ନେଇଥିଲେ , ସେପରି ପଦକ୍ଷେପ ତାଙ୍କ ପୂର୍ବରୁ କେହି ନେଇନଥିଲେ, ପରେ ବି କେହି ନେଇନାହାନ୍ତି । ବଙ୍ଗାଳୀମାନେ ଏଥିପାଇଁ ତାଙ୍କୁ ତୀବ୍ର ସମାଲୋଚନା କରୁଥିବା ପ୍ରେକ୍ଷାପଟରେ କଟକ ହାଇସ୍କୁଲ ସଭାକକ୍ଷରେ ଏକ ଭାଷଣ ଦେଇ ସେ କହିଥିଲେ,
ବଙ୍ଗାଳୀଙ୍କ ଶିକ୍ଷା ନିମିତ୍ତ ବଙ୍ଗଳାରେ ଯଥେଷ୍ଟ ସୁଯୋଗ ଅଛି । ଏଠା ବିଦ୍ୟାଳୟ କେବଳ ଏ ଦେଶୀୟଙ୍କ ସକାଶେ । ( ଉତ୍କଳ ଦୀପିକା ଭାଗ ୮ , ସଂଖ୍ୟା ୧୨, ୨୨.୩.୧୮୭୩ )
ଏହି “କେବଳ” ଶବ୍ଦଟି ହିଁ ଯଥେଷ୍ଟ ରେଭେନ୍ସାଙ୍କୁ ବୁଝିବା ପାଇଁ, ଯାହା ପ୍ରତି ଧର୍ମେନ୍ଦ୍ରବାବୁ ଓ ତାଙ୍କ ଅନ୍ଧ ସ୍ତାବକମାନେ ଧ୍ୟାନ ଦେବା ଉଚିତ ।
ସର୍ବାଗ୍ରେ ଓଡ଼ିଆ ସ୍ଵାର୍ଥ
“କେବଳ” ଓଡ଼ିଆ ଛାତ୍ରମାନେ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ନାମ ଲେଖାଇବା ଉପରେ ରେଭେନ୍ସା ଗୁରୁତ୍ଵ ଦେଇଥିଲେ, ସେତିକି ନୁହେଁ; ଅଧ୍ୟୟନ ପାଇଁ ସ୍କୁଲରେ ନାମ ଲେଖାଉଥିବା ଓଡ଼ିଆ ଛାତ୍ରମାନଙ୍କୁ ପୁରସ୍କାର ଦେଇ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା ମଧ୍ୟ ସେ ପ୍ରବର୍ତ୍ତନ କରିଥିଲେ ଓ ଏପରି ପ୍ରୋତ୍ସାହନ ସହ ଉପଯୁକ୍ତ ସହଯୋଗ କରିନଥିବା / ନକରୁଥିବା କୌଣସି ଓଡ଼ିଆ ଯେତେ ବିରାଟ ସାମାଜିକ ସମ୍ମାନର ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କୁ ତିରସ୍କାର କରିବାକୁ କୁଣ୍ଠାବୋଧ କରୁନଥିଲେ । ଏକ ଦୃଷ୍ଟାନ୍ତ-
ପୁରୀ ସ୍କୁଲରେ ଇଂରାଜୀ , ସଂସ୍କୃତ ଓ ଓଡ଼ିଆ ବିଷୟରେ ଅଧ୍ୟୟନରତ ଶିକ୍ଷାର୍ଥୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନୁଷ୍ଠିତ ହୋଇଥିଲା ପୁରସ୍କାର ବିତରଣ ଉତ୍ସବ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ରେଭେନ୍ସା ଅନୁରୋଧ କରିଥିଲେ ପୁରସ୍କାର ପାଣ୍ଠି ପ୍ରଦାନ କରିବାକୁ ଓ ଏହି ଉତ୍ସବରେ ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବାକୁ । ସମସ୍ତେ ଆସିଥିଲେ ମଧ୍ୟ ପୁରୀ ମହାରାଜା ନିଜେ ନ ଆସି ତାଙ୍କ ମୁକ୍ତାରଙ୍କ ହାତରେ ୪୦ ଟଙ୍କା ପଠାଇଥିଲେ । ଓଡ଼ିଆ ଭାଷା ଅସ୍ମିତାର ଯେଉଁ ବୀଜ ବପନ କରିସାରିଥିଲେ ରେଭେନ୍ସା, ତହିଁରେ ଉଦ୍ବୁଦ୍ଧ ହୋଇଥିବା ତଦାନୀନ୍ତନ ଡେପୁଟି କଲେକ୍ଟର ନନ୍ଦ ନନ୍ଦନ ଦାସ କହିଥିଲେ, ମହାରାଜା କୌଣସି ଟଙ୍କା ନଦେଇ ଯଦି ନିଜେ ଆସିଥାନ୍ତେ, ତେବେ ତାହା ଛାତ୍ର ଓ ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଉତ୍ସାହପ୍ରଦ ହୋଇଥାନ୍ତା ଓ ଆଗାମୀ ବର୍ଷ ସ୍କୁଲରେ ଛାତ୍ର ସଂଖ୍ୟା ଦ୍ଵିଗୁଣିତ ହେବା ସୁନିଶ୍ଚିତ ହୋଇଥାନ୍ତା । କିନ୍ତୁ ରେଭେନ୍ସା ଯାହା କହିଥିଲେ ତାହା ଥିଲା ଓଡ଼ିଆ ଜାତିର ସ୍ଵାର୍ଥ ସୁରକ୍ଷା ପାଇଁ ସାଲିସହୀନ ତେଜକ୍ଶ୍ରିୟତାର ଶବ୍ଦଶର । ଉତ୍କଳ ଦୀପିକାରେ ତାଙ୍କ ଭାଷଣର ଯେଉଁ ପ୍ରତ୍ଯକ୍ଷ ବିବରଣୀ ପ୍ରକାଶ ପାଇଥିଲା ତାର ଐତିହାସିକ ମୂଲ୍ୟ ଅମୂଲ୍ୟ । ନିମ୍ନରେ ତହିଁରୁ ସାମାନ୍ଯ ଉଦ୍ଧୃତ୍ତି :
“ଆମ୍ଭେ ଅତ୍ୟନ୍ତ ଦୁଃଖିତ ଯେ , ପୁରୀର ମହାରାଜା, ସଦ୍ବଂଶଜାତ, ସତ୍ବିଦ୍ୟାଧ୍ୟାୟୀ, ନ୍ୟାୟପରାୟଣ ବ୍ୟକ୍ତିମାନଙ୍କୁ ନିକଟରେ ନରଖି ନୀଚବଂଶଜ, ନୀଚାଶୟ , ଖୁସାମତିଆମାନଙ୍କ ଦ୍ଵାରା ପରିବେଷ୍ଟିତ ହୋଇରହିଛନ୍ତି । ଆମ୍ଭେ ନିରତିଶୟ ଦୁଃଖିତ ହେଲୁ ଯେ, ସେ ସ୍ଵୟଂ ଏପରି ହିତକର କାର୍ଯ୍ୟରେ ନ ଆସିଲେ । ଘର ମଧ୍ୟରେ ଦ୍ଵାର କିଳି ମହାରାଜା ବୋଲାଇଲେ କେହି ମହାରାଜା ହୁଅନ୍ତିନାହିଁ । ଆମ୍ଭେ ପ୍ରତ୍ୟାଶା କରୁ ଯେ, ଆଗାମୀ ବର୍ଷରେ ମହାରାଜା ସ୍ଵୟଂ ଅବଶ୍ୟ ଆସିବେ । ପୂର୍ବେ ରାଜା ବାଳକ ଥିଲେ । ଏବେ ପ୍ରାପ୍ତବୟସ୍କ ହେଲେଣି । ତଥାପି ଖୁସାମତିଆଙ୍କ ବାକ୍ୟରେ ଭୁଲୁ ଅଛନ୍ତି – ଏ ଅତି ନିନ୍ଦା କଥା।
ଯୁଦ୍ଧିଷ୍ଠିରାଦିଙ୍କଠାରୁ କି ପୁରୀ ମହାରାଜା ବଡ଼ ? ସେମାନେ ସର୍ବସାଧାରଣଙ୍କ ସମୀପରେ ବସୁଥିଲେ । ପୁରୀ ରାଜାଙ୍କର କି ଆପତ୍ତି? ପ୍ରତ୍ୟାଶା କରୁ, ମହାରାଜା ଭବିଷ୍ୟତରେ ସବୁ ପ୍ରଧାନ କାର୍ଯ୍ୟରେ ସ୍ଵୟଂ ଉପସ୍ଥିତ ହୋଇ ସାଧାରଣର ପ୍ରିୟଭାଜନ ହେବେ ।” ଉତ୍କଳ ଦୀପିକା, ଭାଗ ୮ , ସଂଖ୍ୟା ୧୫ , ୧୨.୪.୧୮୭୩ )
ପ୍ରଥମ ରିପୋର୍ଟରେ ହିଁ ଓଡ଼ିଶାରେ ଉଚ୍ଚ ଶିକ୍ଷା ପାଇଁ ପ୍ରାଥମିକତା
ଶ୍ରୀମତୀ ନିବେଦିତା ମହାନ୍ତିଙ୍କର ଏକ ଆଲୋକବର୍ଷୀ ନିବନ୍ଧର ଶୀର୍ଷକ “Ravenshaw College, Orissa’s Temple of Learning – 1868-2006″(RCOTL), ଯାହା ଏହି ମହାନ ଶିକ୍ଷାନୁଷ୍ଠାନ ଏକ ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ ହେବା ପର୍ଯ୍ୟନ୍ତ ୧୮୬୮ ରୁ ୨୦୦୬ କାଳଖଣ୍ଡର ପରିଧି ଭିତରେ ତାଙ୍କ ଗବେଷଣାର ଗ୍ରନ୍ଥାୟନ । ବିଭିନ୍ନ ମୌଳିକ ପ୍ରାମାଣିକ ତଥ୍ୟ ଉପରେ ଏହା ଆଧାରିତ । ଏତଦନୁଯାୟୀ, କାର୍ଯ୍ୟଭାର ଗ୍ରହଣ କରିବାର ଅଳ୍ପ କେଇମାସଠି ଓଡ଼ିଶାରେ ଉଚ୍ଚ ଶିକ୍ଷା ବିସ୍ତାର ପାଇଁ ରେଭେନ୍ସା ଉଦ୍ୟମ ଆରମ୍ଭ କରିଦେଇଥିଲେ । ୧୮୬୫ ସେପ୍ଟେମ୍ବରରେ (କହିବା ନିଷ୍ପ୍ରୟୋଜନ ଯେ, ସେବର୍ଷ ଜୁଲାଇରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ) ଓଡ଼ିଶାର ଶିକ୍ଷା ସ୍ଥିତି ଉପରେ ସରକାରଙ୍କୁ ସେ ଦେଇଥିବା ପ୍ରଥମ ରିପୋର୍ଟରେ ହିଁ ଓଡ଼ିଆମାନଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ଦେବାକୁ କଟକ ସ୍କୁଲକୁ କଲେଜିଏଟରେ ରୂପାନ୍ତରିତ କରି ଉଚ୍ଚଶିକ୍ଷା ପ୍ରବର୍ତ୍ତନ ଉପରେ ସେ ଗୁରୁତ୍ଵ ଦେଇଥିଲେ । ଉଚ୍ଚଶିକ୍ଷା ପାଇଁ କଲିକତା ଯିବା ଓଡ଼ିଆମାନଙ୍କ ରୁଚି ପ୍ରତିକୂଳ ହୋଇଥିବା ଦର୍ଶାଇ କଟକ ସ୍କୁଲରେ ଯଦି କଲେଜିଏଟ୍ ଶ୍ରେଣୀ ଖୋଲାଯାଏ ତାହା କିପରି ଉଚ୍ଚଶିକ୍ଷା ପଥରୁ ପ୍ରତିକୂଳତା ଅପସାରିତ କରିବ ଓ ଅଳ୍ପ ଖର୍ଚ୍ଚରେ କିପରି ତାହା ସମ୍ଭବପର ହେବ ସେକଥା ସେ ଯୁକ୍ତିସମୃଦ୍ଧ ଭାବେ ଉପସ୍ଥାପିତ କରିଥିଲେ । ସେବର୍ଷ ସମୁଦାଯ ୧୯ ଜଣ ଛାତ୍ର ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ; କଟକ ସ୍କୁଲରୁ ୧୦ ଜଣ ଓ ପୁରୀ ସ୍କୁଲରୁ ୯ ଜଣ ଉତ୍ତୀର୍ଣ୍ଣ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ କେବଳମାତ୍ର ୩ ଜଣ ଉଚ୍ଚ ଶିକ୍ଷା ପାଇଁ କଲିକତା ଯାଇଥିଲେ ଓ ସେହି ତିନିଜଣଙ୍କ ଭିତରେ ଜଣେ କେହି ଓଡ଼ିଆ ନଥିଲେ, ସମସ୍ତେ ଥିଲେ କେବଳ ବଙ୍ଗାଳୀ ବୋଲି ସେ ତହିଁର ପ୍ରେକ୍ଷାପଟ ସହ ଦର୍ଶାଇଥିଲେ । ଭିନ୍ନ ଭାବେ କହିଲେ, ଓଡ଼ିଶାରେ ଯଦି କଲେଜିଏଟ୍ ପାଠ୍ୟକ୍ରମ ଥାଆନ୍ତା, ତେବେ ସ୍କୁଲରୁ ଉତ୍ତୀର୍ଣ୍ଣ ସବୁ ଓଡ଼ିଆ ଶିକ୍ଷାର୍ଥୀ ଉଚ୍ଚତର ଅଧ୍ୟୟନ ପାଇଁ ସମର୍ଥ ହୋଇପାରିଥାନ୍ତେ ବୋଲି ସେ ଦର୍ଶାଇଥିଲେ ।
ତତ୍କାଳୀନ ଓଡ଼ିଆ ସ୍ଥିତି ଓ ରେଭେନ୍ସା
ସେହି ସମୟର ଓଡ଼ିଶାରେ ଶିକ୍ଷାର ଦୁଃସ୍ଥିତି ଓ ତହିଁର ସୁଧାର ପାଇଁ ରେଭେନ୍ସାଙ୍କ ଉପରେ ଓଡ଼ିଆଙ୍କ ଆସ୍ଥା ସ୍ଥାପନର ଏକ ପ୍ରାରମ୍ଭିକ ଚିତ୍ର ଆମକୁ ଉତ୍କଳ ଦୀପିକା (ଦୀପିକା)ରୁ ଉପଲବ୍ଧ ହୁଏ ।
ଓଡ଼ିଶା ସ୍କୁଲମାନଙ୍କ ‘ଦିପୋଟୀ ଇନ୍ସପେକ୍ଟର’ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା କରି ଦୀପିକା ଲେଖିଥିଲା –
“ବାବୁ କୈଳାସ ଚନ୍ଦ୍ର ତର୍କାଲଙ୍କାରଙ୍କ ମୃତ୍ୟୁ ହେବାରୁ ପୁରୀ ଓ ଅନୁଗୁଳ ଇଲାକା ସ୍କୁଲର ଦିପୋଟୀ ଇନ୍ସପେକ୍ଟରୀ କର୍ମରେ କେହି ବ୍ୟକ୍ତି ନିଯୁକ୍ତ ହୋଇନାହିଁ । ଉକ୍ତ ପଦରେ ଲୋକ ନିଯୁକ୍ତ କରିବାର ଅଧିକାର ଡାଇରେକ୍ଟରଙ୍କ ଠାରେ ଅଛି ଓ ତାହାଙ୍କ କଚେରୀ କଲିକତାରେ ଥିବାରୁ ସଚରାଚର କଲିକତାର ଲୋକ ଉକ୍ତ କର୍ମରେ ନିଯୁକ୍ତ ହୋଇ ଏ ଦେଶକୁ ଆସନ୍ତି । x x x x x x x ଏ ଯୋଗୁଁ ବଙ୍ଗ ଦେଶରୁ ଅଦ୍ୟାପି ଯେତେ ଦିପୋଟୀ ଇନ୍ସପେକ୍ଟର ଆସି ଅଛନ୍ତି କେହି ଉତ୍କଳଭାଷା ଉନ୍ନତି ବିଶୟରେ କିଛି ଚେଷ୍ଟା କରିନାହାନ୍ତି ବରଂ ଉତ୍କଳଭାଷା ପ୍ରକାରାନ୍ତରେ ମୋଫସଲ ସ୍କୁଲମାନଙ୍କରୁ ଉଠାଇ ଦେଇ ବଙ୍ଗ ଭାଷା ପ୍ରଚଳିତ କରୁଅଛନ୍ତି ।”
(ଉତ୍କଳ ଦୀପିକା, ଭାଗ ୧ , ସଂଖ୍ୟା ୫ , ୧.୯.୧୮୬୬ )
ବଙ୍ଗାଳୀମାନେ କଲିକତାରୁ ଦିପୋଟୀ ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଁ ଆସି ଆମ ରାଜ୍ୟରେ ଆମ ଭାଷାକୁ କିପରି ସ୍କୁଲ ପାଠ୍ୟକ୍ରମରୁ ବାହାର କରି ସେମାନଙ୍କ ଭାଷା କୋମଳମତି ଓଡ଼ିଆ ଶିଶୁଙ୍କ ଉପରେ ଲଦିବାରେ ଲାଗିଥିଲେ ତାହା ଏହିପରି ଭାବେ ଦର୍ଶାଇ, ଦୀପିକା ଲେଖିଥିଲା :
“ଆମ୍ଭମାନଙ୍କର ମାନସ ଏହି ଯେ ବର୍ତ୍ତମାନ କେତେକ କାଳ ପର୍ଯ୍ୟନ୍ତ ଉତ୍କଳ ଦେଶ ପାଇଁ ଦିପୋଟୀ ଇନ୍ସପେକ୍ଟର ନିଯୁକ୍ତ କରିବାର କ୍ଷମତା କମିଶ୍ନର ସାହେବଙ୍କଠାରେ ଅର୍ପଣ ହେଉ । ଆମର ବର୍ତ୍ତମାନର କମିଶ୍ନର ଶ୍ରୀଯୁତ ରେବନ୍ ସାହେବ ଏ ଦେଶର ଲୋକଙ୍କୁ ଶିକ୍ଷା ଦେବାକୁ ଯେ ରୂପ ଯତ୍ନ କରୁଅଛନ୍ତି ତାହା ସର୍ବତ୍ର ବିଦିତ ଓ ସ୍କୁଲରେ ଅଳ୍ପ କାଳ ହେଲା ଯେ ବକ୍ତୃତା ପ୍ରଦାନ କରିଥିଲେ ସେଥିରୁ ତହିଁର ବିଶେଷ ପ୍ରମାଣ ପ୍ରାପ୍ତ ହୋଇଅଛି । ଏହାଙ୍କ ହସ୍ତରେ ଉକ୍ତ ଭାର ଦିଆଗଲେ ଯେ ଏ ଉପଯୁକ୍ତ ଲୋକ ଦେଖି ନିଯୁକ୍ତ କରିବେ, ଏଥିରେ ଲେଶମାତ୍ର ଆମ୍ଭମାନଙ୍କର ସନ୍ଦେହ ହେଉନାହିଁ ।” (ଏଜନ)
ଅତଏବ, ଓଡ଼ିଆ ଜାତି ଅଙ୍ଗେ ଲିଭାଇଥିଲା ଯେ, କଲିକତାରେ ନିଯୁକ୍ତ ହୋଇ ବଙ୍ଗାଳୀମାନେ ଓଡ଼ିଶା ଆସି ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗୀୟ ଭାଷାର ପାଠ୍ୟକ୍ରମ ପ୍ରବର୍ତ୍ତନ କରି ଓଡ଼ିଶାର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ନେଉଛନ୍ତି । ଏହି ଅନୁଭୂତିର ଅନତିକ୍ରମ୍ୟ ଦୁର୍ଗ ଦୁଆରେ ଠିଆ ହୋଇ ଅସହାୟ ଓଡ଼ିଆ ଜାତି ସେଦିନ ରେଭେନ୍ସାଙ୍କୁ ହିଁ ତା’ର ସଙ୍କଟମୋଚନକାରୀ ଭାବେ ଘେନା କରିଥିଲା, କାରଣ ସେ ହିଁ ଥିଲେ ଓଡ଼ିଶାରେ ଓଡ଼ିଆ ଭାଷାରେ ଶିକ୍ଷା ପ୍ରସାରଣର ନିଷ୍କପଟ ପ୍ରବର୍ତ୍ତକ ।
ଓଡ଼ିଆ ଜାତୀୟତାର ପ୍ରଥମ ଉଦ୍ଦୀପକ ହିଁ ରେଭେନ୍ସା
ଓଡ଼ିଆମାନଙ୍କ ଶାସକ ନୁହେଁ , ନେତା ଓ ମୁଖପାତ୍ର ଭାବେ ସତେ ଯେମିତି ଉଭା ହୋଇଥିଲେ ରେଭେନ୍ସା । ସେ ଯୁକ୍ତି କରିଥିଲେ, ଯଦି ଓଡ଼ିଆମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ନହୁଅନ୍ତି, ତେବେ ଏପରିଭାବେ ଶିକ୍ଷା ବ୍ୟବସ୍ଥାର ପରିଚାଳନା ହେବା ଦରକାର ଯେପରି ଉଚ୍ଚ ଶିକ୍ଷା ପାଇଁ ସେମାନଙ୍କ ଆଗ୍ରହ ଉପୁଜିବ ।
ଏଥିପାଇଁ ଓଡ଼ିଶାରେ ଶିକ୍ଷାୟତନଗୁଡ଼ିକର ସଂଖ୍ୟାବୃଦ୍ଧି ଓ ତହିଁରେ ଓଡ଼ିଆରେ ଶିକ୍ଷାଦାନ ଉପରେ ସେ ଗୁରୁତ୍ଵ ଦେଇଥିଲେ ।
ଯଦି ନିମ୍ନବିଦ୍ୟାଳୟ ସ୍ତରରେ କେବଳ ଓଡ଼ିଆରେ ଶିକ୍ଷାଦାନ କରାହୋଇଥାନ୍ତା, ତେବେ ସାଧାରଣ ଲୋକଙ୍କ ଭିତରେ ଶିକ୍ଷାର୍ଜନ ପାଇଁ ବର୍ତ୍ତମାନଠୁ ଅଧିକ ଆଗ୍ରହ ପରିଲକ୍ଷିତ ହେଉଥାନ୍ତା ବୋଲି ସରକାରଙ୍କୁ ପ୍ରଦତ୍ତ ତାଙ୍କ ପ୍ରଥମ ଶିକ୍ଷା-ରିପୋର୍ଟରେ ସେ ଦର୍ଶାଇଥିଲେ । ( “were the Oriya language exclusively used in Orissa Schools, education would have found favour with the people than at present.” (ରେଭେନ୍ସା ଶତବାର୍ଷିକୀ ସ୍ମରଣିକା , ପୃ ୭)। ସବୁଠୁ ଅଧିକ ଉଲ୍ଲେଖନୀୟ ହେଲା, ଏହି ରିପୋର୍ଟପତ୍ରରେ (ସଂଖ୍ୟା ୩୬୯ , ତା ୧୨.୯.୧୮୬୫) ସମ୍ପୂର୍ଣ୍ଣତଃ ବଙ୍ଗଳା ପରିହାର କରି କେବଳ ଓଡ଼ିଆକୁ ଅଧ୍ୟୟନର ମାଧ୍ୟମ କରାଯିବା ଉପରେ ରେଭେନ୍ସାଙ୍କ ଗୁରୁତ୍ଵ (“Measures should be taken for introducing whereever possible Oorya books to the entire exclusion of the Bengalee.”)
