ନବୀନ ଓଡ଼ିଆ କହନ୍ତି ନାହିଁ କାହିଁକି?

ସନ୍ଦୀପ ସାହୁ

[ଓଡ଼ିଆ ଜାତିର ପରିଚୟ ନିହିତ ତା ଭାଷାରେ । ଇଂରେଜ କବଳରେ ତା ଭାଷା ଉପରେ ବିପଦ ଦେଖାଦେଇଥିବା ହେତୁ ସମଗ୍ର ଓଡ଼ିଆ ଜାତି ମଧୁବାବୁଙ୍କ ନେତୃତ୍ବରେ ପୃଥିବୀର ଅଦ୍ଵିତୀୟ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲା ଓ ଉପନିବେଶବାଦୀ ଇଂରେଜ ବାଧ୍ୟ ହୋଇଥିଲା ମଥା ନୋଇଁବାକୁ ; ଆବିର୍ଭୂତ ହୋଇଥିଲା ଭାଷାଭିତ୍ତିକ ପ୍ରଦେଶ – ଓଡ଼ିଶା । ସୁତରାଂ ଓଡ଼ିଶାର ସର୍ବତ୍ର ସମସ୍ତ କାର୍ଯ୍ୟାଲୟରେ କର୍ମ ସମ୍ପାଦନର ଭାଷା ହେବ ଓଡ଼ିଆ ବୋଲି ସମ୍ବିଧାନ ଅନୁଯାୟୀ ଗଠିତ ଓଡ଼ିଶାର ପ୍ରଥମ ବିଧାନସଭା ଆଇନ ପ୍ରଣୟନ କରିଥିଲା ୧୯୫୪ରେ । ସେହି ଓଡ଼ିଶା ଆତ୍ମଗ୍ଲାନୀରେ ଲହସି ପଡୁଛି, ଯେତେବେଳେ ତା’ର ଶାସନଗାଦିରେ ଦୀର୍ଘ  ୨୩ ବର୍ଷ ଧରି ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦିନ ଏହି ଆଇନର ଉଲ୍ଲଂଘନ କରୁଛନ୍ତି , ଓଡ଼ିଆ ଭାଷାରେ କାମ କରିବା ଦୂରେ ଥାଉ, କଥା ବି ହେଉନାହାନ୍ତି ଓ ରାଜ୍ୟ ପରିଚାଳନା ଇଂରାଜୀରେ ଚାଲିଛି । 

ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଏହି ଲଜ୍ଯାକର ଉପସର୍ଗ ଉପରେ ଆଲୋକପାତ କରିଛନ୍ତି ଏହି ନିବନ୍ଧରେ । ସମ୍ପାଦକ ]

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବିରଳ ରେକର୍ଡର ଅଧିକାରୀ। ବର୍ତ୍ତମାନ ସେ ହେଉଛନ୍ତି ସାରା ଭାରତରେ ସବୁଠାରୁ ଅଧିକ ଦିନ ଧରି କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ। ଲଗାତାର ପାଞ୍ଚଟି ନିର୍ବାଚନ ଜିଣି ସେ ଓଡ଼ିଶା ରାଜନୀତିରେ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ତାହା ନିକଟ ଭବିଷ୍ୟତରେ କେହି ଭାଙ୍ଗି ପାରିବେ ବୋଲି ମନେ ହେଉନାହିଁ। ସମଗ୍ର ଦେଶରେ ସେ ହେଉଛନ୍ତି ଏକମାତ୍ର ରାଜନେତା ଯେ କି ଦିନଟିଏ ମଧ୍ୟ ବିରୋଧୀ ବେଞ୍ଚରେ ବସି ନାହାଁନ୍ତି। ଆଗାମୀ ଦିନରେ ସେ ଯେ ଏହିଭଳି ଆହୁରି ଅନେକ ଅପହଞ୍ଚ ରେକର୍ଡ଼ ମାନ ପ୍ରତିଷ୍ଠା କରିବେ, ତାହା ଜଳଜଳ ଦେଖା ଯାଉଛି।

