ବର୍ଷ ଶେଷର ନୈବେଦ୍ୟ // ଯୁଗପୁରୁଷ ମଧୁସୂଦନ ଦାସ : ଆମ ଜାତି ଓ ଆମ କର୍ତ୍ତବ୍ୟ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

 

ଗୋଟିଏ ଜାତି ଯେତେବେଳେ ଭୟଙ୍କର ବିପତ୍ତିରେ ପଡ଼ିଥାଏ, ସେତେବେଳେ ତାକୁ ତହିଁରୁ ଉଦ୍ଧାର କରିବା ପାଇଁ ଯିଏ ସମର୍ଥ ନେତୃତ୍ଵ ଦେଇଥାନ୍ତି, ତାଙ୍କୁ କୁହାଯାଏ ଯୁଗ ପୁରୁଷ । ଓଡ଼ିଶାର ଏକମାତ୍ର ଯୁଗ ପୁରୁଷ ହେଲେ ମଧୁବାବୁ : ଓଡ଼ିଆ ଜାତିର ପ୍ରାଣପ୍ରିୟ କୁଳବୃଦ୍ଧ ମଧୁସୂଦନ ଦାସ ।

ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ନେଇ ଏକ ସ୍ଵତନ୍ତ୍ର ରାଜ୍ୟ ହେବ, ଯେଉଁଠି ସବୁ କାମ ଓଡ଼ିଆରେ ହେବ, ଏହି ଥିଲା ତାଙ୍କ ସ୍ଵପ୍ନ ।

ତାଙ୍କ ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀକୁ ହଡ଼ଫ କରି ସମ୍ମିଳନୀର ଏକ ଅନଧିକୃତ ଅଧିବେଶନ ଚକ୍ରଧରପୁରରେ ସଂଘଟିତ କରି ଗୋପବନ୍ଧୁବାବୁ ଯଦି ତାହାକୁ ବସ୍ତୁତଃ ହତ୍ୟା କରିନଥାନ୍ତେ, ତେବେ ଓଡ଼ିଆ ଭାଷାଭାଷୀ ସମଗ୍ର ଭୂଖଣ୍ଡକୁ ନେଇ ଓଡ଼ିଶା ଆବିର୍ଭୂତ ହୋଇଥାନ୍ତା । ଜାତିଭିତ୍ତିରେ ମଣିଷମାନଙ୍କୁ ଜନ୍ମତଃ ଭିନ୍ନ ଭିନ୍ନ ବିଚାରିବା ବ୍ୟବସ୍ଥା ସହ ଏକମତ ନଥିବା ମଧୁବାବୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବାରୁ ଓଡ଼ିଶାର ହିନ୍ଦୁ ମହାସଭା ସମର୍ଥକମାନେ ଭିତରେ ଭିତରେ ତାଙ୍କୁ ବିରୋଧ କରୁଥିଲେ ଓ ଶେଷରେ ତାଙ୍କ ଉତ୍କଳ ସମ୍ମିଳନୀକୁ ଲୋପ କରି ତାଙ୍କ ସ୍ଵପ୍ନକୁ ସମ୍ପୂର୍ଣ୍ଣତଃ ସାକାର ହେବାକୁ ଦେଇନଥିଲେ ।

ମଧୁବାବୁଙ୍କ ସେହି ଅପୂର୍ଣ୍ଣ ସ୍ବପ୍ନକୁ ସମ୍ପୂର୍ଣ୍ଣ କରିବାକୁ ଆମେ ଆମ ଭାଷାରେ ଆମ ରାଜ୍ୟର ପରିଚାଳନା ପାଇଁ ସଂଗ୍ରାମ ରତ; କିନ୍ତୁ ଆମ ରାଜ୍ୟ ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କ କବଳରେ ପଡିଛି, ଯିଏ ତାଙ୍କ ବାପାଙ୍କ ମତଲବକୁ ଚରିତାର୍ଥ କରିବା ପାଇଁ ଆମ ଭାଷା ବିରୁଦ୍ଧରେ ବିଧାନସଭାରେ ଜାଲିଆତି ବି ପ୍ରୟୋଗ କରିଛନ୍ତି । ଓଡ଼ିଆ ଜାତିର ଭାଗ୍ୟାକାଶରେ ଜମିରହିଥିବା ଅନ୍ଧକାର ଅଧିକ ଭୟଙ୍କର ଭାବେ ଘଞ୍ଚ ହୋଇଉଠିଛି ।