ବଙ୍ଗ ସରକାରଙ୍କ ସଚିବଙ୍କୁ ୭.୮.୧୮୬୬ରେ ପୁନଶ୍ଚ ଏକ ଚିଠି (ସଂଖ୍ୟା ୬୩୩) ଲେଖି ରେଭେନ୍ସା ସରକାରୀ ସ୍କୁଲରେ କଲେଜିଏଟ୍ କ୍ଳାସ ଖୋଲା ହେବା ପାଇଁ ନିଜ ଅନୁରୋଧ ଦୋହରାଇଥିବା ଏହା ହିଁ ସାବ୍ୟସ୍ତ କରେ ଯେ, ଓଡ଼ିଶାରେ ଉଚ୍ଚ ଶିକ୍ଷା ବିସ୍ତାର ପାଇଁ ତାଙ୍କ ପ୍ରସ୍ତାବ ଆମ ଆଜିକା ଶିକ୍ଷାମନ୍ତ୍ରୀଙ୍କ ବଚନବିଳାସ ପରି ଉପରଠାଉରିଆ ନଥିଲା । ଦୁର୍ଭିକ୍ଷଜନୀତ ଦୁଃସହ ଦୁର୍ବିପାକରେ ଓଡ଼ିଶାବାସୀଙ୍କ ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ସଂକଟାପନ୍ନ ସ୍ଥିତିରେ ପହଞ୍ଚିଥିବା ହେତୁ ଓଡ଼ିଶାରେ ସର୍ବତ୍ର ସରକାରୀ ଖର୍ଚ୍ଚରେ ଶିକ୍ଷାୟତନ ସ୍ଥାପିତ ହେଉ ଓ ସେହି ଶିକ୍ଷାନୁଷ୍ଠାନମାନଙ୍କରେ ବଙ୍ଗଳାଭାଷା ପରିବର୍ତ୍ତେ କେବଳ ଓଡ଼ିଆରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଉ ବୋଲି ସେ ଯେଉଁ ଯୁକ୍ତି କରିଥିଲେ, ତାହା ହିଁ ଥିଲା ଓଡ଼ିଆ ଜାତିର ଜୀବନରେ ନବଯୁଗ ଆରମ୍ଭର ପ୍ରାରମ୍ଭିକ ସ୍ଵର ।
ପଡ଼ୋଶୀ ଅଣଓଡ଼ିଆ ପ୍ରଦେଶମାନଙ୍କରେ ଖୁନ୍ଦା ହୋଇଥିବା ଓଡ଼ିଆଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକତ୍ର କରି ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ରଖାଗଲେ ଓଡ଼ିଆମାନଙ୍କ ସମସ୍ତ ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବ ଓ ତଦ୍ଦ୍ଵାରା ସେମାନେ ଅଙ୍ଗେ ନିଭାଉଥିବା ନିର୍ଯ୍ୟାତନାରୁ ରକ୍ଷା ପାଇପାରିବେ ବୋଲି ଗଞ୍ଜାମର ଘୁମୁସରରେ ଯେଉଁ ପ୍ରଥମ ସ୍ଵର ଶୁଭିଥିଲା, ତାହାର ତାରିଖ ଥିଲା ୧୧.୯.୧୮୭୦ ( ଉତ୍କଳ ଦୀପିକା, ଭାଗ ୫ , ସଂଖ୍ୟା ୪୧ , ୨୨.୧୦.୧୮୭୦ ) । କିନ୍ତୁ ଓଡ଼ିଆ ଭାଷାରେ ଓଡ଼ିଆ ଜାତିର ଦାପ୍ତରିକ କାର୍ଯ୍ୟ ସମ୍ପାଦନ ସକାଶେ ଓଡ଼ିଆ ଜାତିକୁ ସମର୍ଥ କରିବା ପାଇଁ ଓଡ଼ିଶାରେ ସ୍ଥାପିତ ଶିକ୍ଷାୟତନମାନଙ୍କରେ “କେବଳ” ଓଡ଼ିଆଭାଷାରେ ଶିକ୍ଷାଦାନ ପାଇଁ ଏହାର ପାଞ୍ଚ ବର୍ଷ ପୂର୍ବରୁ ଯଦି କେହି ସ୍ଵର ତୋଳିଥିଲେ , ସେ ଥିଲେ କେବଳ କମିଶନର ରେଭେନ୍ସା (ପୂର୍ବୋଦ୍ଧୃତ୍ତ ପତ୍ର , ସଂଖ୍ୟା ୩୬୯ , ତା ୧୨.୯.୧୮୬୫)।
ଓଡ଼ିଶାରେ ପାଠ୍ୟକ୍ରମର ଭାଷା ବଙ୍ଗଳା ପରିବର୍ତ୍ତେ ଓଡ଼ିଆ କରିବାକୁ ରେଭେନ୍ସାଙ୍କ କଥାରେ ବଙ୍ଗ ସରକାର ରାଜି ହୋଇଗଲା ପରେ ଏହି ଡିଭିଜନରେ କର୍ମରତ ବଙ୍ଗାଳୀମାନଙ୍କ ଛାତିରେ ଛନକା ପଶିଗଲା । ତେଣୁ ସେମାନେ ନିଜ ସ୍ଵାର୍ଥ ରକ୍ଷା ପାଇଁ ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ , ବରଂ ତାଙ୍କ ଭାଷାର ଏକ ଉପଭାଷା ବୋଲି ଗୋଟାଏ ଧ୍ଵସ୍ତପ୍ରଜ୍ଞ ଦୁହା ତୋଳିଥିଲେ । ବଙ୍ଗାଳୀଙ୍କ ଏହି କୁତ୍ସିତ ଦୁରଭିସନ୍ଧିର ପ୍ରତିବାଦରେ ଓଡ଼ିଶାର ସାହିତ୍ୟିକ ଓ ଗଣମାଧ୍ୟମମାନେ କିପରି ଓଡ଼ିଆ ଭାଷାର ମୌଳିକତା ଏବଂ ସାରସ୍ଵତ ବୈଶିଷ୍ଟ୍ୟ ଓ ବୈଭବ ପ୍ରତିଷ୍ଠିତ କରିବାକୁ ଦିବାରାତ୍ର ଲାଗିଗଲେ, ତହିଁର ବିସ୍ତିର୍ଣ୍ଣ ପ୍ରାମାଣିକ ଚିତ୍ର ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ “ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ” ପୁସ୍ତକରେ ଲିପିବଦ୍ଧ । ଶ୍ରୀମତୀ ମହାନ୍ତି ଲେଖିଛନ୍ତି (RCOTL,P. 43), ଓଡ଼ିଆ ଭାଷା ପରିବର୍ତ୍ତେ, ପୁନଶ୍ଚ ବଙ୍ଗଳା ଚଳିବାକୁ ଉଠିଥିବା ଚକ୍ରାନ୍ତମୂଳକ ସ୍ଵର ବିରୁଦ୍ଧରେ ଓଡ଼ିଆମାନଙ୍କ ସ୍ଵର ସହ ସ୍ଵର ମିଳାଇଥିଲେ ରେଭେନ୍ସା, ଯେ କି ଓଡ଼ିଆ ଭାଷାକୁ ଓଡ଼ିଆ ଜାତିର ଜାତୀୟ ଭାଷା ବୋଲି ଦର୍ଶାଇ ଓଡ଼ିଆ ଜାତିର ଭାଷା ଅଧିକାରକୁ ଯୋଗାଇ ଚାଲିଥିଲେ ଶକ୍ତି, ଯାହା ଫଳରେ ଓଡ଼ିଆ ସଂସ୍କୃତିକୁ କବଳିତ କରିବାକୁ ସୃଷ୍ଟି ହୋଇଥିବା ବଙ୍ଗାଳୀ ଷଡ଼ଯନ୍ତ୍ର ବ୍ୟର୍ଥ ହୋଇଯାଇଥିଲା । କିନ୍ତୁ, ପରବର୍ତ୍ତୀ ସମୟରେ ନିଜର ପରିଚୟ ଭିତ୍ତିରେ ସ୍ଵତନ୍ତ୍ର ପ୍ରଦେଶ ପାଇଁ ଯେଉଁ ଦାବି ଉଠିଲା ତାହା ‘ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ’ ଦୁହା ବିରୁଦ୍ଧରେ ପରିସୃଷ୍ଟ ଏହି ଭାଷାଯୁଦ୍ଧରୁ ଶକ୍ତି ପାଇଥିଲା ବୋଲି ଶ୍ରୀମତୀ ମହାନ୍ତି ରଖିଥିବା ଅଭିମତ ଅସତ୍ୟ ନହୋଇଥିଲେ ମଧ୍ୟ ସଂପୂର୍ଣ୍ଣ ସତ୍ୟ ନୁହେଁ । ସତ୍ୟ ହେଲା, ଓଡ଼ିଆଭାଷାଜାତୀୟତାର ଯେଉଁ ଅଙ୍କୁରୋଦ୍ଗମ ଘଟାଇଥିଲେ ରେଭେନ୍ସା ଓଡ଼ିଶାର ବିଦ୍ୟାଳୟମାନଙ୍କରେ “କେବଳ” ଓଡ଼ିଆ ପିଲାମାନେ ଅଧ୍ୟୟନ କରିବା ଉପରେ ଗୁରୁତ୍ଵ ଦେଇ, ତାହାହିଁ ପଲ୍ଲବିତ ହୋଇ ଓଡ଼ିଆ ଜାତିକୁ ତା’ର ଭାଷାଜାତୀୟତାର ଭିତ୍ତି ଉପରେ ସ୍ଵତନ୍ତ୍ର ରାଜ୍ୟ ଦାବି କରିବାକୁ ଉଦ୍ବୁଦ୍ଧ କରିଥିଲା ଓ ଓଡ଼ିଆ ଜାତି ଯେତେବେଳେ ରେଭେନ୍ସାଙ୍କ ହେତୁ ତା’ର ଭାଷାଜାତୀୟତା ସମ୍ପର୍କରେ ସଚେତନ ହୋଇଉଠିଥିଲା, ସେତିକିବେଳେ ରେଭେନ୍ସାଙ୍କ ନିଷ୍ପତ୍ତି ବ୍ୟର୍ଥ କରିବା ପାଇଁ ଷଡ଼ଯନ୍ତ୍ର କରି ଓଡ଼ିଆ ଭାଷାର ସ୍ଵତନ୍ତ୍ର ପରିଚୟ ନଷ୍ଟ କରିବାକୁ କତିପୟ ଉତ୍ପାତିଆ ବଙ୍ଗାଳୀ ଯେଉଁ କୁହାଟ ଛାଡ଼ିଲେ, ତାହା ହିଁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଦାବି ପାଇଁ ଇନ୍ଧନ ଯୋଗାଇଥିଲା । ଏହି ପ୍ରେକ୍ଷାପଟରେ ରେଭେନ୍ସାଙ୍କୁ ଆମ ପରାଧୀନତାର ସେହି ଘୋର ତମସାଚ୍ଛନ୍ନ କାଳଖଣ୍ଡରେ ଓଡ଼ିଆ ଜାତୀୟତାର ପ୍ରଥମ ଉଦ୍ଦୀପକ ବୋଲି ମୁଁ ନିଃସଙ୍କୋଚ କହିପାରେ ।
ଶିକ୍ଷାରେ ଓଡ଼ିଆ ପାଇଁ ରେଭେନ୍ସାଙ୍କ ସଂଗ୍ରାମ
ଆମେ ଦେଖୁଁ , ଓଡ଼ିଆ ଭାଷାରେ ଓଡ଼ିଆ ଜାତିର ଶିକ୍ଷାଧିକାର ପାଇଁ ଶ୍ରୀ ରେଭେନ୍ସା ଇଂରେଜ ପଦଧିକାରୀମାନଙ୍କ ସହ ନୀତିନିଷ୍ଠ ବୌଦ୍ଧିକ ସଂଗ୍ରାମ କରିଛନ୍ତି । ବେସାଲିସ୍ । ତାଙ୍କ ଭିନ୍ନ ଓଡ଼ିଆ ଜାତି ପାଇଁ ଏପରି ଅକ୍ଲାନ୍ତ ସଂଗ୍ରାମ କୌଣସି ବିଦେଶୀ କରିନଥିଲେ ; କରି ବି ନାହାନ୍ତି ।