କିନ୍ତୁ ଏସବୁ ଈର୍ଷଣୀୟ କୀର୍ତ୍ତିମାନ ଭିତରେ ସେ ଏଭଳି ଏକ ରେକର୍ଡ଼ ସ୍ଥାପିତ କରିଛନ୍ତି ଯାହା କେବଳ ଭାରତରେ ନୁହେଁ, ସମଗ୍ର ପୃଥିବୀରେ କେହି କେବେ ଭାଙ୍ଗି ପାରିବେ ନାହିଁ ବୋଲି ନିଃସନ୍ଦେହରେ କୁହା ଯାଇପାରେ। ଏବଂ ତାହା ହେଲା ସ୍ଥାନୀୟ ଭାଷା କହି, ଲେଖି, ପଢ଼ି ନ ଜାଣି ଗୋଟିଏ ରାଜ୍ୟରେ କ୍ରମାଗତ ଭାବେ ୨୩ ବର୍ଷ ଶାସନ କରିବା। ୨୩ ବର୍ଷର ସମୟ ସାଧାରଣ ଶିକ୍ଷା ଦୀକ୍ଷା ଲାଭ କରିଥିବା ଯେ କୌଣସି ବ୍ୟକ୍ତି ପାଇଁ କେବଳ ଓଡ଼ିଆ ନୁହେଁ, ପୃଥିବୀର ଯେ କୌଣସି ଭାଷା ଶିଖିବା ପାଇଁ ଯଥେଷ୍ଟ। ଆଗ୍ରହ ଥିଲେ ଏହି ସମୟ ମଧ୍ୟରେ ଜଣେ ଗୋଟିଏ ନୁହେଁ, ପାଞ୍ଚଟି ସଂପୂର୍ଣ୍ଣ ଭାବେ ବିଦେଶୀ ଭାଷା ଶିଖି ପାରିବ: ସେ ସ୍ୱାହିଲି (ସବୁଠାରୁ ବହୁଳ ବ୍ୟବହୃତ ଆଫ୍ରିକୀୟ ଭାଷା) ହେଉ ବା ବାଲିନିଜ୍। ଜଣେ ଭାରତୀୟ ପାଇଁ ନୂଆ ଆଞ୍ଚଳିକ ଭାଷାଟିଏ ଶିଖିବାକୁ ହାରାହାରି କେତେ ସମୟ ଲାଗେ, ତାହାର ଅନ୍ଦାଜ ସରକାରୀ ନିୟମରୁ ହିଁ ମିଳେ। ଓଡ଼ିଶାରେ ନିଯୁକ୍ତି ପାଉଥିବା ସର୍ବଭାରତୀୟ ସେବା (ଆଇ.ଏ.ଏସ, ଆଇ.ପି.ଏସ. ଇତ୍ୟାଦି) ଅଧିକାରୀମାନଙ୍କୁ ସପ୍ତମ ଶ୍ରେଣୀ ପାସ କରିଥିବା ପିଲାଙ୍କ ସ୍ତରର ଓଡ଼ିଆ ଶିଖିବା ପାଇଁ ମାତ୍ର ଛଅ ମାସ ସମୟ ମିଳେ। ଓଡ଼ିଆ ଭାଷା ପୃଥିବୀର ସବୁଠାରୁ କଷ୍ଟକର ଭାଷା ନୁହେଁ କି ନବୀନ ପଟ୍ଟନାୟକ ନିରକ୍ଷର ନୁହଁନ୍ତି। ଇଂରାଜୀରେ ହେଉ ପଛେ ସେ ଜଣେ ଲେଖକ। ତେଣୁ ଏଥିରେ ସନ୍ଦେହ ନାହିଁ ଯେ ୨୩ ବର୍ଷ ମୁଖ୍ୟମନ୍ତ୍ରୀ ରହିଲା ପରେ ମଧ୍ୟ ସେ ଯଦି ଆଜି ବି ଜନସଭାମାନଙ୍କରେ ରୋମାନ ଲିପିରେ ଲେଖା ଓଡ଼ିଆ ଭାଷାକୁ ବଙ୍କେଇ, ଟଙ୍କେଇ କହୁଛନ୍ତି, ଶବ୍ଦମାନଙ୍କର କିମ୍ଭୁତକିମାକାର ଉଚ୍ଚାରଣ କରି ଚାଲିଛନ୍ତି ଓ ସର୍ବସାଧାରଣରେ ଏ ପ୍ରାଚୀନ, ଗାରିମାମୟ ଭାଷାକୁ କ୍ରମାଗତ ଅବମାନନା କରି ଚାଲିଛନ୍ତି, ଏହା କେବଳ ଗୋଟିଏ କଥା ପ୍ରମାଣ କରୁଛି: ନବୀନ ଓଡ଼ିଆ ଶିଖିବାରେ ଅସମର୍ଥ ନୁହଁନ୍ତି, ଏ ଭାଷା ନ ଶିଖିବା ପାଇଁ – ଓ ଶିଖିଲେ ମଧ୍ୟ ନ କହିବା ପାଇଁ – ସେ ବଦ୍ଧପରିକର!

