ଶେଷରେ ବାଇମୁଣ୍ଡିଙ୍କୁ ନବୀନ ପଟ୍ଟନାୟକ ମାରିଦେଲେ / Naveen Patnaik finally killed Baimundi

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କଟକ ଚିନ୍ତା ବାଇମୁଣ୍ଡିକୁ । ରାଧାମୋହନ ଗଡ଼ନାୟକ ତାଙ୍କ କବିତାରେ ଯଦି ଏହା ଲେଖିନଥାନ୍ତେ, ତେବେ ବି କଟକ ସହରକୁ ଜାଣିଥିବା କୌଣସି ଓଡ଼ିଆ ଏହା ଜାଣନ୍ତିନି – ଏକଥା କେହି ବିଶ୍ଵାସ କରନ୍ତେ ନାହିଁ । କାରଣ, ଏହା ସର୍ବଜନବିଦିତ ଯେ,ବାଇମୁଣ୍ଡିଙ୍କ ହେତୁ ହିଁ କଟକ ସହର କାଳର କରାଳ କବଳରେ ବିଲୀନ ହୋଇଯିବା ପୂର୍ବରୁ ବଞ୍ଚିଯାଇଥିଲା । ତାଙ୍କ କଥା ମାନି ସମ୍ରାଟ ମର୍କତ କେଶରୀ ଯଦି କାଠଯୋଡ଼ି ବନ୍ଧ ନିର୍ମାଣ କରାଇ ନଥାନ୍ତେ, କଟକ ଆଜି ନଥାନ୍ତା ।

ନୌବାଣିଜ୍ୟ ପାଇଁ ସୁବିଦିତ ଆମ ଭୂଖଣ୍ଡର କଟକରେ ହିଁ ନିର୍ମିତ ହେଉଥିଲା ବିଶାଳକାୟ ଯେତେ ସବୁ ନୌକା ଯେପରି ଜଳଯାନ ସମଗ୍ର ଭାରତରେ କେଉଁଠି ବି ନଥିଲା । ବିଲାତ ସରକାରଙ୍କ ନ୍ୟାୟ ବିଭାଗ ସଚିବ ଡବ୍ଲ୍ୟୁ. ବି. ବେଲେଙ୍କୁ ବିଚାରପତି ଇ. ୱାଟସନ୍ ୩.୫.୧୮୧୭ ପଠାଇଥିବା ଏକ ପତ୍ରରେ ଏହା ଅବଗତ କରାଇ ଲେଖିଥିଲେ, “…….the boats were by far the best that I ever saw in any part of India.”

ଏହି ସବୁ ବିଶାଳକାୟ ଜଳଯାନ ନିର୍ମାଣ କରିବା ପାଇଁ ଆବଶ୍ୟକୀୟ କାଠ ଜଳପଥରେ ଆସୁଥିଲା ଆମ ରାଜ୍ୟର ପାର୍ବତ୍ଯ ଇଲାକାରୁ । ସେହି ସବୁ କାଠଭେଳାକୁ ମହାନଦୀରୁ ଚହଟାଇ ଆଣି ନିରାପଦରେ ସାଇତି ରଖିବା ପାଇଁ କାରିଗରମାନେ କଟକର ଚହଟା ଠାରେ ଏକ ଯୋରି ନିର୍ମାଣ କରିଥିଲେ, ଯାହା ଲୋକମୁଖରେ ହୋଇଯାଇଥିଲା କାଠଯୋରି । ବନ୍ୟା ପ୍ରଭାବରେ ଏହି ଯୋରି ବିଶାଳ ରୂପ ଧାରଣ କରି କାଠଯୋଡ଼ି ନଦୀ ଭାବେ ବିଦିତ ହେଲା ଓ ତା ତୋଢରେ କଟକ ସହର ଧୋଇହୋଇଯିବାର ଆଶଙ୍କା ଦେଖାଦେଲା । ଏହି ଭୟାନକ ବିପତ୍ତି ପାଇଁ ସମ୍ରାଟଙ୍କ ଦୃଷ୍ଟି ଆକର୍ଷଣ କରି କାଠଯୋଡ଼ିର ଗତିପଥ ବଦଳାଇ କଟକ ସହରକୁ ରକ୍ଷା କରିବାକୁ ଏକ ଶକ୍ତିଶାଳୀ ବନ୍ଧ ବାନ୍ଧିବା ପାଇଁ ଯେଉଁ ସାଧାରଣ ଓଡ଼ିଆ ଜଣକ ପ୍ରବର୍ତ୍ତାଇଥିଲେ, ସେ ହିଁ ବାଇମୁଣ୍ଡି ।

