ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରେସ୍ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭ୍ୟାସଗତ ଅବଜ୍ଞାଭାବ ସତ୍ତ୍ଵେ ସେପ୍ଟେମ୍ବର ୨୧ରେ କ୍ୟାମେରା ସାମ୍ନାକୁ ଆସି ସେ ତାଙ୍କ ଦଳରୁ ଖଣ୍ଡପଡ଼ା ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କାର କରିଥିବା ଘୋଷଣା କରିଥିଲେ । ତାଙ୍କ ରାଜନୈତିକ ହନିଟ୍ରାପରେ ପଡ଼ି ଯେଉଁ ସୌମ୍ଯରଞ୍ଜନ ଭାଷା ଆନ୍ଦୋଳନକୁ ଧୋକା ଦେଇ ନବୀନଙ୍କ ହାତ ଧରିଥିଲେ, ସେହି ସୌମ୍ଯରଞ୍ଜନଙ୍କୁ ସେହି ନବୀନ ଦଳର ପ୍ରାଥମିକ ସଦସ୍ୟ ପଦରୁ ବାହାର କରିଦେବା ନିଶ୍ଚୟ ଏହି କାଳଖଣ୍ଡର ଏକ କୌତୁହଳୋଦ୍ଦୀପକ ଘଟଣା ।
କେଉଁ କାରଣ ହେତୁ ଏପରି ପଦକ୍ଷେପ ନିଆଗଲା ତାହା ତାଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ତାହା ହେଲା, ସମ୍ବାଦରେ ବହୁ ଦଶନ୍ଧି ତଳେ ଚାକିରି କରୁଥିବା କେଇଜଣଙ୍କ ଅଭିଯୋଗ ଯେ, ସୌମ୍ୟବାବୁ ସେମାନଙ୍କ ଶ୍ରମିକତ୍ଵ ବିନିଯୋଗ କରି ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାଣ କରିଥିଲେ ।
ଓଡ଼ିଶାର ସୁବିଦିତ ସାମ୍ବାଦିକ ସମ୍ପଦ ମହାପାତ୍ର ତାଙ୍କ ଫେସବୁକ୍ ପୃଷ୍ଠାରେ ଲେଖିଛନ୍ତି :
ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ! ଓଡ଼ିଶା ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ନବୀନ ସରକାର ନିଜକୁ ପବିତ୍ର ଏବଂ ସ୍ୱଚ୍ଛ ବୋଲି ଦାବି କରିବା ହାସ୍ୟାସ୍ପଦ ମନେ ହେଉଛି । ସୌମ୍ୟ ବାବୁଙ୍କ ନାଁ ରେ ଅଭିଯୋଗ ଆସିବା ମାତ୍ରେ ତାଙ୍କୁ ତରତରିଆ ଢଙ୍ଗରେ ଅପରାଧୀ ଭାବେ ଚିତ୍ରଣ କରି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶାସକ ଦଳରୁ ବହିଷ୍କାର କରାଯାଇଛି । ଏ ସରକାର କେତେ ନିର୍ମଳ ଏବଂ ଦୁର୍ନୀତିମୁକ୍ତ ସେ କଥା, ଏ ସରକାରର ପତନ ପରେ ସ୍ପଷ୍ଟ ହେବ । ଏବେ ରାଜ୍ୟର ସବୁ ଗଣମାଧ୍ୟମର ମାଲିକଙ୍କୁ ନାଲି ଆଖି ଦେଖାଇ ରାତିକୁ ଦିନ ବୋଲି କହିବାକୁ ବାଧ୍ୟ କରାଯାଉଛି । ତା’ଛଡ଼ା ସରକାରୀ ବିଜ୍ଞାପନର ଲୋଭକୁ ମଧ୍ୟ ଥୋପ ଭାବେ ବ୍ୟବହାର କରାଯାଉଛି । ରାଜ୍ୟର ପ୍ରାୟ ସବୁ ଗଣମାଧ୍ୟମରେ ଆର୍ଥିକ କାରବାରରେ ଅସଙ୍ଗତି ଏବଂ କର୍ମଚାରୀଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପ ଚାଲିଥିବାର ଅଭିଯୋଗ ଆମେ ଶୁଣିଛୁ । ଏ ଖବର ରାଜ୍ୟ ସରକାରଙ୍କ ପାଖରେ ଅଛି । କିନ୍ତୁ କାହା ବିରୋଧରେ କୌଣସି ପଦକ୍ଷେପ ନିଆଯିବାର ଦୃଷ୍ଟାନ୍ତ ନାହିଁ । ୨୩ ବର୍ଷ ଧରି ନିରଙ୍କୁଶ ଭାବେ ଶାସନରେ ରହିବା ଯୋଗୁ ନବୀନ ବାବୁ ଓ ତାଙ୍କର ପ୍ରିୟ ସଚିବମାନେ ଧରାକୁ ସରା ମଣୁଛନ୍ତି । କିନ୍ତ କେହି ଭୁଲିଯିବା ଉଚିତ ନୁହେଁ ଯେ କ୍ଷମତା ଚିରସ୍ଥାୟୀ ନୁହେଁ । ଯେତେବେଳେ ଶାସନ ବଦଳିବ ସେତେବେଳେ ଆଜିର ଧୋବ ଫରଫର ନେତା ଓ ଅମଲାଙ୍କ ଅସଲ କଦର୍ଯ୍ୟ ରୂପ ସାମ୍ନାକୁ ଆସିବ ହିଁ ଆସିବ ।
ଅନ୍ଯତମ ସୁଖ୍ୟାତ ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି, “ରାଜ୍ୟର ଆଉ କେଉଁ ବିଜେଡ଼ି ବିଧାୟକଙ୍କ ବିରୋଧରେ ଅପରାଧ ଅଭିଯୋଗ ଅଛି କି?” ଯଦି ଅଛି, ସେମାନଙ୍କ ଭିତରେ “ଜନବିରୋଧୀ କେତେ? ମହିଳାବିରୋଧୀ କେତେ? ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ କେତେ?” ସେ ସ୍ମରଣ କରାଇ ଦେଇଛନ୍ତି, “ଦୁର୍ନୀତିର ଛାୟା ଦିଶିଲା ବୋଲି” ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅତୀତରେ କେଇଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ । “ସେମାନଙ୍କଠାରୁ ଏ ମଧ୍ୟରେ ଛାୟା ଅପସାରଣ ହେଇ ସାରିଛି” କି ବୋଲି ପଚାରିଛନ୍ତି ଦେବୀ ପ୍ରସନ୍ନ ।