କାଲି ପରି ମନେ ପଡ଼ି ଯାଉଛି। ଏପ୍ରିଲ ୧୭, ୧୯୯୭ରେ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ପ୍ରତିନିଧିତ୍ଵ କରୁଥିବା ଆସ୍କା ଲୋକସଭା ଆସନ ପାଇଁ ଉପ ନିର୍ବାଚନ ହେଉଥାଏ। ରାଜନୀତିରେ ସମ୍ପୂର୍ଣ ନବାଗତ ନବୀନ ଥାଆନ୍ତି ଜନତା ଦଳର ପ୍ରାର୍ଥୀ। ସବୁ ନିର୍ବାଚନୀ ସଭାରେ ସେ ତାଙ୍କର ଧନୁଷ୍ଟଙ୍କାରଗ୍ରସ୍ତ ଓଡ଼ିଆରେ ଗୋଟିଏ କଥା ଦୋହରାଉଥାନ୍ତି; “ବାଇ ଓ ବଉନି ମାନେ! ଆପନ୍ ମାନଙ୍କୁ ମୋର ନମସ୍କାର। ଓଡ଼ିଆ କହିବାକୁ ଆଉ ଟିକେ ସମୟ ଲାଗିବୋ!” ସେତେବେଳେ ତାଙ୍କ ଭାଷଣ ଶୁଣୁଥିବା ଆସ୍କାବାସୀ ସ୍ୱପ୍ନରେ ବି ଚିନ୍ତା କରିପାରି ନ ଥିବେ ଯେ ନବୀନଙ୍କ ପରିଭାଷାରେ “ଟିକେ ସମୟ”ର ଅର୍ଥ ଚଉଠ ଶତାବ୍ଦୀ!!

ନବୀନ ମୁଖ୍ୟମନ୍ତ୍ରୀ ହେବାର କିଛି ମାସ ପରର କଥା। ଦିନେ ସନ୍ଧ୍ୟାରେ ମୁଁ ଓ ଅଗ୍ରଜ ତଥା ‘ଶତାବ୍ଦୀ’ ପତ୍ରିକାର ସ୍ୱର୍ଗତ ସମ୍ପାଦକ ଚନ୍ଦ୍ରଭାନୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ନିବାସକୁ ଯାଇଥାଉ। ସେତେବେଳେ ‘ନବୀନ ନିବାସ’ ଆଜି ପରି ଅଭେଦ୍ୟ ଦୁର୍ଗ ନ ଥିଲା କି ନବୀନ ଦେଶର ସବୁଠାରୁ ଅପହଞ୍ଚ ରାଜନେତା ପାଲଟି ନ ଥିଲେ। ଦେଖିଲୁ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଷା ଶିଖାଇବା ପାଇଁ ନିଯୁକ୍ତ ପ୍ରଫେସର ରାଜକିଶୋର ମିଶ୍ର ଆଣ୍ଟିରୁମରେ ବସି ନିବିଷ୍ଟ ଚିତ୍ତରେ ଖବର କାଗଜ ପଢ଼ୁଛନ୍ତି। ଚନ୍ଦ୍ର ଭାଇ ତାଙ୍କୁ ପଚାରିଲେ, ‘ଡକରା ଆସିନି କି, ସାର୍’? ଶ୍ଲେଷଯୁକ୍ତ କଣ୍ଠରେ ପ୍ରଫେସର ମିଶ୍ର ଉତ୍ତର ଦେଲେ, ‘ନାଁ, ଅପେକ୍ଷା କରିଛି। ଡକରା ତ ପ୍ରାୟ ଆସେନାହିଁ। ତେଣୁ ମୁଁ ଖାଲି ବସିବି କାହିଁକି, ସବୁ ଖବର କାଗଜ ପଢ଼ିଦିଏ’!!

କୌତୁହଳର ବିଷୟ ହେଉଛି ଓଡ଼ିଆ ଘରେ ଜନ୍ମିତ ନବୀନ ଓଡ଼ିଆ ଭାଷା କହିପାରୁ ନ ଥିବାବେଳେ ତାଙ୍କର ଅତି ବିଶ୍ଵସ୍ତ ଓ ସର୍ବଶକ୍ତିମାନ ତାମିଲନାଡ଼ୁ ଜନ୍ମିତ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ନିଜ ତୋଫାନୀ ଗସ୍ତ ସମୟରେ ଓଡ଼ିଆରେ ଭାଷଣ ଦେଉଛନ୍ତି!