ଏହି ବାଇମୁଣ୍ଡିଙ୍କୁ ଓଡ଼ିଆବିଦ୍ଵେଷୀ ନବୀନ ପଟ୍ଟନାୟକ ପ୍ରାୟ ଦୁଇଦଶନ୍ଧିକାଳ ଚେଷ୍ଟା କରି ଶେଷରେ ମାରିଦେଇଛନ୍ତି । ଓଡ଼ିଶାର ଚଳନ୍ତି ଇତିହାସରେ ଏହି ଘଟଣା ଏକ କୁତ୍ସିତ ଅଧ୍ୟାୟ ଖଞ୍ଜିଛି । ଏହି ଜଘନ୍ୟ ଅପରାଧ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ୨୦୦୪ର ଫେବୃଆରୀ ମାସରେ, ଯାହା ସରିଛି ୨୦୨୩ର ସେପ୍ଟେମ୍ବରରେ ।

ଘଟଣାର ଗତିଧାରା

ରିଲାଏନ୍ସ ଅଧିପତି ଅମ୍ବାନୀଙ୍କ ଲୋଲୁପଦୃଷ୍ଟି ପଡ଼ିଥିଲା କଟକ ସହରର ସବୁଠୁ ମୁଲ୍ଯବାନ ସ୍ଥାନ ‘ବାଦାମବାଡ଼ି ବସ ଷ୍ଟାଣ୍ଡ’ ଉପରେ ଓ ନବୀନ ପଟ୍ଟନାୟକ ତାଙ୍କୁ ସେ ଜାଗାଦେବା ପାଇଁ ବାଟ ସଫା କରିବା କାମରେ ଲାଗିଯାଇଥିଲେ । ଓଡ଼ିଶା ହାଇ କୋର୍ଟ ହସ୍ତକ୍ଷେପ କରିନଥିଲେ ସେହି ସ୍ଥାନ ରିଲାଏନ୍ସ ମାଲିକାନାକୁ ଯାଇସାରିଥାନ୍ତା । ଲୋକେ କାଳେ ବିଦ୍ରୋହ କରିବେ ସେଥିପାଇଁ ସେତେବେଳେ ନବୀନବାବୁ ତାଙ୍କ ଭୁଆଁବୁଲାଇବା ପଦ୍ଧତ୍ତିର ଏକ ନୂଆ ପାଖୁଡ଼ା ଖୋଲିଥିଲେ । ତାହା ହେଲା, ଜନାକୀର୍ଣ୍ଣ ସହରରେ ସବୁ ଜିଲ୍ଲାରୁ ଓ ପ୍ରଦେଶ ବାହାରୁ ଆସୁଥିବା ଯାତ୍ରୀବାହୀ ମଟରଯାନମାନେ ଯେପରି ପ୍ରଦୂଷଣ ଖେଳାଉଛନ୍ତି ତାହାକୁ ପ୍ରତିହତ କରିବା ପାଇଁ ସହର ଉପକଣ୍ଠରେ ଏକ ଅତ୍ୟନ୍ତ ପ୍ରଶସ୍ତ ସ୍ଥାନରେ ଏକ ଆନ୍ତର୍ଜାତୀୟ ମାନର ‘ବସ୍ ଷ୍ଟାଣ୍ଡ’ ନିର୍ମାଣ ହେବ । ଏଥିପାଇଁ ନରାଜ ଆନିକଟକୁ ଲାଗି ମନୋରମ ଦୃଶ୍ୟସମ୍ପନ୍ନ ୩୦ ଏକର ସ୍ଥାନ ଚିହ୍ନଟ କରାଗଲା ଓ ୨୦୦୪ ଫେବୃୟାରୀ ୧୦ ତାରିଖରେ ନବୀନ ପଟ୍ଟନାୟକ ସେହି ବସ୍ ଷ୍ଟାଣ୍ଡର ଶିଳାନ୍ୟାସ କାଲେ । ନାମ ଥିଲା ‘ବାଇମୁଣ୍ଡି ବସ୍ ଷ୍ଟାଣ୍ଡ’ ।