ଆଜି ଯେତେବେଳେ ୨୦୨୪ରେ ମଧ୍ୟ ଭାଷା ଅଧିକାର ପାଇଁ ଆମକୁ ଆନ୍ଦୋଳନ କରିବାକୁ ପଡୁଛି – ଅଧ୍ୟାପକ ଡଃ ସୁରେଶ ଚନ୍ଦ୍ର ରାଜହଂସଙ୍କ ଭାଷାରେ , “ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ଭାଷା ଆନ୍ଦୋଳନ’ ନାମରେ ୧୩.୪.୨୦୧୬ ତାରିଖଠାରୁ କଳାପତାକା ଅଭିଯାନ ଶାନ୍ତିପୂର୍ଣ୍ଣ ଉପାୟରେ ଏପର୍ଯ୍ୟନ୍ତ ଚାଲୁ ରହିଛି” (ଓଡ଼ିଆ ଅସ୍ମିତା ସୁରକ୍ଷାରେ ଭାଷା ଆନ୍ଦୋଳନ, ପୃ. ୩୧୦), ଏବଂ ସମଗ୍ର ଓଡ଼ିଶା ଏହି ଆନ୍ଦୋଳନକୁ ସମର୍ଥନ କରିଥିବା ସତ୍ତ୍ୱେ ଅଣଓଡ଼ିଆ କର୍ମଚାରୀମାନଙ୍କ ପ୍ରଭାବବଳୟରେ ଥିବା ଜଣେ ଇଂରାଜୀମନସ୍କ ମୁଖ୍ୟମନ୍ତ୍ରୀ ୧୯୫୪ ରେ ପ୍ରଣୀତ ଓ ପ୍ରବର୍ତ୍ତିତ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ (The Orissa Official Language Act)କୁ ଅକର୍ମଣ୍ୟ କରିଦେବା ମତଲବରେ ୨୦୧୬ ଓ ୨୦୧୮ରେ ବିଧାନ ପ୍ରଣୟନ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରି ଏହାର ଅପସଂଶୋଧନ କରିଥିବା ଜାଣି ମଧ୍ୟ ଓଡ଼ିଶାର କୌଣସି ଜଣେହେଲେ ମନ୍ତ୍ରୀ ବା ବିଧାୟକ ତହିଁର ପ୍ରତିବାଦ କରିବାକୁ ସାହସ ବି କରିପାରିନଥିଲେ ଓ ତାଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଗତ ଶହେ ଦିନରୁ ଉର୍ଦ୍ଧ୍ଵକାଳ କ୍ଷମତା ଉପଭୋଗ କରିସାରିଥିଲେ ମଧ୍ୟ, ନବୀନ ପଟ୍ଟନାୟକ ଦେଇଥିବା ମରଣଆଘାତ ଦ୍ଵାରା ଅଚଳ ହୋଇ ପଡ଼ିଥିବା ଭାଷା ଆଇନକୁ ସଚଳ କରିବା ପାଇଁ ତହିଁର ନିର୍ଭୁଲ ସଂଶୋଧନ ସକାଶେ ଏଯାଏଁ ବି ସମର୍ଥ ହୋଇନାହାନ୍ତି, ସେତେବେଳେ ଆଜକୁ ୧୫୯ ବର୍ଷ ତଳେ, ଓଡ଼ିଆ ଭାଷାକୁ ଓଡ଼ିଶାରେ ପାଠ୍ୟକ୍ରମ ତଥା କାର୍ଯ୍ୟକ୍ରମର ଭାଷା କରାଇବା ପାଇଁ ଇଂରେଜ ସରକାର ଓ ତାଙ୍କ ବଙ୍ଗାଳୀ କର୍ମଚାରୀମାନଙ୍କ ଓଡ଼ିଆ ବିଦ୍ଵେଷ ବିରୁଦ୍ଧରେ କମିଶନର ରେଭେନ୍ସାଙ୍କୁ କି ଯେ କଷ୍ଟକର ସଂଗ୍ରାମ କରିବାକୁ ପଡ଼ିଥିଲା, ତାହା ଚିନ୍ତା କଲେ ହିଁ ତାଙ୍କ ପାଇଁ ଶ୍ରଦ୍ଧାରେ ଆମ ମଥା ନତ ହୋଇଯାଉଛି । ଉପରଠାଉରିଆ ଭାବେ ଓଡ଼ିଆ ଜାତିର ଅସ୍ମିତା କଥା କହୁଥିବା ଅଥଚ ଭାଷା ଆଇନରେ ନବୀନ ପଟ୍ଟନାୟକଙ୍କ ଜାଲିଆତିକୁ ସହ୍ୟ କରିଚାଲିଥିବା ବିଜେପି ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ ସେହି ରେଭେନ୍ସାଙ୍କୁ ସମ୍ମାନ ଜଣାଇବା ପରିବର୍ତ୍ତେ ତିରସ୍କାର କରିଛନ୍ତି- ଏହା ଆମ ପାଇଁ ଅତ୍ୟନ୍ତ ଲଜ୍ଜାର କଥା ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ତାଙ୍କ ସତୀର୍ଥମାନଙ୍କ ଜାଣିବା ପାଇଁ ରେଭେନ୍ସାଙ୍କ ସଂଗ୍ରାମ ପ୍ରସଙ୍ଗକୁ ଫେରିବା । ତାଙ୍କ ପୂର୍ବୋଦ୍ଧୃତ୍ତ ପ୍ରଥମ ଶିକ୍ଷା-ରିପୋର୍ଟ ଇଂରେଜ ସରକାରଙ୍କ ପାଖରେ ପହଞ୍ଚିବାର ପ୍ରାୟ ତିନିବର୍ଷ ପରେ ଏବଂ ରେଭେନ୍ସାଙ୍କ ବାରମ୍ବାର ଚାପ ପ୍ରୟୋଗ ଫଳରେ ବଙ୍ଗ ରାଜ୍ୟପାଳ ଓଡ଼ିଶାର ସ୍କୁଲ ସମୂହରେ ବିଦ୍ୟାଦାନର ଭାଷା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ସେହି ଅବସରରେ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ବଙ୍ଗଳା କି ଓଡ଼ିଆ – ଏହା ଉପରେ ପ୍ରଶାସନିକ ଟିପ୍ପଣୀ ସ୍ଵାଭାବିକ ଥିଲା । ତଦାନୀନ୍ତନ ସ୍କୁଲ ପରିଦର୍ଶକ ଆର୍. ଏଲ୍. ମାର୍ଟିନ୍ ଶିକ୍ଷାର ମାଧ୍ୟମ କେବଳ ଓଡ଼ିଆ ନ ହୋଇ ଓଡ଼ିଆ ବା ବଙ୍ଗଳା ହେବା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଏହି ମତକୁ ପ୍ରତ୍ୟାଖ୍ୟାନ କରି ରେଭେନ୍ସା କହିଥିଲେ, ଏପରି ଇଚ୍ଛାଧିକାର ପ୍ରଦାନ କରାଗଲେ ଓଡ଼ିଶାରେ ଶିକ୍ଷାୟତନ ସୃଷ୍ଟି କରାଯିବାର ମୂଳ ଉଦ୍ଦେଶ୍ୟ – ଶିକ୍ଷାରେ ଓଡ଼ିଆ – ବ୍ୟର୍ଥ ହେବ, କାରଣ, ବଙ୍ଗୀୟ ପ୍ରବୃତ୍ତି ତା’ର କୁପ୍ରଭାବ କାଏମ ରଖିବ (“There will be, if option be permitted, a constant leaning towards Bengalee, which will be detrimental to the fundamental point to be kept in view, viz, the education of the Ooriyas.” – RCOTL,P. 41).
ଯୁକ୍ତି ଥିଲା ଯେ, ବଙ୍ଗଳା ଭାଷାରେ ପାଠ୍ୟପୁସ୍ତକ ଯାହାକୁଯେତେ ଉପଲଭ୍ୟ ଥିବା ବେଳେ ଓଡ଼ିଆ ଭାଷାରେ ତହିଁର ଘୋର ଅଭାବ ଥିବାରୁ ଓଡ଼ିଆରେ ପାଠ୍ୟକ୍ରମ ଓଡ଼ିଶାରେ ଶିକ୍ଷା ବିସ୍ତାରରେ ବାଧା ଉପୁଜାଇବ । ଏପରି ଯୁକ୍ତିକୁ ଅଗ୍ରାହ୍ୟ କରି ରେଭେନ୍ସା କହିଥିଲେ, ଯେଉଁଯାଏଁ ଓଡ଼ିଶାର ସ୍କୁଲମାନଙ୍କର ସମସ୍ତ ଓ ପ୍ରତ୍ଯେକ ସୋପାନରେ ଶିକ୍ଷାର ମାଧ୍ୟମ ଭାବେ ଓଡ଼ିଆ ଭାଷା ଅପରିହାର୍ଯ୍ୟ ନହୋଇଛି, ସେଯାଏଁ ଓଡ଼ିଆ ପାଠ୍ୟ ସାହିତ୍ୟରେ ଆବଶ୍ୟକୀୟ ସର୍ଜନା ସମ୍ଭବ ହେବ ବୋଲି ଆଶା କରାଯାଇନପାରେ । ଥରେ ସ୍କୁଲ ଶିକ୍ଷାର ମାଧ୍ୟମ ଭାବେ ଓଡ଼ିଆ ସୁନିଶ୍ଚିତ ହୋଇଗଲା ପରେ, ଓଡ଼ିଆକୁ ଅନୁଦିତ ଓ ଓଡ଼ିଆରେ ଲିଖିତ ପାଠ୍ୟପୁସ୍ତକର ଅଭାବ ରହିବ ନାହିଁ ଓ ପାଠ୍ୟ ସାହିତ୍ୟରେ ଏହା ବଂଗଳାର ସମକକ୍ଷ ହୋଇଯିବ ।
ସେ କହିଥିଲେ, ଓଡ଼ିଆମାନଙ୍କୁ ସେମାନଙ୍କ ନିଜ ଭାଷାରେ ଶିକ୍ଷାର୍ଜନର ସୁବିଧା ଦିଆଯାଇଥିଲେ ଓଡ଼ିଶାରେ ଯେଉଁ ସମସ୍ତ ମୁଲ୍ଯବାନ ପଦପଦବୀ ବଙ୍ଗାଳୀମାନେ ମାଡ଼ିବସିଛନ୍ତି , ସେ ସବୁରେ ଓଡ଼ିଆମାନେ ହିଁ ଅଧିଷ୍ଠିତ ଥାନ୍ତେ । ଶ୍ରୀମତୀ ମହାନ୍ତିଙ୍କ ପୁସ୍ତକରୁ ରେଭେନ୍ସାଙ୍କ ଅଭିବ୍ୟକ୍ତି ଉଦ୍ଧୃତ୍ତ କରିବାର ଲୋଭ ମୁଁ ସମ୍ଭରଣ କରିପାରୁନି – “The Bengalees have usurped the lucrative employments in the country which would have fallen to the indigenous Ooriyas, had they been afforded an opportunity of advance education in their own language.”
