ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଭାଷା ଆନ୍ଦୋଳନକୁ ଯେଉଁଦିନ ହୋଇଥିଲା ଆଠ ବର୍ଷ ଦଶ ମାସ ତିନି ଦିନ, ଭୁବନେଶ୍ବରରେ ଆରମ୍ଭ ହୋଇଥିଲା “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ । ଏହାର ଦୁହା ଥିଲା “ଭାଷା ଅତୀତର ଅସ୍ତିତ୍ଵ , ଭାଷା ହିଁ ଭବିଷ୍ୟତ” ।
ଚାରିବର୍ଷ ତଳେ ଭାଷା ଆନ୍ଦୋଳନ ପ୍ରବାହରେ ମୋ ଫେସବୁକ୍ କାନ୍ଥରେ ମୁଁ ତିଆରିକରିଥିବା ଏକ ଶୀର୍ଷକ ଥିଲା, ଭାଷା ହିଁ ଆମ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ।
( http://www.facebook.com/share/p/6Dt5v7kCzq4sTsHr/?mibextid=oFDknk )
କବି ଓ ଶିକ୍ଷାବିତ୍ ମହେନ୍ଦ୍ର ତ୍ରିପାଠୀ ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲେ, “ଭାଷା ପାଇଁ ଚାରିଆଡେ କଳାପତାକା ଅଭିଯାନ, ମୁଁ ଆନନ୍ଦରେ ଆତ୍ମହରା ।”
କଳା ପତାକା ଅଭିଯାନର ଜନପ୍ରିୟତା ଯେପରି ଗତ ନିର୍ବାଚନ ପୂର୍ବରୁ ଭୋଟ ଆଶାରେ ‘କାଳିଆ’ ଯୋଜନା ପ୍ରବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଢୁକାଇଥିଲା , ଏହି ଶୀର୍ଷକ ସେପରି ଏବର୍ଷର ନିର୍ବାଚନ ପୂର୍ବରୁ ତାଙ୍କୁ ବାଧ୍ୟ କରିଛି ମଙ୍ଗିବାକୁ ଯେ, “ଭାଷା ଅତୀତର ଅସ୍ତିତ୍ଵ , ଭାଷା ହିଁ ଭବିଷ୍ୟତ” । ମୋ ଶୀର୍ଷକରୁ “ବର୍ତ୍ତମାନ” ଶବ୍ଦଟିକୁ ବାଦ ଦେବାକୁ ସେ ବାଧ୍ୟ ହୋଇଛନ୍ତି, କାରଣ ଆମ ଭାଷାକୁ ବର୍ତ୍ତମାନ ସେ ଅକର୍ମଣ୍ୟ କରି ପକାଇଛନ୍ତି , ତାଙ୍କର ମୁହଁ ନାହିଁ କହିବାକୁ ଆମ ଭାଷା ବର୍ତ୍ତମାନ କି ଅବସ୍ଥାରେ !
କଳାପତାକା ଅଭିଯାନ ନଚାଲିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଏ, ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ କିଏ?
ତାଙ୍କରି ଜଣେ ପାଖଲୋକଙ୍କ ପକ୍ଷରୁ ଗୋପନୀୟତା ସର୍ତ୍ତରେ ଖବର ମିଳିଛି କି, ଏହି ସମ୍ମିଳନୀରେ ରାଜ୍ୟ ରାଜକୋଷରୁ ବରବାଦ ହୋଇଛି ପାଁଶହ କୋଟି ଟଙ୍କା । ଯେଉଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା କରାଇନଦେବା ପାଇଁ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ (Orissa Official Language Act, 1954) ଅପସଂଶୋଧନ କରିଛନ୍ତି ଓ ଏହି ଅପସଂଶୋଧନ ସମ୍ଭବ କରାଇବାକୁ ବିଧାନ ପ୍ରଣୟନ ପ୍ରକ୍ରିୟାରେ ଜାଲିଆତି କରିଛନ୍ତି, ସେ ଆମ ଭାଷା ନାମରେ ବିଶ୍ଵ ସମ୍ମିଳନୀ କରିବା ଭାଷା ଆନ୍ଦୋଳନ ପାଖରେ ତାଙ୍କ ପରାଜୟର ସଦ୍ୟତମ ପ୍ରମାଣ ।
