ବାଚସ୍ପତିଙ୍କ ଉପରକୁ ଡାଲି ଫୋପଡ଼ା ସଂପୂର୍ଣ୍ଣ ଭର୍ତ୍ସନୀୟ // Hurling Dal at the Speaker can’t be countenanced

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଡାଲି ଦୁର୍ନୀତିରେ କର୍ଦ୍ଦମାକ୍ତ ଥିବା ଶ୍ରୀମତୀ ପ୍ରମିଳା ମଳିକଙ୍କୁ ବାଚସ୍ପତି ଭାବେ ସଂସ୍ଥିତ ନକରିଥିଲେ ବିଜେଡ଼ି ପାଇଁ ତାହା କୌଣସି ପ୍ରକାରେ ବି କ୍ଷତିକାରକ ହୋଇନଥାନ୍ତା । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପସନ୍ଦକୁ ନାପସନ୍ଦ କରିବା ବିଜେଡ଼ି ପକ୍ଷେ ସମ୍ଭବ ନୁହେଁ । ତେଣୁ ଶ୍ରୀମତୀ ମଳିକ ବର୍ତ୍ତମାନ ଓଡ଼ିଶା ବିଧାନସଭାର ବାଚସ୍ପତି ।

ବାଚସ୍ପତି ଭାବେ ଶ୍ରୀମତୀ ମଳିକ ସ୍ଵତନ୍ତ୍ର ସାମ୍ବିଧାନିକ ମର୍ଯ୍ୟାଦାର ଅଧିକାରୀ । ବିଧାନସଭାର କୌଣସି ସଦସ୍ୟ ବାଚସ୍ପତିଙ୍କୁ ସେ ଆସନରେ ଆସୀନ ଥିବା ବେଳେ ଅସମ୍ମାନ ପ୍ରଦର୍ଶନ କରିବା ଗଣତାନ୍ତ୍ରିକ ତତ୍ତ୍ଵର ଘୋର ଅବମାନନା । ଆଜି ବିଧାନସଭାରେ ବିଜେପିର ମୋହନ ମାଝି ଓ ମୁକେଶ ମାହାଲି ବାଚସ୍ପତିଙ୍କ ପ୍ରତି ଡାଲି ପୁଡ଼ିଆ ଫିଙ୍ଗି ଗଣତନ୍ତ୍ରର ଏହି ପବନପୀଠର ଘୋର ଅବମାନନା କରିଥିବା ଭିତ୍ତିରେ ନିଲମ୍ବିତ ହୋଇଛନ୍ତି ।

ଏପରି ଆଚରଣ ପ୍ରଦର୍ଶନ କରି ବିଧାନସଭାରେ ନିଲମ୍ବିତ ହେବା ବିଜେପି ପାଇଁ ନୂଆ ନୁହେଁ । ଦୁଇବର୍ଷ ତଳେ ଏପ୍ରିଲ ୪, ୨୦୨୧ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରୋଙ୍କ ପ୍ରତି ଯୋତା ଫିଙ୍ଗି ବିଜେପିର ତତ୍କାଳୀନ ବିରୋଧୀଦଳ ନେତା ବିଷ୍ଣୁ ସେଠି, ବିରୋଧୀଦଳର ମୁଖ୍ୟ ଛାଟିଆ ମୋହନ ମାଝି ଓ ବର୍ତ୍ତମାନର ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ନିଲମ୍ବିତ ହୋଇଥିଲେ ଓ ସେତେବେଳେ ସରକାରୀ ଦଳର ମୁଖ୍ୟ ଛାଟିଆ ଥିବା ପ୍ରମିଳା ମଳିକ ହିଁ ଏହି ଅଭିଯୋଗ ଆଣି ସେମାନଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ରଖିଥିଲେ ।

ପରିସ୍ଥିତି ଯାହା ବି ହେଉ, ଯେକୌଣସି ଦଳ ବି କ୍ଷମତାରେ ଥାଉ, ବିଧାନସଭାରେ ପଦାସୀନ ବାଚସ୍ପତିଙ୍କୁ ଯୋତା ହେଉ ବା ଡାଲି ହେଉ ବା ଅନ୍ୟ ଯେକୌଣସି ଦ୍ରବ୍ଯ ହେଉ ଫିଙ୍ଗିବା ଅତ୍ୟନ୍ତ ଭର୍ତ୍ସନୀୟ ହେବା ଉଚିତ ଓ ବିଧାୟକୀୟ ଅସଦାଚରଣର ଅକ୍ଷମଣୀୟ ଦୃଷ୍ଟାନ୍ତ ଭାବେ ଧାର୍ଯ୍ୟ ହୋଇ ସେମାନଙ୍କ ସଭ୍ଯ ପଦ ନାକଚ ହେବା ଉଚିତ – ଏହାହିଁ ଆମ୍ଭର ସ୍ପଷ୍ଟ ମତ ।

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.