ଏ ହେଉଛି ଓଡ଼ିଆ ଭାଷାରେ ଓଡ଼ିଆ ଜାତିର କାର୍ଯ୍ୟ ପରିଚାଳନା ପାଇଁ ୧୮୭୦ ସେପ୍ଟେମ୍ବରରେ ଗଞ୍ଜାମର ଘୁମୁସରରେ ଓଡ଼ିଆ ଜାତିର ପ୍ରଥମ ଯୌଥ ଚେତନା ପ୍ରକଟ ହେବାର ପାଞ୍ଚ ବର୍ଷ ପୂର୍ବରୁ ଓଡ଼ିଆ ଭାଷାରେ ଓଡ଼ିଶା କିପରି ଚାଲିପାରିବ, ତା ପାଇଁ ରେଭେନ୍ସାଙ୍କ ଭାବନା ଓ ସଂଗ୍ରାମର ସ୍ଵର । ସେ ସତକୁ ସତ ନିଜ ସରକାରଙ୍କ ବ୍ୟବସ୍ଥା ବିରୁଦ୍ଧରେ ବାଚନିକ ଓ ଲିଖିତ ସଂଗ୍ରାମ କରିଥିଲେ ଓଡ଼ିଆ ଜାତିର ସ୍ଵାର୍ଥ ପାଇଁ ।
ଯେଉଁମାନେ ରେଭେନ୍ସାଙ୍କ ଉପରେ ଅଯଥା ବିବାଦ ଉପୁଜାଉଛନ୍ତି, ସେମାନେ ଜାଣିବା ଉଚିତ ଯେ, ତଦାନୀନ୍ତନ ଶିକ୍ଷା ନିର୍ଦ୍ଦେଶକ (DPI) ଅତ୍କିଂସନ (W.S.Atkinson) ସ୍କୁଲ ପରିଦର୍ଶକ ମାର୍ଟିନ (R. L.Martin)ଙ୍କ ସହ ଏକମତ ହୋଇ ଓଡ଼ିଶାରେ ଓଡ଼ିଆ ପାଠ୍ୟପୁସ୍ତକର ଅଭାବ ଥିବା ହେତୁ ବଙ୍ଗଳା ଭାଷାରେ ପାଠ୍ୟକ୍ରମ କାଏମ ରହିବା ସପକ୍ଷରେ ମତ ଦେଇଥିବା ସତ୍ତ୍ୱେ ଓଡ଼ିଶାରେ ଓଡ଼ିଆ ପାଠ୍ୟକ୍ରମ ସପକ୍ଷରେ ବଙ୍ଗ ରାଜ୍ୟପାଳ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ମୂଳରେ ଥିଲା ରେଭେନ୍ସାଙ୍କ ବାସ୍ତବ ଯୁକ୍ତି ଓ ନିରବଚ୍ଛିନ୍ନ ପ୍ରଚେଷ୍ଟା । ଓଡ଼ିଶାର ସ୍କୁଲଗୁଡ଼ିକରେ ଓଡ଼ିଆ ଭାଷା ସଂପୂର୍ଣ୍ଣ ଉତ୍ଖାତ ହୋଇ ରହିଥିବା ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଥିବା ହେତୁ ରେଭେନ୍ସାଙ୍କୁ ପ୍ରଭୂତ ପ୍ରଶଂସା କରି ରାଜ୍ୟପାଳ କହିଥିଲେ, କେବଳ ଓଡ଼ିଆ ଭାଷାରେ ପାଠ୍ୟକ୍ରମ ପ୍ରବର୍ତ୍ତନ ପାଇଁ କମିଶନରଙ୍କ ଇଚ୍ଛା ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ହେବା କଠିନ ହୋଇପାରେ, କିନ୍ତୁ ସରକାର ତାଙ୍କ ସହ ଏକମତ ଯେ, , ଓଡ଼ିଶାର ସମସ୍ତ ସ୍କୁଲରେ ଓଡ଼ିଆ ଭାଷାରେ ହିଁ ପାଠ୍ୟକ୍ରମ ପ୍ରବର୍ତ୍ତିତ ହେଉ (ରେଭେନ୍ସା କଲେଜ ଶତବାର୍ଷିକୀ ସ୍ମରଣିକା -RCCS ) ।
ବଙ୍ଗଳା ଭାଷା ହଟାଅ, ବଙ୍ଗାଳୀଙ୍କୁ ତଡ଼
ଓଡ଼ିଆ ଜାତିର ସ୍ଵାର୍ଥ ସୁରକ୍ଷା ପାଇଁ ସେ ଏତେ ବ୍ଯାକୁଳ ଥିଲେ ଯେ, ଓଡ଼ିଶାର ଶିକ୍ଷାକ୍ଷେତ୍ରରୁ ବଙ୍ଗଳା ଭାଷା ଓ ବଙ୍ଗାଳୀଙ୍କୁ ତଡ଼ିବା ପାଇଁ ରେଭେନ୍ସା ତାଙ୍କ କ୍ଷମତା ପ୍ରୟୋଗ କରିବାକୁ ପଶ୍ଚାତ୍ପଦ ବି ହୋଇନଥିଲେ । ତାଙ୍କ କ୍ଷମତା ପରିସରରେ ଥିବା ସମସ୍ତ ବିଦ୍ୟାଳୟରେ କେବଳ ଓଡ଼ିଆରେ ପାଠ୍ୟକ୍ରମ ଚାଲିବ ବୋଲି ହୁକୁମ ଦେଇଥିଲେ ରେଭେନ୍ସା ଏବଂ ଏହି ନିଷ୍ପତ୍ତିରେ ସେ ଏପରି ଅଟଳ ଥିଲେ ଯେ, ତାଙ୍କ କ୍ଷମତା ପରିସରରେ ଥିବା ବାଲେଶ୍ଵର, କଟକ ଓ ପୁରୀଜିଲ୍ଲାମାନଙ୍କର ମାଜିଷ୍ଟ୍ରେଟମାନଙ୍କୁ ଚିଠି ଲେଖି ସେ କହିଥିଲେ, ଓଡ଼ିଶାରେ ଶିକ୍ଷା ପାଇଁ ଆଦର ବୃଦ୍ଧି ଓ ତହିଁର ବିସ୍ତୃତି ପାଇଁ ନିରବଚ୍ଛିନ୍ନ ଦୃଢତା ଓ ଶକ୍ତିମତ୍ତା ସହ ଓଡ଼ିଶାର ସ୍କୁଲସମୂହରୁ ବଙ୍ଗଳା ଭାଷା ଓ ଓଡ଼ିଆ ଶବ୍ଦସମ୍ଭାରର ଉପଯୋଗ ପାଇଁ ସାମର୍ଥ୍ୟ ନଥିବା ଶିକ୍ଷକମାନଙ୍କୁ ବହିଷ୍କାର କରିବାକୁ ହେବ (ମାଜିଷ୍ଟ୍ରେଟମାନଙ୍କୁ ରେଭେନ୍ସାଙ୍କ ଅର୍ଦ୍ଧ ଆଫିସୀୟ ଚିଠି , ସଂଖ୍ୟା ୭୪୧, ତା. ୨୯.୧.୧୮୭୩; ସୂତ୍ର: ରେଭେନ୍ସା କଲେଜ ଶତବାର୍ଷିକୀ ସ୍ମରଣିକା,RCOTL,P. 44 ) । ଏଥିରେ ଉଦ୍ଧୃତ୍ତ ରେଭେନ୍ସାଙ୍କ ଭାଷା ଅନୁଧ୍ୟେୟ : “persistent and potent exclusion of the Bengalee language and of teachers, who are not familiar with the Ooriya vocabulary, is expected for the popularity and progress of education in Orissa.”
ସେ କେବଳ ତାଙ୍କ କ୍ଷମତାପରିସର ଅନ୍ତର୍ଗତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ଏହା ଲେଖିଥିଲେ, ତା ନୁହେଁ , ସେହି ଏକା ଦିନ ବଙ୍ଗ ସରକାରଙ୍କ ସଚିବଙ୍କୁ ୧୪୧ ସଂଖ୍ୟକ ଚିଠି ଲେଖି ଉପରାଜ୍ୟପାଳଙ୍କ ସମ୍ମୁଖରେ ପୁନଶ୍ଚ ଯୁକ୍ତି ରଖିଥିଲେ କି, ଓଡ଼ିଶାର ସ୍କୁଲମାନଙ୍କରେ କେବଳ ଓଡ଼ିଆ ଭାଷା ହିଁ ପାଠ୍ୟକ୍ରମର ଭାଷା ଭାବେ ଜାରି ହେବା ଦରକାର । ରେଭେନ୍ସାଙ୍କ ଏହି ଅଟଳ ଉଦ୍ୟମ ବଙ୍ଗ ରାଜ୍ୟପାଳଙ୍କୁ ସଂପୂର୍ଣ୍ଣ ପ୍ରଭାବିତ କରିଥିଲା । ବଙ୍ଗ ସରକାରଙ୍କ ସହକାରୀ ସଚିବ ଆର୍ଥର କଟନ (Arthur Cotton) ୨୫.୨.୧୮୭୩ ରେ ରେଭେନ୍ସାଙ୍କୁ ଜଣାଇଥିଲେ: ଓଡ଼ିଶାର ସ୍କୁଲମାନଙ୍କରେ ଓଡ଼ିଆରେ ଶିକ୍ଷାଦାନ ପାଇଁ ଆପଣଙ୍କ ମତ ସହ ଉପରାଜ୍ୟପାଳ ଏକମତ ହୋଇଛନ୍ତି । ବଙ୍ଗଳା ଭାଷା ସମ୍ପର୍କରେ ଆପଣ ନିଜ ଇଚ୍ଛାକ୍ରମେ ନିଷ୍ପତ୍ତି ନେବେ ବୋଲି ଆପଣଙ୍କୁ ଅଧିକାର ପ୍ରଦତ୍ତ ହେଲା । ସେ ଲେଖିଥିଲେ:
” SIR,
I am directed to acknowledge the receipt of your letter No. 741A, dated 29th January 1873, and in reply to say that the Lieutenant-Governor accepts your view in regard to the adoption of the Oorya language in the schools of Orissa. His Honour authorises you to use your discretion about the exclusion of Bengalee.”