ଏହି ଆନ୍ଦୋଳନକୁ ଭାଙ୍ଗିବା ପାଇଁ କି ଅପକର୍ମ ସେ ନକଲେ! ସୁପାରି ଦେଇ ଛଦ୍ମଘାତକ ମୁତୟନ କଲେ । ଏ ଆନ୍ଦୋଳନକୁ ଜନସାଧାରଣଙ୍କ ଦୃଷ୍ଟିରୁ ଦୂରେଇରଖିବା ପାଇଁ ଗଣମାଧ୍ୟମକୁ ପ୍ରଭୂତ ଅର୍ଥ ପ୍ରଦାନ କରି ସେଗୁଡ଼ିକୁ ଆଖି ବନ୍ଦ ରଖିବାକୁ ବାଧ୍ୟ କଲେ । ମୋ ଦାବି ଅନୁରୂପ ଭାଷା ଆଇନ ସଂଶୋଧନ କରୁଛନ୍ତି ବୋଲି ପ୍ରଚାର କରାଇ ବିଧାନ ପ୍ରଣୟନ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରି ଆମ ଭାଷା ଆଇନକୁ ଅକର୍ମଣ୍ୟ କରିଦେଲେ । ଏ ସମସ୍ତର ପ୍ରାମାଣିକ ତଥ୍ୟ ମୁଁ ତିନୋଟି ପୁସ୍ତକରେ ପ୍ରଦାନ କରିଛି । ସେଗୁଡ଼ିକ ହେଲେ “ଦାନାର ତୋବଡ଼ା” , “ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ” ଓ “ଭର୍ତ୍ସନୀୟ ବିଧାନସଭା” । ଏହି ତିନି ଅକାଟ୍ୟ ତଥ୍ୟଭରା ବହି ସାଙ୍ଗକୁ ତାଙ୍କ ସୁପାରିଖିଆ ଲୋକେ ଓ ସାମ୍ବାଦିକେ ଭାଷା ଆନ୍ଦୋଳନକୁ ଭାଙ୍ଗି ନପାରିବା ସାଙ୍ଗକୁ ଭାଷା ଅଧିକାର ପାଇଁ ଅତୁଟ କଳା ପତାକା ଅଭିଯାନ ନବୀନଙ୍କ ବିରୁଦ୍ଧରେ ଜନରୋଷର ଏପରି ଅଦୃଶ୍ୟ ତତଲା ଫଲ୍ଗୁ ଧାରା ସାରା ଓଡ଼ିଶାରେ ଖେଳାଇ ଦେଇସାରିଛି ଯେ, “ଗୋରୁ ଲାଞ୍ଜ ଧରି ତପ୍ତ ବୈତରଣୀ ପାର ହେବା” ପରି ଆସନ୍ନ ନିର୍ବାଚନରେ ତଡ଼ା ଖାଇବାରୁ ବର୍ତ୍ତିଯିବା ପାଇଁ ସେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆଶ୍ରୟ ନେଇଛନ୍ତି, ଯେଉଁ ସମ୍ମିଳନୀ ମୁଁ ମନ୍ତ୍ରୀସ୍ତରୀୟ କମିଟିର ସଭ୍ୟ ଥିବା ବେଳେ ୧୦୧୫ରେ ପ୍ରସ୍ତାବିତ ହୋଇଥିଲା ଓ ଯାହାକୁ ସେ ଏଯାଏଁ ଅବଜ୍ଞା କରି ଆସିଥିଲେ ।
ଏହି ପ୍ରେକ୍ଷାପଟରେ, ଏହି ଏକା ନବୀନ ପଟ୍ଟନାୟକ ଓଡ଼ିଆ ଭାଷାହିଁ ଆମ ଭବିଷ୍ୟତ ବୋଲି ସ୍ଵୀକାର କରିଥିବା ଯେ ତାଙ୍କ ଦ୍ଵାରା ଛୁରିକାବିଦ୍ଧ ଭାଷା ଆନ୍ଦୋଳନର ନୈତିକ ବିଜୟ – ଏହି ବାସ୍ତବତା ମୋତେ ଆନନ୍ଦ ଦେଉଛି । ଯେତେ ଓଡ଼ିଆ ମୋ ପ୍ରତିଷ୍ଠିତ ଭାଷା ଆନ୍ଦୋଳନକୁ ସମର୍ଥନ କରି କଳା ପତାକା ତୋଳିଛନ୍ତି, ଓଡ଼ିଶାର ଯେଉଁ ଶ୍ରେଷ୍ଠ ଭାଷାବିଜ୍ଞାନୀ ଓ ଜନନେତାମାନେ ମହାମାରକ କୋଭିଦ -୧୯ କାଳରେ କଳାପତାକା ଅଭିଯାନର ବୌଦ୍ଧିକ ଅଧ୍ୟାୟରେ ସାମାଜିକ ଗଣମାଧ୍ୟମ ‘ଫେସବୁକ୍’ ମଞ୍ଚରେ ସିଧା ପ୍ରସାରଣ କ୍ରମେ ଓଡ଼ିଆରେ ଓଡ଼ିଶାର ପରିଚାଳନା ପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ଦେଇଥିବା ପ୍ରସ୍ତାବକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରି ଓଡ଼ିଶାରେ ଭାଷା ଜାତୀୟତାର ନବପ୍ରବାହକୁ ଶକ୍ତି ପ୍ରଦାନ କରିଛନ୍ତି , ସେ ସମସ୍ତଙ୍କୁ ତଥା ଭାଷା ମା ପାଇଁ ୨୦୧୫ର ଐତିହାସିକ ଅନଶନ-ଧର୍ମଘଟକାରୀ କବି ଗଜାନନ ମିଶ୍ର ଓ ସେହି ଧର୍ମଘଟ ସହ ନିଜ ନିଜକୁ ଜଡ଼ିତ କରିଥିବା ପ୍ରତ୍ୟେକ ଭାଷାପ୍ରାଣ ଓଡ଼ିଆଙ୍କୁ ଏଥିପାଇଁ ମୁଁ ଧନ୍ୟବାଦ ଅର୍ପଣ କରୁଛି ।
ମୋର ବିଶ୍ଵାସ , କତରା ଘୋଡ଼ାଇ ହେଲେ ଯମ ଯେମିତି ଛାଡ଼େ ନାହିଁ, ଠିକ୍ ସେମିତି ଏବେ ନିର୍ବାଚନ ବୈତରଣୀ ପାରି ହେବାକୁ ନବୀନ ପଟ୍ଟନାୟକ ବିଶ୍ବ ଓଡ଼ିଆ ସମ୍ମିଳନୀ ପରି ଯେତେ ବାହାନା କଲେ ମଧ୍ୟ ତାଙ୍କ ଜାଲିଆତିର ଶିକାର ହୋଇଥିବା ଓଡ଼ିଆ ଜାତି ତାଙ୍କୁ କ୍ଷମା ଦେବ ନାହିଁ ଓ ତାଙ୍କୁ ବିତାଡ଼ିତ କରି ହିଁ ଓଡ଼ିଆ ଭାଷାଜନନୀର ଜୟ ହେବ ।
2 comments » Write a comment