ତେବେ ନବୀନ କାହିଁକି ଓଡ଼ିଆ କହନ୍ତି ନାହିଁ? ହାସ୍ୟାସ୍ପଦ, ଉଦ୍ଭଟ ମନେ ହେଲେ ମଧ୍ୟ ଏହାର ଉତ୍ତର ହେଉଛି ସେ ସ୍ଥିର ନିଶ୍ଚିତ ଯେ ଓଡ଼ିଆ ନ କହିବା ତାଙ୍କୁ ଅଧିକ ଲୋକପ୍ରିୟ କରିଛି; ଏହା ହିଁ ତାଙ୍କର ୟୁ.ଏସ.ପି.! ତାଙ୍କର ହୃଦବୋଧ ହୋଇଛି ଯେ ଅନ୍ୟ ନେତାଙ୍କ ଭଳି ସ୍ଵାଭାବିକ ଓଡ଼ିଆ କହିଲେ ସେ ସାଧାରଣ ନେତାଟିଏ ପାଲଟି ଯିବେ; ତାଙ୍କର ଆଉ କୌଣସି ବିଶେଷତ୍ଵ ରହିବ ନାହିଁ। ଏବଂ ଗତ ୨୩ ବର୍ଷ ଭିତରେ ହୀନମନ୍ୟତାରେ ଗ୍ରସିତ, ନବୀନଙ୍କ ଖଣ୍ଡି ଓଡ଼ିଆରେ ମନ୍ତ୍ରମୁଗ୍ଧ ଓଡ଼ିଶାର ଜନତା ବାରମ୍ବାର ପ୍ରମାଣ କରିଛନ୍ତି ଯେ ତାଙ୍କର ଏ ଆକଳନ ଷୋଳଅଣା ସତ। ଓଡ଼ିଆଙ୍କ ନାଡ଼ିକୁ ନବୀନ ଠିକ୍ ଚିପିଛନ୍ତି। ଆପଣ ଯଦି ଏଥିରେ ସହମତ ନୁହଁନ୍ତି ତେବେ ନବୀନ ଓଡ଼ିଆରେ ଭାଷଣ ଦେଉଥିବା ଯେ କୌଣସି ସଭାକୁ ଯାଆନ୍ତୁ ଏବଂ ଲକ୍ଷ୍ୟ କରନ୍ତୁ ଯେ ନବୀନ ଯେତେବେଳେ ଓଡ଼ିଆ ଭାଷାକୁ ସର୍ବସମ୍ମୁଖରେ ଲଜ୍ଜିତ, ଲାଞ୍ଛିତ, ଅପମାନିତ କରୁଛନ୍ତି, ସେତେବେଳେ ସମବେତ ଜନତା କେମିତି ଉଚ୍ଛ୍ଵସିତ କରତାଳି ଦେଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି! ନିଜକୁ ପ୍ରଶ୍ନ କରନ୍ତୁ, ‘ଅନ୍ୟ କୌଣସି ରାଜ୍ୟରେ ଏହା ସମ୍ଭବ କି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ସେ ରାଜ୍ୟର ଭାଷା କହୁ ନ ଥିବେ କିନ୍ତୁ ଜନତା ତାଙ୍କୁ ବାରମ୍ବାର ନିର୍ବାଚିତ କରୁଥିବେ; ପ୍ରତିଥର ପୂର୍ବାପେକ୍ଷା ଅଧିକ ଭୋଟରେ?’ ମନେହୁଏ ସତେ ଯେପରି ନବୀନ ଓଡ଼ିଆ ଜାତିକୁ ବୃଦ୍ଧାଙ୍ଗୁଷ୍ଠି ଦେଖାଇ, ତାଚ୍ଛଲ୍ୟ କରି କରୁଛନ୍ତି, ‘ମୁଁ ଓଡ଼ିଆ କହିବି ନାହିଁ ଓ ତୁମେ ମୂଢ଼ ଓଡ଼ିଆମାନେ ମୋତେ ଏମିତି ବାରମ୍ବାର ଜୟଯୁକ୍ତ କରୁଥିବ!’