କଟକ ସହରର ବହୁ ସହସ୍ର ବ୍ୟକ୍ତି, କଟକ ଭୁବନେଶ୍ବରର ସମ୍ବାଦଦାତାବର୍ଗ ଓ ବିଷୟସଂଯୁକ୍ତ ପଦାଧିକାରୀମାନଙ୍କ ସାଙ୍ଗକୁ ମନ୍ତ୍ରୀ, ନେତା ତଥା କଟକ ମେୟର ଯୋଗ ଦେଇଥିଲେ । ସେମାନଙ୍କ ନାମ ଉପରେ ପ୍ରଦତ୍ତ ଶୀଳ ଫଳକରେ ଖୋଦିତ ହୋଇଥିଲା ।

ନିଶ୍ଚୟ ସେ କାମ ଚାଲିଥିବ ବୋଲି ଆମ୍ଭେ ବିଶ୍ଵାସ ରଖିଥିବା ବେଳେ ୨୦୧୨ ଶେଷଭାଗରେ ସରକାର ପ୍ରଚାର କଲେ କି, କାଠଯୋଡ଼ି ପୋଲ ପୂର୍ବରୁ ଗୋପାଳପୁର ଠାରେ ପ୍ରତିଷ୍ଠା ହେବ ସେହି ବସ୍ ଷ୍ଟାଣ୍ଡ। ତେଣୁ, ୨୦୦୪ ଫେବୃୟାରୀରେ ନରାଜ ଆନିକଟ ପାଖରେ ଯେଉଁ ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାର କ’ଣ ହେଲା ଜାଣିବାକୁ ମୁଁ ଯାଇ ସେଠାରେ ପହଞ୍ଚିଥିଲି । ଦେଖିଲି ଯେ, ଶିଳାନ୍ୟାସ ସ୍ତମ୍ଭଟି ଏକଆଡ଼ିଆ ହୋଇ ରହିଛି ଓ ବସ୍ ଷ୍ଟାଣ୍ଡ ସ୍ଥାନରେ ଅତ୍ୟନ୍ତ ଦାମିକା ଲୁହାର ଛଡ଼ ଛନ୍ଦଣି ହୋଇ ସୁଦୃଶ୍ୟ ଲୌହ ପ୍ରାଚୀର ଓ ପ୍ରବେଶଦ୍ଵାର ତିଆରି ଚାଲିଛି । ସ୍ଥାନଟିକୁ ବିଦ୍ୟୁତ୍ ସଂଯୋଗ ପାଇଁ ଖୁଣ୍ଟ ପୋତା ବି ଚାଲିଛି । କିନ୍ତୁ ବସ୍ ଷ୍ଟାଣ୍ଡ ନିର୍ମାଣର ନାମଗନ୍ଧ ନାହିଁ ।