(Letter from H.J.S. Cotton, Officiating Assistant Secretary to Government of Bengal to the Commissioner of Orissa, Accession No.39069, Board Document, O.S.A., P-1, 25.2.1873)
ଅତଏବ, ଓଡ଼ିଆ ଜାତିର ପ୍ରଶାସନିକ ସାମର୍ଥ୍ୟ ବୃଦ୍ଧି ପାଇଁ ତା ଭାଷାରେ ତା ପାଠ ପଢା ସପକ୍ଷରେ ରେଭେନ୍ସା ଯେଉଁ ସଂଗ୍ରାମ ଚଳାଇଥିଲେ, ତାହା ଏପରି ଭାବେ ସାଫଲ୍ୟମଣ୍ଡିତ ହୋଇଥିଲା । ଏବଂ ସେହି ସାଫଲ୍ୟ ଭିତରେ ଓଡ଼ିଆ ଜାତି ତା’ର ପୁନରୁଜ୍ଜୀବିତ ଜାତୀୟତାର ପ୍ରତିଫଳନ ଦେଖିଥିଲା । ଫଳରେ, ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ଗଞ୍ଜାମର ରସଲକୋଣ୍ଡା (ଘୁମୁସର) ଜନସଭାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳସମୁଦାୟକୁ ଏକତ୍ର କରାଯାଇ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁ ଯେଉଁ ଭାବନା ପ୍ରକଟିତ ହୋଇଥିଲା ତାହା ସମସ୍ତ ବାଧାବିଘ୍ନ ସତ୍ତ୍ୱେ ମଧୁବାବୁଙ୍କ ଏକନିଷ୍ଠ ତପସ୍ୟା ବଳରେ ସାର୍ଥକ ହୋଇ ବିଲାତ ପାର୍ଲିଆମେଣ୍ଟର ସ୍ଵତନ୍ତ୍ର ଆଇନ ଭିତ୍ତିରେ ଆବିର୍ଭୂତ ହୋଇଥିଲା ମା ଓଡ଼ିଶା, ଯାହା ଗଡ଼ଜାତ ମିଶ୍ରଣ ପରେ ବର୍ତ୍ତମାନର ରୂପ ନେଇଛି । ସନ ୧୯୨୦ ଡିସେମ୍ବର ୩୦ରେ ତଦାନୀନ୍ତନ ବିହାରର ଚକ୍ରଧରପୁରରେ ମଧୁବାବୁଙ୍କ ଅନୁପସ୍ଥିତିରେ ତାଙ୍କଦ୍ଵାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ବସାଇ ଯଦି ଗୋପବନ୍ଧୁବାବୁ ତହିଁରେ ସେହି ସମ୍ମିଳନୀକୁ ଅତ୍ୟନ୍ତ ଧୂର୍ତ୍ତତାର ସହ ଉଜେଇଁ ଦେଇନଥାନ୍ତେ, ତେବେ ଯେଉଁ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଚ୍ଛିନ୍ନ ହୋଇରହିଗଲା ସେ ସମସ୍ତ ଅଞ୍ଚଳ ଓଡ଼ିଶାରେ ଥାଆନ୍ତା । କିନ୍ତୁ ହିନ୍ଦୁ ମହାସଭାର ନେତା ଗୋପବନ୍ଧୁ ଓ ତାଙ୍କ ସତୀର୍ଥମାନଙ୍କ ପାଇଁ ଖ୍ରୀଷ୍ଟ ଧର୍ମ ଆଦରିଥିବା ମଧୁବାବୁ ସହ୍ୟ ହେଉ ନଥିଲେ । ସାରା ଓଡ଼ିଶା ଯେତେବେଳେ ମଧୁବାବୁଙ୍କୁ ନିଜର ଶ୍ରେଷ୍ଠତମ ନେତା ଭାବେ ମାନୁଥିଲା, ସେତେବେଳେ ଗୋପବନ୍ଧୁବାବୁ ଲେଖିଥିଲେ, “ଉତ୍କଳେ ନେତାର ନାହିଁ ପ୍ରୟୋଜନ , ଉତ୍କଳର ନେତା ସ୍ଵୟଂ ନାରାୟଣ ।” କିନ୍ତୁ ଚକ୍ରଧରପୁରରେ ଉତ୍କଳ ସମ୍ମିଳନୀର ଅକାଳ ମରଣ ଘଟାଇଥିବା ଗୋପବନ୍ଧୁଙ୍କ “ନାରାୟଣ” ଓଡ଼ିଆ ଭାଷାଭାଷୀ ସବୁ ଅଞ୍ଚଳକୁ ଓଡ଼ିଶାରେ ମିଶାଇପାରିଲେ ନାହିଁ । ତାଙ୍କ ଚକ୍ରଧରପୁରିଆ କର୍ମର କୁପରିଣତି ଦେଖିବାକୁ ଗୋପବନ୍ଧୁ ଅବଶ୍ୟ ଜୀବିତ ନଥିଲେ । ଓଡ଼ିଶା ଖଣ୍ଡିଆ ହୋଇ ରହିଗଲା । ସେହି ସବୁ ବିଚ୍ଛିନ୍ନାଞ୍ଚଳବାସୀ ଓଡ଼ିଆପିଲାମାନଙ୍କୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ନିଜ ନିଜ ଭାଷାରେ ପାଠ ପଢିବାକୁ ବାଧ୍ୟକରି ସେମାନଙ୍କ ଓଡ଼ିଆ ପରିଚୟକୁ ଧ୍ଵଂସ କରିବାରେ ଲାଗିଛନ୍ତି । ଏହି ପ୍ରେକ୍ଷାପଟରେ “କେବଳ” ଓଡ଼ିଆ ଭାଷାରେ ହିଁ ତାଙ୍କ କ୍ଷମତା ପରିସର ଅନ୍ତର୍ଗତ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ପାଠ୍ୟକ୍ରମ ଚଳାଇବାକୁ ସମସ୍ତ ସମ୍ଭବ ପଦକ୍ଷେପ ନେଇ ରେଭେନ୍ସା ଯେ ଓଡ଼ିଆ ଜାତିର ପରିଚୟ ସେତେବେଳେ ବଞ୍ଚାଇଦେଇଥିଲେ, ଏହା ସ୍ଵୀକାର ନକଲେ କୃତଘ୍ନତା ଦୋଷରେ ଦୋଷୀ ହେବାକୁ ହେବ । ଓଡ଼ିଆ ଜାତି କୃତଘ୍ନ ହୋଇନପାରେ । ତେଣୁ ଓଡ଼ିଆ ଜାତି ତା ପ୍ରଥମ କଲେଜର ନାମ ତାଙ୍କରି ନାମରେ ନାମିତ କରିଛି – ରେଭେନ୍ସା କଲେଜ , ଯାହା ଏବେ ବିଶ୍ୱବିଦ୍ୟାଳୟ ।
ଏହି କଲେଜ ସ୍ଥାପନ ହେବା ପାଇଁ ରେଭେନ୍ସା ଯେଉଁ ପରିବେଶ ତିଆରି କରିଥିଲେ, କେଉଁଠି କୌଣସି ଜଣେ ବିଦେଶୀ ଶାସକ ସେପରି କରିଥିବାର ଦୃଷ୍ଟାନ୍ତ ନାହିଁ ।
ଓଡ଼ିଆ ଭାଷାରେ ଓଡ଼ିଶାର ବିଦ୍ୟାଳୟ ପାଠ୍ୟକ୍ରମ ପ୍ରଚଳିତ ହେବ, ଏତିକିରେ ସନ୍ତୁଷ୍ଟ ନଥିଲେ ରେଭେନ୍ସା ।ଓଡ଼ିଶାରୁ କେବଳ ଶିକ୍ଷିତ ନୁହନ୍ତି, ସୁଶିକ୍ଷିତ ଲୋକେ କିପରି ବାହାରିବେ ଓ ପ୍ରଶାସନ, ନ୍ୟାୟ ଶାସନ ଇତ୍ୟାଦିରେ ଉଚ୍ଚ ପଦପଦବୀ ହାସଲ କରି ଓଡ଼ିଆ ଜାତିର ଦୁଃଖ ଦୂର କରିବେ, ସେଥିପାଇଁ ସେ ଓଡ଼ିଶାରେ ଏକ କଲେଜ ପ୍ରତିଷ୍ଠା ପାଇଁ ସମୟୋପଯୋଗୀ, ସୁଚିନ୍ତିତ ପଦକ୍ଷେପମାନ ନେଇଚାଲିଥିଲେ ।
ଓଡ଼ିଶାରେ କଲେଜିଏଟ୍ ପାଠ୍ୟକ୍ରମ ପ୍ରବର୍ତ୍ତନ ପାଇଁ ରେଭେନ୍ସା ଯେଉଁ ସବୁ ଉଦ୍ୟମ କରିଥିଲେ ତାହା ପୂର୍ବରୁ ସୂଚିତ ହୋଇଛି । କଲେଜିଏଟରେ ପରିଣତ ହେଲା ପରେ କଟକ ହାଇ ସ୍କୁଲକୁ କଲେଜରେ ପରିଣତ କରିବାକୁ ତାଙ୍କ ଉଦ୍ୟମ ହେତୁ ବଙ୍ଗ ଉପରାଜ୍ୟପାଳ ରାଜିହୋଇଯାଇଥିଲେ ମଧ୍ୟ, ସମ୍ଭାବ୍ୟ ଖର୍ଚ୍ଚ ସମଗ୍ରତଃ ସରକାର ବହନ କରିବା ସମ୍ଭବ ନୁହେଁ ବୋଲି କହିଥିଲେ । କଥାଟା ସେତିକିରେ ବନ୍ଦ ହୋଇଯାଇଥାନ୍ତା, ଯଦି ରେଭେନ୍ସା ସମ୍ଭାବ୍ୟ ଖର୍ଚ୍ଚର ଅଧା ଭରଣା କରିବାକୁ ଘୋଷଣା କରିନଥାନ୍ତେ ।
“ଓଡ଼ିଶାରେ କଲେଜ ହେବାର ଉଦ୍ୟମ ଶୁଣି ଓ ତାହା ଆମମାନଙ୍କର କମିଶ୍ନରସାହେବଙ୍କ ବିଶେଷ ଯତ୍ନ ଓ ପରିଶ୍ରମର ଫଳ ସ୍ୱରୂପ ଜାଣି ଅନେକ ସମ୍ବାଦପତ୍ରରେ ସାହେବଙ୍କ ସୁଖ୍ୟାତି ବାହାରିଅଛି । ବାସ୍ତବରେ ଶ୍ରୀଯୁକ୍ତ ରେବନ୍ସାସାହେବ ଏ ପ୍ରଦେଶରେ ଶିକ୍ଷାର ଉନ୍ନତି ପକ୍ଷରେ ସର୍ବଦା ମନୋଯୋଗୀ ଅଟନ୍ତି । ଅନ୍ଯାନ୍ଯ ବିଷୟରେ ଯାହା ହେଉ, ଶିକ୍ଷା ବିଷୟରେ ତାହାଙ୍କ ପରି ଆଉ କାହାରିକୁ ଦୃଢ ଭାବେ ଚେଷ୍ଟିତ ହେବାର ଦେଖାଯାଇନାହିଁ ।”
ଏହା ଲେଖିଥିଲେ ଉତ୍କଳ ଦୀପିକା। ( ଭାଗ-୧୦ , ସଂଖ୍ୟା ୨୯ , ୧୭.୭.୧୮୭୫ ) । ଏହାହିଁ ଏହିପରି ଭାବେ ଓଡ଼ିଶାର କଲେଜ ଶିକ୍ଷା କ୍ଷେତ୍ରରେ ଇତିହାସର ସ୍ବୀକୃତି ।