୨୦୦୯ ସାଧାରଣ ନିର୍ବାଚନ ସମୟରେ ମୁଁ ନବୀନଙ୍କ ଓଡ଼ିଆ ନ କହିବା ପ୍ରସଙ୍ଗରେ ରାଜ୍ୟର ତିନୋଟି ଯାକ ପ୍ରମୁଖ ଦଳ – ବିଜେଡି, ବିଜେପି ଓ କଂଗ୍ରେସ -ର ପ୍ରବକ୍ତା ଓ କିଛି ସାଧାରଣ ବ୍ୟକ୍ତିଙ୍କ ମତ ନେଇ ବିବିସି ରେଡିଓ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲି। ସେଇ ସଂକ୍ରାନ୍ତରେ ଦୁଇ ବିରୋଧୀ ଦଳ ପ୍ରବକ୍ତାଙ୍କର ମନ୍ତବ୍ୟ ଥିଲା ଏ ପ୍ରସଙ୍ଗ ଜନତାଙ୍କୁ ଆଦୌ ପ୍ରଭାବିତ କରୁନାହିଁ। ବିଜେଡିର ତତ୍କାଳୀନ ପ୍ରବକ୍ତା ଯଜ୍ଞେଶ୍ଵର ବାବୁ କହିଥିଲେ, ‘ନବୀନ ଓଡ଼ିଆ ଭାଷା କହି ନ ପାରିଲେ କଣ ହେଲା? ସେ ଲୋକଙ୍କ ‘ମନର ଭାଷା’ ପଢ଼ି ପାରନ୍ତି’! ଏବେ ମଧ୍ୟ ବିଜେଡି ନେତାଙ୍କୁ ଏ ପ୍ରଶ୍ନ ପଚାରିଲେ ସେମାନେ ନବୀନଙ୍କ ଅମଳରେ ଓଡ଼ିଆ ଭାଷାର ଉନ୍ନତି ଓ ସମୃଦ୍ଧି ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ଏକ ଲମ୍ବା ସୂଚୀ ଦିଅନ୍ତି; ତାଙ୍କରି ଅମଳରେ ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା; ଏକ ସ୍ୱତନ୍ତ୍ର ଭାଷା, ସଂସ୍କୃତି ବିଭାଗ ଖୋଲାଗଲା; ସତ୍ୟବାଦୀଠାରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ସ୍ଥାପିତ ହେଲା; ଜବାହରଲାଲ ନେହେରୁ ବିଶ୍ୱିଦ୍ୟାଳୟରେ ଓଡ଼ିଆ ଚେୟାର ସ୍ଥାପିତ ହେଲା; ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ପିଲାଙ୍କ ପାଇଁ ପାଠ୍ୟ ପୁସ୍ତକ ଯୋଗାଇ ଦିଆଗଲା; ଭାଷା ଆଇନ କାର୍ଯ୍ୟକାରୀ ହେଲା – ଏମିତି କେତେ କ’ଣ। କିନ୍ତୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାରେ ନବୀନ ସରକାରଙ୍କ ଭୂମିକା ପ୍ରକୃତରେ କ’ଣ ଓ କେତେ? ଭାଷା ଓ ସଂସ୍କୃତି ବିଭାଗ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ବହୁଳ ବ୍ୟବହାର ପାଇଁ କ’ଣ ସବୁ କରିଛି? ଅକ୍ଟୋବର ୯, ୨୦୧୮ରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ସରିଲାଣି କି? ବିଶ୍ୱବିଦ୍ୟାଳୟର ପ୍ରଥମ ବ୍ୟାଚ ଛାତ୍ର, ଛାତ୍ରୀଙ୍କର ଶିକ୍ଷାଦାନ ଆରମ୍ଭ ହେଲାଣି କି? ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ଛଡ଼ା ଅନ୍ୟ ପଦ, ପଦବୀରେ ନିଯୁକ୍ତି ସରିଲାଣି କି? ଜେ.ଏନ.ୟୁ.ରେ ଓଡ଼ିଆ ଚେୟାର ସ୍ଥାପିତ ହେଲା ପରେ କ’ଣ ସବୁ କାମ ହୋଇଛି? ବିଚ୍ଛିନ୍ନାଞ୍ଚଳରେ ପିଲାଏ ଠିକ୍ ସମୟରେ ଓଡ଼ିଆ ପାଠ୍ୟ ପୁସ୍ତକ ପାଉଛନ୍ତି ତ? ଏବଂ ସର୍ବୋପରି ଓଡ଼ିଆ ଭାଷା ଆଇନ କେଉଁ ସରକାରୀ ଦପ୍ତରରେ କାର୍ଯ୍ୟକାରୀ ହେଉଛି କି? ସରକାରୀ ଚିଠିପତ୍ର ଓଡ଼ିଆରେ ଲେଖା ହେଉଛି କି? ସରକାରୀ କର୍ମଚାରୀ ଭାଷା ଆଇନର ଖିଲାପ କଲେ ତାଙ୍କ ପାଇଁ କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ଅଛି କି? ଓଡ଼ିଶା ସରକାରଙ୍କର ଶିକ୍ଷା ନୀତି ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରୁଛି ନା ଏହାର ଶ୍ୱାସରୋଧ କରୁଛି? ବିଜେଡ଼ି ନେତା, ମନ୍ତ୍ରୀଙ୍କ ପାଖରୁ ଏସବୁ ‘ଅବାନ୍ତର’ ପ୍ରଶ୍ନର କୌଣସି ଉତ୍ତର ମିଳେନାହିଁ। କ୍ଷଣକ ପାଇଁ ଧରି ନିଆଯାଉ ଯେ ଓଡ଼ିଆ ଭାଷାର ସୁରକ୍ଷା, ପ୍ରଚାର ଓ ପ୍ରସାର ପାଇଁ ସରକାର ଅନେକ କିଛି କରିଛନ୍ତି। ତେବେ କ’ଣ ବୁଝିବାକୁ ହେବ ଯେ ଯେହେତୁ ତାଙ୍କ ସରକାର ଓଡ଼ିଆ ଭାଷା ପାଇଁ ଏତେ ସବୁ କାମ କରିଛନ୍ତି ତେଣୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ନ ଜାଣିଲେ, ନ କହିଲେ କିଛି ଅସୁବିଧା ନାହିଁ?