ନିରାପତ୍ତାରକ୍ଷୀଙ୍କ ଭିନ୍ନ ଆଉ କେହି ନଥିଲେ । ତାଙ୍କଠାରୁ ଜାଣିଲି , ସେଠାରେ କୌଣସି ବସ୍ ଷ୍ଟାଣ୍ଡ ନିର୍ମାଣ ହେବାର ପ୍ରଶ୍ନ ନାହିଁ , କାରଣ ସେ ସମଗ୍ର ସ୍ଥାନ ବୃନ୍ଦାବନ ଗାର୍ଡେନ ନାମକ ଏକ ଘରୋଇ ଦକ୍ଷିଣଭାରତୀୟ ସଂସ୍ଥା ନେଇଯାଇଛି ।

ରାଜ୍ୟ ପରିବହନ ବିଭାଗର ଜଣେ ଉଚ୍ଚ ପଦାଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ମୋତେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ମୌଖିକ ନିର୍ଦ୍ଦେଶରେ ସେଠାରେ ବସ୍ ଷ୍ଟାଣ୍ଡ ନିର୍ମାଣରୁ ତାଙ୍କ ବିଭାଗ ଓହରି ଯାଇଛି । ବୃନ୍ଦାବନ ଗାର୍ଡେନ ଦକ୍ଷିଣ ଭାରତର ଏକ ବିଲ୍ଡର ସଂସ୍ଥା ବୋଲି ବି ସେ କହିଥିଲେ ।

ମୁଁ ଏହି ଖବର ପ୍ରକାଶ କରିଥିଲି ୧.୧.୨୦୧୩ ତାରିଖରେ । ଶୀର୍ଷକ ଥିଲା “New Year Exposure/Orissa Chief Minister suspected to have acted a comprador“, ଯାହାକୁ ଅନୁଶୀଳନ ନକଲେ ଓଡ଼ିଶା ବିରୁଦ୍ଧରେ ଏହି ଅପରାଧକୁ ବୁଝି ହେବନାହିଁ । ଯେଉଁ ମନ୍ତ୍ରୀ ଓ ନେତାମାନେ ଶିଳାନ୍ୟାସ ସମାବେଶରେ ଝଲସୁଥିଲେ, ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଏହି ଖବର ପ୍ରକାଶ ପାଇଲା ପରେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ପ୍ରଶ୍ନ କରିନଥିଲେ । ପଂଚାନନ କାନୁନଗୋ ମୁଖ୍ୟମନ୍ତ୍ରୀଙ୍କ ଦଳ ଛାଡ଼ି ଏବେ କଂଗ୍ରେସରେ । ସେବେ ସେ ନୀରବ ଥିଲେ, ଏବେ ବି ନୀରବ । ମୁଖ୍ୟମନ୍ତ୍ରୀ ତ ପାଟି ଫିଟାଇବାକୁ ସାହସ କରିନାହାନ୍ତି ।