କଲେଜିଏଟ୍ ସ୍କୁଲର ଖର୍ଚ୍ଚ ପାଇଁ ଇଂରେଜ ସରକାର ଯେଉଁ ପାଣ୍ଠିପ୍ରଦାନ କରୁଥିଲେ, ତାକୁ ବିଧିବଦ୍ଧ କଲେଜରେ ପରିଣତ କଲେ ତଦପେକ୍ଷା ବର୍ଷପ୍ରତି ଅଧିକ ୧୨ ହଜାର ଟଙ୍କା ଲୋଡ଼ା ହେବ ବୋଲି ହିସାବ କରଯାଇଥିଲା । କମିଶନର ରେଭେନ୍ସା ବଙ୍ଗ ରାଜ୍ୟପାଳଙ୍କୁ କହିଥିଲେ, ସରକାର ଯଦି ତହିଁର ଅଧା ଟଙ୍କା ଦିଅନ୍ତି, ତେବେ ଅବଶିଷ୍ଟ ୬ ହଜାର ଟଙ୍କା ଓଡ଼ିଶାବାସୀଙ୍କ ଠାରୁ ଭେଦାରେ ସଂଗ୍ରହ କରି ସେ କଲେଜ ଚଳାଇପାରିବେ । ଯଦି ଓଡ଼ିଶାବାସୀଙ୍କ ଠାରୁ ୫ ବର୍ଷ ପାଇଁ ବର୍ଷକୁ ୬ ହଜାର ଟଙ୍କା ହାରାରେ ୩୦ ହଜାର ଟଙ୍କା ସଂଗ୍ରହ କରିବାକୁ କମିଶନର ରେଭେନ୍ସା ଗ୍ୟାରେଣ୍ଟି ଦେବେ, ତେବେ କଲେଜ ଆରମ୍ଭ କରିବାକୁ ଆପତ୍ତି ରହିବ ନାହିଁ ବୋଲି ବଙ୍ଗ ଉପରାଜ୍ୟପାଳ ଘୋଷଣା କଲେ । ଉତ୍କଳଦୀପିକା ପରି ଓଡ଼ିଆ ଜାତିର ପ୍ରହରୀ ବାର୍ଷିକ ୬ ହଜାର ଟଙ୍କା ତୁଲାଇବା ପାଇଁ ମାସିକ ୫୦୦ ଟଙ୍କା ଓଡ଼ିଶାବାସୀ ଦେବାକୁ ପଡୁଥିବାରୁ କଥାଟାକୁ ନାପସନ୍ଦ କରିଥିଲେ (ଉତ୍କଳ ଦୀପିକା, ବିଏଚଜି ୧୦, ସଂଖ୍ୟା ୨୨, ୫.୬.୧୮୭୫) “ମାସକୁ ମାସ ଟ ୫୦୦ଙ୍କା ଲେଖାଏଁ ଭେଦା ଏଠାରେ ଉଠିପାରିବ ବୋଲି ଆମ୍ଭେମାନେ ସାହସ କରି କହି ନପାରୁ” ବୋଲି କହିଥିଲେ ମଧ୍ୟ ଦୀପିକା ସେଦିନ ଲେଖିଥିଲା, “ଶ୍ରୀଯୁକ୍ତ କମିଶନର ସାହେବ ଯେ ରୂପ ଉତ୍ସାହପୂର୍ଣ୍ଣ ଚିତ୍ତରେ ଏ ପ୍ରସ୍ତାବକୁ ଆରମ୍ଭ କରିଅଛନ୍ତି, ଯଦି ସେହିପରି ଭେଦା ସଂଗ୍ରହରେ ଯତ୍ନ ନିଅନ୍ତି” ତେବେ ହୁଏତ ତାହା ସଫଳ ହେବ ।
ଦୀପିକାର ଉପରୋକ୍ତ ଅଭିମତରୁ ସ୍ପଷ୍ଟ ଯେ, ନିଜ ମାଟିରେ ଉଚ୍ଚଶିକ୍ଷା ପାଇଁ ଏକ କଲେଜ ହେବ, ଅଥଚ ତା ପାଇଁ ଓଡ଼ିଶାବାସୀ ମାସିକ ୫୦୦ ଟଙ୍କା ଭେଦା ଦେବାର ସମ୍ଭାବନା ସେହି ସମୟରେ ନଥିଲା । ତା ସତ୍ତ୍ୱେ ରେଭେନ୍ସା, ଯେ କି ନିଜ ହାତରୁ ପଇସା ଦେଇ ଓଡ଼ିଆ ଶିକ୍ଷାର୍ଥୀଙ୍କୁ ଅଧ୍ୟୟନରେ ସାହାଯ୍ୟ କରୁଥିଲେ, ଏହି ଭେଦା ଆଦାୟ ପାଇଁ ଲାଗିଗଲେ ।
ରେଭେନ୍ସାଙ୍କ ନିବେଦନକୁ ସମ୍ମାନ ଦେଇ, ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଅର୍ଥରାଶି ପଠାଇଥିଲେ। ସଂବାଦ ବାହିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୮୭୫ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ବିଜୟନଗ୍ରମ୍ ମହାରାଜା ଓ ବର୍ଦ୍ଧମାନ ମହାରାଜା ଉଭୟେ ଜଣକେ ୬ ହଜାର ଟଙ୍କା ଲେଖାଏଁ ପଠାଇଥିବା ବେଳେ ଢେଙ୍କାନାଳ ମହାରାଜା ପଠାଇଥିଲେ ୧୨୫୦ ଟଙ୍କା, ବଳରାମପୁର ମହାରାଜା ୧୦୦୦ ଟଙ୍କା, ବାବୁ ଦିଗମ୍ବର ମିଶ୍ର ୫୦୦ ଟଙ୍କା, ଚୌଧୁରୀ ବିଶ୍ଵନାଥ ଦାସ ୧୦୦ ଟଙ୍କା, ଦେବେନ୍ଦ୍ରନାଥ ଠାକୁର ୨୫୦୦ ଟଙ୍କା ଓ ମହାରାଣୀ ସ୍ଵାର୍ଣ୍ଣାମୟୀ (କାସିମବଜାର) ୨୫୦୦ ଟଙ୍କା ପଠାଇଥିଲେ । ଏହା ଅଧିକନ୍ତୁ, ବାଲେଶ୍ଵର ଜିଲ୍ଲାବାସୀମାନେ ଦେଇଥିଲେ ୫୨୨୫ ଟଙ୍କା। ସମ୍ବାଦବାହିକା ୧୬.୧୧.୧୮୭୫ରେ ଲେଖିଥିଲା, ଯଦି ବାଲଶ୍ବର ପରି କଟକ ଓ ପୁରୀ ଜିଲ୍ଲାବାସୀମାନେ ଅର୍ଥ ଦାନ କରନ୍ତି, ତେବେ ଅଭିଳଷିତ ପରିମାଣରୁ ଯଥେଷ୍ଟ ଅଧିକ ପରିମାଣର ପାଣ୍ଠି ସଂଗ୍ରହ ହୋଇଯିବ ।
କଲେଜ ପାଇଁ ଅବଙ୍ଗାଳୀ ଅଧ୍ୟକ୍ଷ
କଲେଜ ପାଇଁ ପାଣ୍ଠି ଉପଲବ୍ଧି ଏପରି ସୁନିଶ୍ଚିତ ହୋଇଗଲା ପରେ, ରେଭେନ୍ସା ତୁରନ୍ତ କଲେଜ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ ଚଳାଇଲେ ଏବଂ ସମତାଳରେ ଏହି କଲେଜ ପାଇଁ ଅଧ୍ୟକ୍ଷ ପଦ ସକାଶେ ସାମୁଏଲ ଅଗର (Samuel Ager)ଙ୍କ ନାମ ସୁପାରିଶ କଲେ । ଆମେ ପୂର୍ବରୁ ଲକ୍ଷ୍ୟ କରିଛେ, କଲିକତାରୁ ନିଯୁକ୍ତ ହେଉଥିବା ହେତୁ ଗୁରୁତ୍ୱପୂର୍ଣ୍ଣ ପଦବୀମାନଙ୍କରେ ବଙ୍ଗାଳୀମାନେ ନିଯୁକ୍ତିପତ୍ର ପାଇଯାଉଥିଲେ । ତେଣୁ ଏହି କଲେଜର ଅଧ୍ୟକ୍ଷ (Principal) ପଦରେ କୌଣସି ବଙ୍ଗାଳୀ ମୁତୟନ ହେବାର ସମ୍ଭାବନା ଥିଲା, କାରଣ ସେତେବେଳକୁ ଶିକ୍ଷାପ୍ରଶାସନରେ ଅଭିଜ୍ଞତା ଅର୍ଜିଥିବା କୌଣସି ଓଡ଼ିଆ ଏହି କଲେଜର ଅଧ୍ୟକ୍ଷ ହେବା ପାଇଁ ସାମର୍ଥ୍ୟସମ୍ପନ୍ନ ନଥିଲେ । ରେଭେନ୍ସା ଅତି ସ୍ପଷ୍ଟ ଭାବେ କହିଦେଇଥିଲେ ଯେ, ଏହି ପଦରେ କୌଣସି ବଙ୍ଗାଳୀଙ୍କୁ ନିଯୁକ୍ତ କରାଗଲେ ତାହା ଅତ୍ୟନ୍ତ ଅବାଞ୍ଛିତ ହେବ । ଚୟନକର୍ତ୍ତା ସେପରି ଭୁଲ କରିବେନି ବୋଲି ସେ ଆଶା ପୋଷଣ କରନ୍ତି । ତାଙ୍କ ଭାଷା:
“The appointment of any native of Bengal as Principal of the Orissa College would be exceedingly undesirable and I certainly hope that such a course may not be thought of.” (Ravenshaw’s letter to D.P.I. H. Woodrow, 15.11.1875)
ଡି. ପି. ଆଇ. ଶ୍ରୀ ଉଡ୍ରୋ ସରକାରଙ୍କ ସଚିବଙ୍କୁ ଲେଖିଥିଲେ, ରେଭେନ୍ସାଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ହେତୁ କଲେଜଟିର ପ୍ରତିଷ୍ଠା ଯେହେତୁ ସମ୍ଭବ ହେଉଛି, ସେ ହେତୁ ସେ ପସନ୍ଦ କରିଥିବା ସାମୁଏଲ ଅଗରଙ୍କୁ ତହିଁର ଅଧ୍ୟକ୍ଷ କରାଯାଉ । ଯଥା –
“As the College is due to Mr. Ravenshaw’s indefatigable efforts, I would recommend that the nomination of Mr. Ager for the post of Principal be accepted….”(D.P.I. to Secretary, Govt. of Bengal, 8 January 1876)
ଏଥିରୁ ଏହାହିଁ ସ୍ପଷ୍ଟ ଯେ, ରେଭେନ୍ସା ଅସୀମ ବାଧା ପ୍ରତିବନ୍ଧକ ଅତିକ୍ରମ କରି କଲେଜଟିର ପ୍ରତିଷ୍ଠା ସମ୍ଭବ କରିଥିଲେ କେବଳ ନୁହେଁ, ତାହାକୁ ବଙ୍ଗାଳୀ ପ୍ରଭାବରୁ ମୁକ୍ତ ରଖିବାକୁ ସରକାରଙ୍କ ସମ୍ମୁଖରେ ବେସାଲିସ ଆଭିମୁଖ୍ଯ ପ୍ରକଟ ବି କରିଥିଲେ ।