ବିଜେଡ଼ି ପ୍ରବକ୍ତାଙ୍କ କଥା ଛାଡ଼ନ୍ତୁ। ସାମ୍ବାଦିକ, ତଥାକଥିତ ବୁଦ୍ଧିଜୀବି ଓ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ବିମୁଖତା ଏକ ଅପ୍ରସଙ୍ଗ। ଏ ବିଷୟରେ ଆଲୋଚନା ବେଳେ ଜଣେ ସାମ୍ବାଦିକ ବନ୍ଧୁ କହିଲେ, ‘ନବୀନ ବାବୁ ଓଡ଼ିଆ ନ କହିଲେ କଣ ଏମିତି ପ୍ରଳମ୍ବ ଅଶୁଦ୍ଧ ହୋଇଗଲା? ତାଙ୍କ ପୂର୍ବରୁ ଓଡ଼ିଆ ଭାଷାରେ ଦକ୍ଷ ଯେଉଁମାନେ ଶାସନ କରୁଥିଲେ ସେମାନେ କଣ ଏମିତି ‘ତାଡ଼ି’ ପକାଇଥିଲେ କି?’

ସତ କଥା ହେଲା ଓଡ଼ିଆ ଭାଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏତାଦୃଶ ଅବଜ୍ଞା ଓ ଅବମାନନା ପାଇଁ ସେ ନୁହଁନ୍ତି, ଆମେ ଓଡ଼ିଆମାନେ ହିଁ ଦାୟୀ। କାରଣ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ନିଜ ଭାଷାକୁ ନେଇ ଗର୍ବ କରିବା ବଦଳରେ ଆମେ ନିଜେ ପ୍ରତି ମୁହୂର୍ତ୍ତରେ ଭାଷା ଜନନୀକୁ ଅବହେଳା, ଅବଜ୍ଞା କରି ଚାଲିଛୁ; ଏହାର ମର୍ଯ୍ୟାଦା କ୍ଷୁଣ୍ଣ ହେଉଥିଲା ବେଳେ ନୀରବଦ୍ରଷ୍ଟା ସାଜିଛୁ; ଏହାକୁ କେବଳ ପ୍ରଶ୍ରୟ ନୁହେଁ, ପ୍ରୋତ୍ସାହନ ଦେଇଛୁ। ତା ନ ହୋଇଥିଲେ ନବୀନ ଆଜି ନୁହେଁ, ଦୁଇ ଦଶନ୍ଧି ପୂର୍ବରୁ ଓଡ଼ିଆ ଶିଖିବା, କହିବା ପାଇଁ ବାଧ୍ୟ ହୋଇଥାନ୍ତେ।

ଫୋନ ନମ୍ବର – ୯୯୩୭୨୨୮୧୨୨

2 comments » Write a comment

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.