ଅଣଓଡ଼ିଆ ପ୍ରୀତିର କୁପରିଣତି

ମାତ୍ର ଭିତରେ ଭିତରେ ଷଡ଼ଯନ୍ତ୍ର ଚଳାଇ, ଯେଉଁ ଓଡ଼ିଆଟି ପାଇଁ କଟକ ସହର ବଞ୍ଚିଯାଇଛି ତା ନାମ ଲୋପ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଗତ ୧୬ ତାରିଖରେ ଉଦ୍ଘାଟିତ ବସ୍ ଷ୍ଟାଣ୍ଡରେ । ଏହି ନୂଆ ବସ୍ ଷ୍ଟାଣ୍ଡ ନେତାଜୀ ସୁଭାଷ ବୋଷଙ୍କ ନାମାନୁସାରେ ନାମିତ ହୋଇଛି । ନେତାଜୀ କଟକର ଓଡ଼ିଆ ବଜାରରେ ଜନ୍ମ ହୋଇଥିଲେ ମଧ୍ୟ ଜଣେ ଅଣଓଡ଼ିଆ ବଙ୍ଗାଳୀ ଓ କଟକ ତଥା ଓଡ଼ିଶା ପାଇଁ ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଅବଦାନ ନାହିଁ । ମହାତ୍ମା ଗାନ୍ଧୀ ଭାଷା ଭିତ୍ତିରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି ଦାବିକୁ ଅତି ଦୃଢ ଭାବେ ସମର୍ଥନ କରିଥିବା ବେଳେ ନେତାଜୀ କେବେ ବି ଏହି ଦାବିକୁ ସମର୍ଥନ କରିନଥିଲେ, ଅଥଚ ଓଡ଼ିଶା ପ୍ରଦେଶ ସୃଷ୍ଟି ପାଇଁ ସର୍ବସ୍ଵ ତ୍ୟାଗ କରିଥିବା ମଧୁବାବୁଙ୍କ ପ୍ରତି ଅପମାନ ପ୍ରଦର୍ଶନ କରିଥିବା ମହତାବଙ୍କୁ ସେ କଂଗ୍ରେସ କାର୍ଯ୍ୟକାରିଣୀର ସଦସ୍ୟ ନିଯୁକ୍ତ କରିଥିଲେ । ଓଡ଼ିଆ ଭାଷା ବିଲୁପ୍ତିକରଣ ପାଇଁ କେତେକ କୁତ୍ସିତମନା ବଙ୍ଗାଳୀ ଯେଉଁ ଚକ୍ରାନ୍ତ ଚଳାଇଥିଲେ ତାକୁ ବି ସେ କେବେ ପ୍ରତିବାଦ କରିନଥିଲେ । ତଥାପି ଓଡ଼ିଆ ଜାତି ତାଙ୍କର କେବେ କୌଣସି ଅମର୍ଯ୍ୟାଦା କରିନାହିଁ ଓ ସମଗ୍ର ରାଜ୍ୟରେ ଅବଶ୍ୟକତାଠାରୁ ଅଧିକ ସମ୍ମାନ ମଧ୍ୟ ତାଙ୍କୁ ଦେଇଛି । ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ତାଙ୍କ ନାମରେ ନାମିତ ହୋଇଛି ଓ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ନାୟୁକେଦ୍ରରେ ତାଙ୍କ ପ୍ରତିମୂର୍ତ୍ତି ରହିଛି । କଟକ ସହର ନଥିଲେ, ଯେଉଁ ନେତାଜୀଙ୍କ ଜନ୍ମ ଓଡ଼ିଶା ମାଟିରେ ସମ୍ଭବ ହୋଇନଥାନ୍ତା ସେହି କଟକ ସହର ଯାହାଙ୍କ ହେତୁ ଧରାପୃଷ୍ଠରେ ବଞ୍ଚି ରହିଛି, ସେହି ବାଇମୁଣ୍ଡିଙ୍କ ନାମରେ ନାମିତ ବସ୍ ଷ୍ଟାଣ୍ଡ ପ୍ରକଳ୍ପରୁ ବାଇମୁଣ୍ଡିଙ୍କ ନାମ କାଟି ନେତାଜୀଙ୍କ ନାମରେ ତାହାକୁ ନାମିତ କରିବା କାମ ନବୀନ ପଟ୍ଟନାୟକ କରିଛନ୍ତି, କାରଣ ତାଙ୍କ ଧମନୀରେ ବଙ୍ଗାଳୀ ରକ୍ତ ପ୍ରବାହିତ ହେଉଛି । କଟକ ବସ୍ ଷ୍ଟାଣ୍ଡ ପ୍ରକଳ୍ପରୁ କଟକକୁ ରକ୍ଷା କରିଥିବା ବାଇମୁଣ୍ଡିଙ୍କ ନାମ ଲୋପ କରାଯିବା ନବୀନଙ୍କ ପ୍ରଚଣ୍ଡ ଓଡ଼ିଆ ବିଦ୍ବେଷର କୁପରିଣତି ।