କଲେଜ ପ୍ରତିଷ୍ଠାର ପ୍ରଥମ କେଇବର୍ଷ ପରୀକ୍ଷା ଫଳ ନୈରାଶ୍ୟଜନକ ଥିଲା । ଯେହେତୁ କଲେଜର ଛାତ୍ରମାନେ ପରୀକ୍ଷା ଦେବାକୁ କଲିକତା ଯିବାକୁ ପଡୁଥିଲା, ସେଠାରେ ସେମାନଙ୍କ ସମ୍ଭାବ୍ୟ ସଫଳତା କୌଣସି ଛଦ୍ମ ଷଡ଼ଯନ୍ତ୍ରର ଶିକାର ହୋଇଯାଉଥିଲା କି ନାଁ ତାହା କେହି ସେତେବେଳେ ଯାଞ୍ଚ କରିନଥିଲେ । କିନ୍ତୁ ସେପରି ଆଶଙ୍କା କେଉଁଠି-ନା-କେଉଁଠି ଦାନା ବାନ୍ଧିଥିଲା । ଫଳରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଗର କଲିକତା ପରିବର୍ତ୍ତେ କଟକରେ ପରୀକ୍ଷାକେନ୍ଦ୍ର ସ୍ଥାପନ ପାଇଁ କର୍ତ୍ତୃପକ୍ଷଙ୍କୁ ନିବେଦନ କରି ତହିଁରେ ସଫଳ ହୋଇଥିବା ଦେଖାଯାଏ ।
ଉଲ୍ଲେଖନୀୟ ଯେ, କଲେଜର ପ୍ରାଥମିକ ବିଫଳତାରେ ବିବ୍ରତ ନହୋଇ ସଫଳତା ହାସଲ ଉପରେ ରେଭେନ୍ସା ଗୁରୁତ୍ଵ ଦେଇଥିଲେ । ଉଦ୍ଭିଦବିଜ୍ଞାନ ପାଇଁ ପୁସ୍ତକ ଓ ରସାଯନିକ ଉପାଦାନ ସକାଶେ ସରକାର ୩ ହଜାର ଟଙ୍କା ଅନୁଦାନ ପ୍ରଦାନ କରିବାକୁ ୨୫.୨.୧୮୭୮ ତାରିଖରେ ସେ ଅନୁରୋଧ କରିଥିଲେ ଓ ତାହା ମଞ୍ଜୁର ହୋଇଥିଲା । ତାଙ୍କ ଅନୁରୋଧ କ୍ରମେ କଲେଜର ଅଗ୍ରଗତି ପାଇଁ ବିଭିନ୍ନ ସୂତ୍ରରୁ ଆର୍ଥିକ ସହାୟତା ଆସିବା ଅତୁଟ ଥିଲା । ବିଶେଷକରି ଗଡ଼ଜାତର ରାଜାମାନେ କଲେଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଆର୍ଥିକ ସହାୟତା ପଠାଉଥିଲେ । ଏପରିକି କଲେଜଟି ସଂପୂର୍ଣ୍ଣ ସରକାରୀ ହୋଇଯିବା ପରେ ବି କେନ୍ଦୁଝର ମହାରାଜା ୫ ହଜାର ଟଙ୍କା ପଠାଇଥିଲେ କଲେଜର ଉନ୍ନତିରେ ଲାଗିବା ପାଇଁ। ସେହିକ୍ରମରେ ସବୁଠୁ ବଡ଼ ପରିମାଣର ପାଣ୍ଠି – ୨୦ ହଜାର ଟଙ୍କା – ପ୍ରଦାନ କରିଥିଲେ । ଏ ସବୁ ଥିଲା ରେଭେନ୍ସାଙ୍କ ପ୍ରଭାବ।
ଓଡ଼ିଆ ସ୍ଵାର୍ଥରେ ବେସାଲିସ୍
ରେଭେନ୍ସା ଏପରି ଜଣେ ମଣିଷ ଥିଲେ ଯେ କି ଶିକ୍ଷା ବିକାଶ କ୍ଷେତ୍ରରେ କାହା ମୁହଁକୁ ଚାହୁଁ ନଥିଲେ । ‘ବାଲେଶ୍ଵର ସଂବାଦ ବାହିକା’ର ଭାଗ ୭ , ସଂଖ୍ୟା ୧୦ ରେ ୧.୧.୧୮୭୬ ଦିନ ପ୍ରକାଶ ପାଇଥିଲା,
“ଗଡ଼ଜାତ ଇଲାକାର ସୁପରିଣ୍ଟେଣ୍ଡେଣ୍ଟ ମାନ୍ୟବର ଶ୍ରୀଯୁକ୍ତ ରେଭେନ୍ସା ସାହେବ ଗଡ଼ଜାତ ଇଲାକାରେ ସ୍କୁଲମାନ ବସାଇବା ଓ ସଡ଼କ ବନ୍ଧାଇବା ବିଷୟରେ ବଡ଼ ଉଦ୍ୟମ କରୁଅଛନ୍ତି । ବାସ୍ତବିକ ଯେ ପର୍ଯ୍ୟନ୍ତ ଗଡ଼ଜାତ ମାହାଲରେ ବିଦ୍ୟାଳୟମାନ ସ୍ଥାପିତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏ ଦେଶର ପ୍ରକୃତ ଉନ୍ନତି ହୋଇପାରୁନାହିଁ ; କାରଣ ଉତ୍କଳ ଦେଶର ବାରଅଣା ସୀମା ଗଡ଼ଜାତ , କେବଳ ଚାରିଅଣା ସୀମା ମୋଗଲବନ୍ଦୀ ଅଟେ ।”
ଏହି କାଗଜରେ ୧.୧୧.୧୮୭୬ ତାରିଖରେ ଶିକ୍ଷା ସଂକ୍ରାନ୍ତ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା, ତହିଁରୁ ଜଣା ଯାଏ,
“ଗଡ଼ଜାତମାନଙ୍କ ମଧ୍ୟରୁ ଢେଙ୍କାନାଳ ଓ କେଉଁଝର ଏହି ଦୁଇ ଜିଲ୍ଲାର ବଡ଼ ଉନ୍ନତି ହୋଇଅଛି; ଏଣୁ କମିଶନର ସାହେବ ଦୁଇ ଜିଲ୍ଲାର ମହାରାଜାମାନଙ୍କର ପ୍ରଶଂସା କରିଅଛନ୍ତି । ମୟୂରଭଞ୍ଜର ରାଜା ଏ ବିଷୟରେ କିଛିମାତ୍ର ପ୍ରଶଂସା ପାଇନାହାନ୍ତି; କାରଣ ତାଙ୍କ ରାଜ୍ୟରେ ଶିକ୍ଷାର ଯେପରି ଉନ୍ନତି ହେବାର ଆଶା ଥିଲା, ତାହା ହେଉନାହିଁ “( ଭାଗ ୯, ସଂଖ୍ୟା ୬ ) ।
ଓଡ଼ିଆ ସ୍ଵାର୍ଥରେ ରେଭେନ୍ସାଙ୍କ ଏହି ବେସାଲିସ୍ ମନୋଭାବ ମୟୂରଭଞ୍ଜ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଭଞ୍ଜ ଦେଓଙ୍କୁ ଏପରି ପ୍ରଭାବିତ କରିଥିଲା ଯେ, ଓଡ଼ିଶାର ଶିକ୍ଷା ବିସ୍ତାର ପାଇଁ ତାଙ୍କ ନିରୋଳା ଓ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଓଡ଼ିଶାର ପ୍ରଥମ ସର୍ବୋଚ୍ଚ ଶିକ୍ଷାମନ୍ଦିରର ନାମ ରେଭେନ୍ସା ମହାବିଦ୍ୟାଳୟ ନାମକୁ ପରିବର୍ତ୍ତିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ଓ ତାହା ସମସ୍ତଙ୍କ ଦ୍ଵାରା ସାଦର ସମର୍ଥିତ ହୋଇଥିଲା ।
ମହାତ୍ମା ରେଭେନ୍ସା
କଟକ କଲେଜର ନାମ ରେଭେନ୍ସା କଲେଜ କରି ଓଡ଼ିଆ ଜାତି ସେହି ଅନନ୍ୟ ଉପକାରୀ ବନ୍ଧୁଙ୍କୁ ତା’ର କୃତଜ୍ଞତା ଜ୍ଞାପନ କରିଛି । ସେ ଏପରି ଜଣେ ବ୍ୟକ୍ତି ଥିଲେ, ଯେ କି ଓଡ଼ିଆ ଲୋକଙ୍କ ଆଖିରେ ହୋଇଯାଇଥିଲେ “ମହାତ୍ମା”।
ସଂବାଦ ବାହିକା ତାଙ୍କୁ ଓଡ଼ିଶାର ବନ୍ଧୁ ବୋଲି ଦର୍ଶାଇ ୧୬.୩.୧୮୭୫ରେ ଯାହା ଲେଖିଥିଲା, ତହିଁରୁ କେଇଧାଡ଼ି :
“କି ସ୍ଵଦେଶୀୟ କି ବିଦେଶୀୟ ରାଜପୁରୁଷ (ଶାସନ କ୍ଷମତାସୀନ ଅର୍ଥରେ) ସ୍ଵୀକାର କରିବେ ଯେ, ୪/୫ ବର୍ଷ ହେଲା ଉତ୍କଳ ଭାଷାର କ୍ରମଶଃ ଉନ୍ନତି ହେଉଛି । ମଧ୍ୟ, ଏହି କେତେକ ବର୍ଷ ମଧ୍ୟରେ ଅନେକଗୁଡ଼ିଏ ପୁସ୍ତକ (ଅନୁଦିତ ହେଉ ବା ନବପ୍ରଣୀତ ହେଉ) ମୁଦ୍ରିତ ଓ ପ୍ରଚାରିତ ହୋଇଅଛି ଏବଂ ଭଲ ଭଲ ପୁସ୍ତକ ଉତ୍କଳ ଭାଷାରେ ବାହାରିବା ନିମନ୍ତେ ସରକାର ବାହାଦୁର ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଦିନକୁଦିନ ଓଡ଼ିଆମାନେ ଭଲ ଭଲ ପଦ ପାଉଅଛନ୍ତି । ଓଡ଼ିଆମାନେ ଯେଉଁ ପଦ ପାଇବାକୁ ଭଜନ ଅଟନ୍ତି, ସେହି ପଦ ବଙ୍ଗାଳୀମାନେ ଆଉ ପାଇପାରୁନାହାନ୍ତି । ଏହାର ହେତୁ କିସ? ହେତୁ କେବଳ ରାଜପୁରୁଷଙ୍କ ସୁଦୃଷ୍ଟି ଓ ତାଙ୍କର କର୍ତ୍ତବ୍ୟ କର୍ମ । ପାଠକମାନେ ସେହି ଓଡ଼ିଶାର ବନ୍ଧୁ ଓଡ଼ିଶାସ୍ଥିତ ପ୍ରଧାନ ରାଜପୁରୁଷଙ୍କୁ ଜାଣନ୍ତି । ସେ ମହାତ୍ମା ଓଡ଼ିଆଙ୍କ ସତ୍ତ୍ଵ ବଜାଏ ରଖିବା ବିଷୟରେ ସର୍ବଦା ତତ୍ପର ଅଟନ୍ତି । ସେ ମହୋଦୟ ବର୍ତ୍ତମାନର କମିଶନର ମିଷ୍ଟର ରେଭେନ୍ସା ।”
ମୁଁ ମୋର ସକଳ ସଚେତନତା ସହ ୧୮୬୦-୭୦ର ଅନତିକ୍ରମ୍ୟ ବିପତ୍ତି କବଳରୁ ଓଡ଼ିଆ ଭାଷାକୁ ଉଦ୍ଦାର କରିଥିବା ଓଡ଼ିଆ ଜାତିର ପରମ ବନ୍ଧୁ ସେହି ମହାତ୍ମା ରେଭେନ୍ସାଙ୍କୁ ସଶ୍ରଦ୍ଧ ପ୍ରଣାମ କରୁଛି ।
Pingback: କୃତଜ୍ଞତା ହିଁ ଅସ୍ମିତାର ପରିଚାୟକ, କୃତଘ୍ନତା ନୁହେଁ, ପ୍ରିୟ ଧର୍ମେନ୍ଦ୍ରବାବୁ ! ରେଭେନ୍ସା ନାମ ରାଜନୀତିର ଖେଳ