ମୁଖ୍ୟମନ୍ତ୍ରୀଙ୍କୁ ସେ ମନେପକାଇଦେଇଛନ୍ତି ଯେ, “ଗତ ନିର୍ବାଚନରେ ବିଜୁ ଜନତା ଦଳର ୪୫ ଜଣ ବିଧାୟକ ପ୍ରାର୍ଥୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ କରିଥିବା ସତ୍ୟପାଠରେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଉଲ୍ଲେଖ କରିଥିଲେ। ଏଥିରୁ ୩୨ ଜଣଙ୍କ ବିରୋଧରେ ସଙ୍ଗୀନଅପରାଧର ଅଭିଯୋଗ ବି ରହିଛି।” ତେବେ, “ସେହି ୪୫ ଜଣ ଏବେ ବି ଦଳୀୟ ବିଧାୟକ ହେଇ ରହି ଅଛନ୍ତି” କିପରି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ।
ବିଶିଷ୍ଟ ସାମ୍ବାଦିକ ସନ୍ଦୀପ ସାହୁ ତାଙ୍କ ଫେସବୁକ ପୃଷ୍ଠାରେ ଲେଖିଛନ୍ତି, ରାଜ୍ୟରେ ପ୍ରଶାସନିକ ପ୍ରତିହିଂସା ଏପରି ବୃଦ୍ଧି ପାଇଛି ଯେ, ଜଣେ ସତ୍ୟାନୁସନ୍ଧାନୀ ସାମ୍ବାଦିକ ପକ୍ଷେ ଏ ସମୟ ବଡ଼ ଭୀତିପ୍ରଦ ବୋଲି କୁହାଯାଇପାରେ । ଗତ କେଇ ସପ୍ତାହରେ ଯାହା ସବୁ ଘଟିଗଲାଣି, ତହିଁରୁ ମନେ ହୁଏ,କୌଣସି ଦୋଷ ନଥିଲେ ମଧ୍ୟ ଦୋଷ ଥିବାର ଅଭିଯୋଗ ଉତ୍ପାଦନ କରାଯାଇପାରିବ ଓ ସରକାରୀ ଶିକାରୀ କୁକୁରଙ୍କୁ ଲଗାଇ ଜଣେ ନିଷ୍ଠାପର ସମ୍ବାଦିକଙ୍କୁ କ୍ଷତାକ୍ତ କରିହେବ । ମିଥ୍ୟା ମକଦ୍ଦମା କରି ତାଙ୍କୁ କାରାଗର ଭିତରକୁ ଫୋପାଡ଼ି ବି ଦେଇହେବ । ସରକାରୀ ଶିକାରୀ କୁକୁରଙ୍କ ସମତାଳରେ ଦଳୀୟ ଚାଣୁରମାନଙ୍କ ମାଧ୍ୟମରେ ଅଶ୍ଳୀଳ ଶବ୍ଦବାଣ ପ୍ରହାର କରି ବୃତ୍ତିନିଷ୍ଠ ସମ୍ବାଦିକମାନଙ୍କ ନୈତିକ ବଳ କ୍ଷୁର୍ଣ୍ଣ କରାଇବା ସତେ ଯେମିତି ଏ ସରକାର ପାଇଁ ଆଉ ଅସ୍ଵାଭାବିକ ହୋଇରହିନାହିଁ । ଏହି ପୃଷ୍ଠାରେ ଶ୍ରୀ ସାହୁଙ୍କ ମନୋବ୍ୟଥାର ଅବତାରଣ କରାଯାଇଛି ।
ଏହି ପ୍ରେକ୍ଷାପଟରେ ଏବେ ଆସିବା ସୌମ୍ଯରଞ୍ଜନ ପଟ୍ଟନାୟକଙ୍କ ପାଖକୁ ।