ଏବେ ସେହି ଜାଗା

ମୋର ଏହି ୱେବସାଇଟରେ ଥିବା ଉପରୋକ୍ତ ରିପୋର୍ଟ ପ୍ରକାଶ ପାଇଲା ପରେ ମୁଖ୍ୟମନ୍ତ୍ରୀ ଘାବେରେଇ ଯାଇଥିଲେ । କା’ଣ ହେଲା କେବଳ ତାଙ୍କୁ ହିଁ ଜଣା, ଯେଉଁ ଘରୋଇ ଅଣଓଡ଼ିଆ ଦକ୍ଷିଣ ଭାରତୀୟ ଓଡ଼ିଶାର ସରକାରୀ ଅର୍ଥରେ ସମୁନ୍ନତ ହୋଇଥିବା ସେହି ଅତି ମୁଲ୍ଯବାନ ଜାଗାକୁ ଅବୈଧ ଭାବେ ଅକ୍ତିଆର କରିଥିଲା, ସେ ସେହିପରି ତାକୁ ପକାଇ ରଖିଛି । ନେତାଜୀଙ୍କ ନାମରେ ନାମିତ କଟକର ନୂଆ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲା ପରେ ମୁଁ ମୋ ଭଣଜା ‘ଚାଚା’ କୁ କହିଥିଲି ସେହି ଜାଗାକୁ ଯାଇ ତାହା ଏବେ କିପରି ଅଛି ତହିଁର କିଛି ଫଟୋ ମୋ ପାଖକୁ ପଠାଇବା ପାଇଁ । ତହିଁରୁ କେଇଟା ମୁଁ ଏଠାରେ ସ୍ଥାନିତ କରୁଛି ।

ସ୍ଥାନଟିର ପ୍ରବେଶ ଦ୍ଵାର ଓ ସଲଗ୍ନ ଚଟାଣର ଫଟୋଦୁଇଟି ପ୍ରତି ଦୃଷ୍ଟି ଦେଲେ ମନେହୁଏ ନେତାଜୀଙ୍କ ନାମରେ ନୂଆ ବସ୍ ଷ୍ଟାଣ୍ଡ ନିର୍ବାଧା ନିର୍ମାଣ ହେଲା ପରେ ପ୍ରାୟ ଦଶ ବର୍ଷର ନିଦ୍ରା ଶେଷରେ ଏହି ଜାଗାରେ ଟାଇଲ ବିଛା ଆରମ୍ଭ ହୋଇଛି । ନରାଜ ଆନିକଟର ଚିରସ୍ଥାୟୀ ସୁନିଳ ଜଳ ଭଣ୍ଡାରରୁ ସଂପୂର୍ଣ୍ଣ ମୁକ୍ତ ବାୟୁ ପ୍ରବାହ ଦ୍ଵାରା ସଦା ସ୍ଵାସ୍ଥ୍ୟକର ଏହି ମହାର୍ହ ଭୂମଣ୍ଡଳ ନବୀନ ପଟ୍ଟନାୟକ କେଉଁ ଅଣଓଡ଼ିଆକୁ ଦେଇଛନ୍ତି ଓ ସେହି ଗୁପ୍ତ ପ୍ରକ୍ରିୟାରେ କଟକର ସବୁଠୁ ବେଶୀ ଜନସମାଗମ ହେବାକୁ ଥିବା “ବାଇମୁଣ୍ଡି ବସ୍ ଷ୍ଟାଣ୍ଡ”ରୁ ବାଇମୁଣ୍ଡିଙ୍କ ନାମ ଲୋପ କରି ସାଧାରଣ ଲୋକଙ୍କ ଭାବସତ୍ତାରେ ଥିବା ବାଇମୁଣ୍ଡିଙ୍କୁ ମାରିଦେଇଛନ୍ତି ତାହା ଉପରେ ତୁରନ୍ତ ତଦନ୍ତ ଆବଶ୍ୟକ ।

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.