ଏହି ଦାରୁଣ ଦୁର୍ବିପାକ କବଳରେ ଆମେ ଆମ ପରିଚୟ ହରାଇବାକୁ ବସିଥିବା ବେଳେ, ଆମ ଭାଷାର ଲାଭଜନକ ଉପଯୋଗ କରି ନିଜ ନିଜ ପାଇଁ ପୁସ୍ତକୀୟ ଆୟ, ଲେଖକୀୟ ପରିଚୟ, ଅଖିଝଲସା ସମ୍ମାନ ସଂଗ୍ରହ କରୁଥିବା ଭାଷାଜୀବୀମାନେ ମୁହୂର୍ତ୍ତକପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କେବେ କହିନାହାନ୍ତି ମଧୁବାବୁଙ୍କ ଜୀବନବ୍ୟାପୀ ତପସ୍ୟାକୁ ବ୍ୟର୍ଥ କରିବା ପାଇଁ ସେ ଯେଉଁ ଷଡ଼ଯନ୍ତ୍ର ଚଲାଇଛନ୍ତି, ତହିଁରୁ ନିବୃତ୍ତ ହେବା ପାଇଁ । ଯେଉଁ ଓଡ଼ିଆମାନେ ସରସ୍ଵତୀ ସମ୍ମାନ, ଜ୍ଞାନପୀଠ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମ୍ମାନ, ରାଜ୍ୟ ସାହିତ୍ୟ ଏକାଡ଼େମୀ ସମ୍ମାନ, ସାରଳା ସମ୍ମାନ ଆଦି ସମ୍ମାନ ସାଉଁଟିଛନ୍ତି, ସାହିତ୍ୟସେବା ଆଳରେ ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ବିନା ଗବେଷଣାରେ ସମ୍ମାନଜନକ ଡକ୍ଟରେଟ ହାସଲ କରିଛନ୍ତି, ବିଭିନ୍ନ କିସମର ପଦ୍ମ ସମ୍ମାନରେ ବିଭୂଷିତ ହୋଇଛନ୍ତି , ସେ ସମସ୍ତେ ଓଡ଼ିଆ ଭାଷା କରୁଣାରୁ ସେ ସବୁ ଅର୍ଜନ କରିଛନ୍ତି । ଅଥଚ, ଓଡ଼ିଆ ଜାତିକୁ ଭାଷା ଅଧିକାର ମିଳୁନି; ସେମାନଙ୍କ ପାଟି ଫିଟୁନି !

ଆମ ଭାଷାଜୀବୀ ସାହିତ୍ୟିକମାନେ ଭାବୁଛନ୍ତି ଯେ, ସେମାନଙ୍କ ପରିସୃଷ୍ଟ ସାହିତ୍ୟ ହେତୁ ଓଡ଼ିଆ ଭାଷା ପରିପୁଷ୍ଟ ହେଉଛି । ମାତ୍ର ସେମାନେ ସ୍ଵୀକାର କରିବା ଆବଶ୍ୟକ ଯେ, ସେମାନଙ୍କୁ ସାହିତ୍ୟିକ ଭାବେ ଝଲସିବାର ଓ ଏତେ ସବୁ ସମ୍ମାନ, ଉପାଧି, ଅର୍ଥ ଅର୍ଜିବାର ପରିସର ଯିଏ ଦେଇଛି, ତାହା କେବଳ ଓଡ଼ିଆ ଭାଷା । ସାହିତ୍ୟ ଆମ ସହଜାତ ନୁହେଁ, ଭାଷା ଆମ ସହଜାତ । ଭାଷାର ସ୍ଵାର୍ଥକୈନ୍ଦ୍ରିକ ଉପଯୋଗ ଦ୍ଵାରା ସାହିତ୍ୟ ସୃଷ୍ତିହୁଏ , କିନ୍ତୁ ଯେଉଁ ଭାଷା କାମର ଭାଷା ନହୁଏ ସେ ଭାଷା ମରିଯାଏ , ଯେମିତି ମରିଯାଇଛି ବିପୁଳ ସାହିତ୍ୟ ସତ୍ତ୍ୱେ ପାଳି, ମରିଯାଇଛି ସଂସ୍କୃତ ।

ଓଡ଼ିଆ ଭାଷା ହିଁ ଆମ ପରିଚୟ । ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ବଙ୍ଗଳା ଯଦି ଆମ ଭାଷା ହୋଇଥାନ୍ତା, ଆମେ ହୋଇଥାନ୍ତେ ବଙ୍ଗାଳୀ ; ତେଲୁଗୁ ଯଦି ଆମ ଭାଷା ହୋଇଥାନ୍ତା, ଆମେ ହୋଇଥାନ୍ତେ ତେଲେଙ୍ଗା । ଆମ ଭାଷାଜୀବୀ ସାହିତ୍ୟିକମାନେ ଏହା ବୁଝିବା ଉଚିତ । ସେଥିପାଇଁ, ସେମାନେ ଓଡ଼ିଆବିଦ୍ଵେଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ଵର ତୋଳିବା ଉଚିତ । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଆମ ଭାଷା ଆଇନର ସଂଶୋଧନ ପାଇଁ ମୁଁ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ କହିବା ଉଚିତ ଓ କଳାପତାକା ଅଭିଯାନରେ ଝାସ ଦେବା ଉଚିତ । ଆମ ସାହିତ୍ୟିକମାନେ କେବଳ ଭାଷାଜୀବୀ ନୁହନ୍ତି , ସେମାନେ ଭାଷାପ୍ରେମୀ ମଧ୍ୟ, ଏହା ସରକାରଙ୍କୁ ଓ ସାରା ବିଶ୍ଵକୁ ଜଣାଇଦେବା ପାଇଁ ସେମାନେ ସମସ୍ତ କୁଣ୍ଠା ବିସର୍ଜନ କରି କଳାପତାକା ଅଭିଯାନକୁ ଆସନ୍ତୁ ।

ଓଡ଼ିଆ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶର ରୂପାଯନ ପାଇଁ ମଧୁବାବୁ ଯେଉଁ ଆନ୍ଦୋଳନ କରିଥିଲେ ତାହା ଯେପରି ବିଷୟନିଷ୍ଠ, ଅଥଚ ଆଇନ ସମ୍ମତ ଥିଲା, ଠିକ ସେହି ଢାଞ୍ଚାରେ ମୁଁ ଏହି ଆନ୍ଦୋଳନ ଗଢିଛି । କୌଣସି ଆଇନ ଉଲ୍ଲଂଘନ ନକରି ଆଇନଅମାନ୍ୟକାରୀ ସରକାରକୁ ଆମ ଭାଷା ଆଇନର ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଓ ଓଡ଼ିଆ ଭାଷାକୁ ସର୍ବତୋଭାବେ ଓଡ଼ିଶାର କାର୍ଯ୍ୟଭାଷା କରିବା ପାଇଁ କିପରି ବାଧ୍ୟ କରାଯାଇପାରେ ଏହା ତାହାର ଉତ୍କୃଷ୍ଟତମ ପରୀକ୍ଷଣ ।

ଓଡ଼ିଆ ଭାଷାକୁ ଓଡ଼ିଆ ଜାତିର କାର୍ଯ୍ୟଭାଷା କରିବା ଉଦ୍ଦେଶ୍ୟରେ ଏକ ଭାଷାଭିତ୍ତିକ ପ୍ରଦେଶ ଭାବେ ଓଡ଼ିଶାର ପରିକଳ୍ପନା କରି ତାହାର ରୂପାଯନ ପାଇଁ ମଧୁବାବୁ ଯେଉଁ ଉତ୍କଳ ସମ୍ମିଳନୀ ଗଢିଥିଲେ, ତହିଁରେ ଯୋଗଦେବାକୁ ସବୁ ଓଡ଼ିଆଙ୍କୁ ଆହ୍ଵାନ ଦେଇ ସେ କହିଥିଲେ –“ଏହି ସମ୍ମିଳନୀ ଜାତିପ୍ରାଣସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ, ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ ।“

କଳାପତାକା ଅଭିଯାନ ଓଡ଼ିଆ ଜାତିର ଆତ୍ମାର ଅଭିଯାନ । ଏଥିରେ ଝାସ ଦେଇ ଆମ ସାହିତ୍ୟିକମାନେ ନିଜ ଭାଷାଜନନୀଙ୍କୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବାକୁ ଉଦ୍ୟମ କରନ୍ତୁ ।

ଏହି କଥା କହି, ୨୦୨୩ର ଏହି ଶେଷ ଦିବସରେ ଭାଷାପ୍ରେମୀ ଓଡ଼ିଆ ଜାତି ପକ୍ଷରୁ ମୁଁ ମଧୁବାବୁଙ୍କୁ ଆଭୂମ ପ୍ରଣାମ ଜଣାଉଛି ଓ ତାଙ୍କ ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀର ସ୍ମୃତି ସମ୍ମୁଖରେ ନତମସ୍ତକ ହେଉଛି ।

1 comment » Write a comment

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.