ତାଙ୍କ ବିରୁଦ୍ଧରେ ନବୀନବାବୁ ତ୍ରିବିଧ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ପ୍ରଥମତଃ , ତାଙ୍କ ଅଧୀନସ୍ଥ ଗଣମାଧ୍ୟମକୁ ସରକାରୀ ବିଜ୍ଞାପନ ନଦେବା ପାଇଁ ବାଚନିକ ନିର୍ଦ୍ଦେଶ ଦେଇଛନ୍ତି; ଦ୍ବିତୀୟତଃ, ତାଙ୍କ ବିରୁଦ୍ଧରେ ସମ୍ବାଦର କେତେକ ପୂର୍ବତନ କର୍ମଚାରୀଙ୍କ ରହସ୍ୟଜନକ ଅଭିଯୋଗ ଭିତ୍ତିରେ କ୍ରାଇମ ବ୍ରାଞ୍ଚର ଆର୍ଥିକ ଅପରାଧ ଯାଞ୍ଚକାରୀ ଦଳ ଦ୍ଵାରା ତଦନ୍ତ କରାଇ ତଦନ୍ତକାରୀଙ୍କ ମୁହଁରେ ତାଙ୍କୁ ଦୋଷୀ ବୋଲି କୁହାଇଛନ୍ତି ଓ ତୃତୀୟତଃ , ସେହି ଭିତ୍ତିରେ ତାଙ୍କୁ ବିଜଦରୁ ବହିଷ୍କାର କରିଛନ୍ତି ।
ତୃତୀୟ କାର୍ଯ୍ୟାନୁଷ୍ଠାନ ଚରିତ୍ରତଃ ରାଜନୈତିକ ହୋଇଥିବା ବେଳେ ଏହାକୁ ଦ୍ଵିତୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଧାରିତ କରିଥିବା ହେତୁ ଯାହା ଆଇନତଃ ଏକ ଘରୋଇ ଶିଳ୍ପ ବିବାଦ ଓ ଶିଳ୍ପ ବିବାଦ ଆଇନ ଅନୁସାରେ ବିଚାର୍ଯ୍ୟ, ତାକୁ ତାଙ୍କ ଦଳୀୟ ରାଜନୀତିର ପଶାପାଲିରେ ପକାଇ ତଥାକଥିତ ଆପରାଧିକ ତଦନ୍ତକୁ ରାଜନୈତିକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ଅଧିକାର ଆଇନତଃ ତାଙ୍କର ନାହିଁ । ମାତ୍ର ଆଇନ ନବୁଝିବା ଓ ଆଇନ ଉଲ୍ଲଂଘନ କରିବା ନବୀନବାବୁଙ୍କ ସହଜାତ ପ୍ରକୃତି । ତାଙ୍କର ଏହି ପ୍ରକୃତି ହେତୁ ଓଡ଼ିଶାରେ ଅରାଜକତା ଏତେ ବ୍ୟାପକ ହୋଇଛି ।
ଯିବା ଏବେ ଦ୍ଵିତୀୟ କାର୍ଯ୍ୟାନୁଷ୍ଠାନର ଅଳିନ୍ଦକୁ ।
ଅଭିଯୋଗକାରୀ କର୍ମଚାରୀମାନଙ୍କ ଅଭିଯୋଗ ଜୀବନ୍ତ ନୁହେଁ । ବହୁ ଦଶନ୍ଧି ତଳେ ସେମାନେ ସଂବାଦ କାଗଜରେ ଶ୍ରମିକ ଥିବା ବେଳେ ସଂବାଦ ସମ୍ପାଦକ କୌଣସି କୌଣସି ବ୍ୟାଙ୍କରୁ ଋଣ ପାଇଁ ଦରଖାସ୍ତ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇ ଥିଲେ ଓ ସେମାନଙ୍କ ନାମରେ ସେହି ଋଣ ମଞ୍ଜୁର କରାଇ ମଞ୍ଜୁର ଅର୍ଥ ନିଜେ ହାତେଇ ସେମାନଙ୍କ କିସ୍ତି ସୁଧା ସହ ବ୍ୟାଙ୍କକୁ ପରିଶୋଧ କରିଥିଲେ ବୋଲି ସେହି ଶମିକମାନେ କ୍ରାଇମ ବ୍ରାଞ୍ଚ ପାଖରେ ଜଣକ ପରେ ଜଣେ ଅଭିଯୋଗ କରିଥିବା ନବୀନବାବୁ କହିଛନ୍ତି । କ୍ରାଇମ ବ୍ରାଞ୍ଚ ବୟାନରୁ ଜଣାଗଲା, କୌଣସି ଶ୍ରମିକ କହିନାହିଁ ଯେ, ସେ ନେଇଥିବା ଋଣ ନିଜେ ଶୁଝିଛି । ସେ ସମସ୍ତେ କହିଛନ୍ତି, ସେମାନେ ନେଇଥିବା ଋଣ ସୌମ୍ଯରଞ୍ଜନ ପଟ୍ଟନାୟକ ହିଁ ଶୁଝିଛନ୍ତି ସୁଧ ସହ । ଫଳରେ କୌଣସି ଶ୍ରମିକ ଉପରେ କୌଣସି ବ୍ୟାଙ୍କର କାଣୀକଉଡ଼ିଏ ବି ବାକି ନାହିଁ । କୌଣସି ବ୍ଯାଙ୍କ ମଧ୍ୟ କହିନାହିଁ ଯେ, ସୌମ୍ୟବାବୁଙ୍କ କଥା ଅନୁସାରେ ତାହା କୌଣସି ଶ୍ରମିକଙ୍କୁ ଦେଇଥିବା ଋଣ ଅନାଦାୟ ଅଛି । ଅତଏବ ଋଣ ସଙ୍କ୍ରାନ୍ତିୟ କୌଣସି ବିବାଦ କେଉଁଠି ବି ନାହିଁ । ଯେଉଁ ବିବାଦ ଆଦୌ ନାହିଁ, ତାହା ଏକ ଆର୍ଥିକ ବିବାଦ ଭାବେ ବିବେଚ୍ଯ ନୁହେଁ । ଯଦି ଏହି ଋଣ ଘଟଣା ଘଟିଥାଏ, ତହିଁ ଉପରେ ବହୁ ଦଶନ୍ଧି ପରେ କୌଣସି ଶ୍ରମିକ କ୍ରାଇମ ବ୍ରାଞ୍ଚରେ ଅଭିଯୋଗ କରିବା ନିଜେ ହିଁ ଏକ କ୍ରାଇମ । କାରଣ ସମ୍ପୃକ୍ତ ଶ୍ରମିକ ତା ପୂର୍ବତନ ମାଲିକଙ୍କୁ ଅଯଥା ମକଦ୍ଦମା ଭିତରକୁ ଟାଣିବା କୌଣସି କାରଣ ନଥାଇ କାହାକୁ ମକଦ୍ଦମା ଭିତରକୁ ଟାଣିବା ପରି ଏକ ଧର୍ତ୍ତବ୍ୟ ଅପରାଧ । କ୍ରାଇମ ବ୍ରାଞ୍ଚ ଏହାକୁ ଗ୍ରହଣ କରି ତଦନ୍ତ ଆଳରେ ସଂତ୍ରାସ ସୃଷ୍ଟି କରିବା ସଂପୂର୍ଣ୍ଣ ଅସଙ୍ଗତ । ଅଧିକନ୍ତୁ, ଏପରି ଅଭିଯୋଗ ଅବଧିଗତ ଆଇନର ବି ବିରୁଦ୍ଧାଚରଣ କରୁଛି । ଘଟଣାଟି ଯଦି ସତ୍ୟ ହୋଇଥାଏ, ଯଥା ସମୟରେ ବିବାଦ ତୋଳିଥିଲେ, ତାହା ଶିଳ୍ପ ବିବାଦ ଆଇନର ପରିସରଭୁକ୍ତ ହୋଇଥାନ୍ତା ଓ ଶିଳ୍ପ ଆଇନ ପ୍ରବର୍ତ୍ତକ ବ୍ୟବସ୍ଥା ତାହାକୁ ଅସଙ୍ଗତ ଶିଳ୍ପ ଅଭ୍ଯାସ (unfair labour practice) ଭାବେ ବିଚାରି ହସ୍ତକ୍ଷେପ କରିପାରିଥାନ୍ତା । ତାହା ହୋଇନି, କାରଣ ଏ ବାବଦରେ କୌଣସି ଶ୍ରମିକର କୌଣସି ଆପତ୍ତି ହିଁ ନଥିଲା । ଜଣେ ପ୍ରାପ୍ତ ବୟସ୍କା ନାରୀ ନିଜ ସମ୍ମତି କ୍ରମେ ଜଣେ ପ୍ରାପ୍ତ ବୟସ୍କ ପୁରୁଷ ସହ ରତିକ୍ରୀଡ଼ା କରିଥିଲେ, ପରବର୍ତ୍ତୀ କାଳରେ ସମ୍ପୃକ୍ତ ପୁରୁଷ ବିରୁଦ୍ଧରେ ଧର୍ଷଣ ଅଭିଯୋଗ ଆଣିବା ଯେପରି ଆଇନ ଆଖିରେ ଧର୍ଷଣ ପଦବାଚ୍ଯ ନୁହେଁ, ଠିକ୍ ସେହିପରି ସୌମ୍ଯରଞ୍ଜନଙ୍କ ବିରୁଦ୍ଧରେ ବହୁ ଦଶନ୍ଧି ପରେ ତାଙ୍କ ଶ୍ରମିକତ୍ଵର ଧର୍ଷଣ ହୋଇଥିବା ଅଭିଯୋଗ କରିବା ବି ଆଇନ ଆଖିରେ ଧର୍ତ୍ତବ୍ୟ ନୁହେଁ । ଏହି ଅଧର୍ତ୍ତବ୍ୟ ଅପରାଧକୁ ଦଣ୍ଡବିଧାନ ପାଇଁ ଅଦାଲତକୁ ପଠାଇଲେ, ସରକାର ଯେ ଦୁର୍ଲଭ ନ୍ୟାୟିକ ସମୟର ଦୁରୁପଯୋଗ ପାଇଁ ଆଦାଲତରେ ଭର୍ତ୍ସିତ ହେବେ, ଏହା ଜାଣିବା ପରି ବୁଦ୍ଧି ଯେ ରାଜ୍ୟ ମହାଧିବକ୍ତା (advocate general)ଙ୍କର ନଥିବ, ତା ନୁହେଁ । ଆଶା କରାଯାଏ, ସେ ଉପଯୁକ୍ତ ପରାମର୍ଶ ଦେଇ ସରକାରଙ୍କୁ ଏହି ହାସ୍ୟାସ୍ପଦ ବ୍ୟାୟମରୁ ନିବୃତ୍ତ କରିବେ ।
ଏବେ ପ୍ରଥମ କାର୍ଯ୍ୟାନୁଷ୍ଠାନର କଥା
ଉପରୋକ୍ତ ଦ୍ୟୁବିଧ କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବୈଧ ଦଳୀୟ ଅଭିସନ୍ଧିର ସରକାରୀକରଣ ଭିନ୍ନ ଅନ୍ୟ କିଛି ନୁହେଁ ବୋଲି ପ୍ରଥମ କାର୍ଯ୍ୟାନୁଷ୍ଠାନର ଭିତ୍ତି ଉପରେ ଦୃଢ ଭାବେ କହିହେବ । କରଣ ଏହି ଦ୍ୟୁବିଧ କାର୍ଯ୍ୟାନୁଷ୍ଠାନର ବହୁ ପୂର୍ବରୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ଭାବେ ମୁଖ୍ୟମନ୍ତ୍ରୀଙ୍କ ମୌଖିକ ଆଦେଶ ବଳରେ ସଂବାଦ କାଗଜକୁ ସରକାରୀ ବିଜ୍ଞାପନ ପ୍ରଦାନ ବନ୍ଦ ହୋଇଯାଇଥିଲା । ଏହି କାର୍ଯ୍ୟାନୁଷ୍ଠାନର କୌଣସି କାରଣ ଦର୍ଶାଇବା ସରକାରଙ୍କ ପକ୍ଷେ ଏଯାଏଁ ସମ୍ଭବ ହୋଇନାହିଁ ।
କୌଣସି ଖବରକାଗଜକୁ ସରକାରୀ ବିଜ୍ଞାପନ ପ୍ରଦାନ ମୁଖ୍ୟମନ୍ତ୍ରୀଙ୍କ ମର୍ଜି ଉପରେ ନିର୍ଭର କରେ କି?
ନା ।
ବିଜ୍ଞାପନ ପାଇଁ ରାଜକୋଷରୁ ଖର୍ଚ୍ଚ ହୁଏ । ବିଭିନ୍ନ ପ୍ରକଳ୍ପରେ ରାଜ୍ୟ ସରକାର ଖର୍ଚ୍ଚ କରନ୍ତି । ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ରାଜକୋଷରୁ ବ୍ୟୟ କରନ୍ତି, ବ୍ୟୟ କରିବାକୁ କରଜ ବି କରନ୍ତି । କୌଣସି ପ୍ରକଳ୍ପର କାର୍ଯ୍ୟ ନିର୍ବାହ ପାଇଁ ଟେଣ୍ଡର ଡାକନ୍ତି ଓ ସର୍ବନିମ୍ନ ଖର୍ଚ୍ଚରେ ସର୍ବୋତ୍ତମ ସେବା ଯିଏ ଦେଇପାରିବ ତାକୁ କାର୍ଯ୍ୟାଦେଶ ଦିଅନ୍ତି । ସବୁ ଟେଣ୍ଡର ଡାକ ସରକାରଙ୍କୁ ମଧ୍ୟ କାର୍ଯ୍ୟାଦେଶ ପ୍ରଦାନରେ ସ୍ଵାଧୀନତା ଦେଇ ପ୍ରକାଶ ପାଇଥାଏ । ଏହାରି ସୁଯୋଗରେ ପାଉସେରି ନିର୍ଣ୍ଣାୟକ ହୁଏ । ସାର୍ବଜନୀନ ସ୍ଵାର୍ଥ ଉପରେ ସାଲିସ ପାଇଁ ପ୍ରଶାସନକୁ ଏତଦ୍ଦ୍ବାରା ଯେହେତୁ ପ୍ରଭୂତ ସୁଯୋଗ ମିଳିଥାଏ, ସେହେତୁ ସରକାରୀ ପ୍ରକଳ୍ପକୁ ନେଇ “ସରକାରକା ମାଲ୍, ଦରିଆମେ ଡାଲ୍” ପରି ବଖାଣି ବି ସର୍ବତ୍ର ପ୍ରଚଳିତ । ତେଣୁ ଯତ୍ପରୋନାସ୍ତି ଅଧିକ ଲୋକ ପ୍ରତ୍ଯେକ ସରକାରୀ ପ୍ରକଳ୍ପ ଉପରେ ଯତ୍ପରୋନାସ୍ତି ଅବଗତ ହେବା ଏକ ଅପରିହାର୍ଯ୍ୟ ଗଣତାନ୍ତ୍ରିକ ଆବଶ୍ୟକତା । ଏହି କାରଣ ହେତୁ ସର୍ବାଧିକ ପ୍ରସାରିତ ଖବରକାଗଜରେ ସରକାରୀ ବିଜ୍ଞାପନ ପ୍ରକାଶ ପାଇବା ନୀତିସମ୍ମତ । ସରକାରୀ ପ୍ରକଳ୍ପ ସମ୍ପର୍କରେ ସରକାରୀ ତଥ୍ୟ ଜାଣିବାର ଅଧିକାର ଯେହେତୁ ଜନସାଧାରଣଙ୍କର ଅଛି, ସେହେତୁ ସର୍ବାଧିକ ଲୋକ ପାଠ କରୁଥିବା ଖବରକାଗଜକୁ ବିଜ୍ଞାପନ ପ୍ରକାଶନର ମାଧ୍ୟମ ଭାବେ ଗ୍ରହଣ କରାଯାଇଥାଏ । ଏହି ତତ୍ତ୍ଵ ବୁଝି ନଥିବା ନବୀନ ପଟ୍ଟନାୟକ ତାଙ୍କ ଅରାଜକତା ସମ୍ପର୍କରେ ସମ୍ବାଦରେ ସୌମ୍ଯରଞ୍ଜନଙ୍କ ପ୍ରକାଶିତ ସମ୍ପାଦକୀୟରେ ଚମକି ତାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଏହି ଖବରକାଗଜକୁ ବିଜ୍ଞାପନ ପ୍ରଦାନ ଉପରେ ବାଚନିକ ନିଷେଧାଦେଶ ଜାରିକରି ଓଡ଼ିଶାର ସର୍ବାଧିକ ଖବରକାଗଜପାଠକଙ୍କୁ ସରକାରୀ ପ୍ରକଳ୍ପ ସମ୍ପର୍କରେ ସରକାରୀ ତଥ୍ୟ ଜାଣିବାର ମୌଳିକ ଅଧିକାରରୁ ବଞ୍ଚିତ କରିଛନ୍ତି ।
କ୍ଷମତାର ଅପବ୍ଯବହାର କରି ନବୀନ ପଟ୍ଟନାୟକ ଏ ସମସ୍ତ ଅପକର୍ମ କରିଛନ୍ତି । ତାଙ୍କ ତୋଷାମଦକାରୀମାନେ ଏଥିରେ ପ୍ରବଳ ଉଲ୍ଲସିତ । ତଥାପି ସୌମ୍ଯରଞ୍ଜନ ଅରାଜକତାର ଏହି ଘନ ଅନ୍ଧକାରରେ ଏକ ଦେଦୀପ୍ୟମାନ ଜ୍ୟୋତିଷ୍କ ପରି ଉଭା ହୋଇଛନ୍ତି ।