ପାଣ୍ଡିଆନଙ୍କ ଉପରେ ମୁଖ୍ୟ ଶାସନ ସଚିବଙ୍କ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେଉ


ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ଜଣେ ଓଡ଼ିଆ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଛନ୍ତି । ସେ ହେଲେ ସର୍ବଭାରତୀୟ ପ୍ରଶାସନିକ ସେବା (IAS )ର ଶ୍ରୀ ପ୍ରଦୀପ କୁମାର ଜେନା । ତାଙ୍କୁ ଅବଜ୍ଞା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଘରୋଇ ସଚିବ ଥିବା ଭି କେ ପାଣ୍ଡିଆନଙ୍କୁ ଏପରି ରୁଖା ଉପରେ ରଖିଦେଇଥିଲେ ଯେ, ତାଙ୍କ ତୁଳନାରେ ମୁଖ୍ୟ ଶାସନ ସଚିବ ବାମନ ହୋଇ ରହିଥିଲେ । କିନ୍ତୁ, ପଦ ମର୍ଯ୍ୟାଦା ଦୃଷ୍ଟିରୁ ଶ୍ରୀ ଜେନାଙ୍କ ପାଖକୁ ହିଁ ଆସିଥିଲା ପାଣ୍ଡିଆନଙ୍କ ବିରୁଦ୍ଧରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ (ପୂର୍ବତନ ମନ୍ତ୍ରୀ) ତୋଳିଥିବା ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ପତ୍ର ଗତ ଜୁନ ମାସ ୨୬ ତାରିଖରେ (ଫାଇଲ ସଂଖ୍ୟା ୧୦୪/୩୭/୨୦୨୩-ଆଇଏ (ପିଟି ୩) ।
ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କରିଥିବା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପାଣ୍ଡିଆନଙ୍କ ତାକତ ନଥିଲା । ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ସହ ପାରାଲାଞ୍ଜିଆ (dovetailed) ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ପାଣ୍ଡିଆନଙ୍କ ଉପରେ ଶ୍ରୀ ଜେନାଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ସ୍ତର ସ୍ତର ବିବସ୍ତ୍ର କରିବା ସୁନିଶ୍ଚିତ ଥିଲା । ଏହା ହିଁ କାରଣ, ଯେଉଁଥି ପାଇଁ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶରଣାପନ୍ନ ହୋଇଥିଲେ ଓ ତାଙ୍କ ପାଇଁ ଶରଣପଞ୍ଜର ସାଜିଥିବା ମୋଦୀଙ୍କ ପରାମର୍ଶ ଅନୁଯାୟୀ ପାଣ୍ଡିଆନଙ୍କ ବିରୁଦ୍ଧରେ ପ୍ରୟୋଗାତ୍ମକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତାଙ୍କୁ ଇସ୍ତଫା ଦିଆଇଦେଇଥିଲେ ଏବଂ ସେ ଇସ୍ତଫା ମଧ୍ୟ ସଙ୍ଗେ ସଙ୍ଗେ କେନ୍ଦ୍ର ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଯାଇଥିଲା ।
ପାର୍ବଣ ଛୁଟିରେ ବି ପାଣ୍ଡିଆନଙ୍କୁ ସୁରକ୍ଷା ଦେବାର ଏହି ଯେଉଁ ପର୍ବ ସମାହିତ ହେଲା ତାହାର କୌଣସି ଦୃଷ୍ଟାନ୍ତ ଭାରତର ପ୍ରଶାସନିକ ଇତିହାସରେ ଉପଲଭ୍ୟ ନୁହେଁ ।
ଏପରି ନୂଆ ଇତିହାସ ରଚନା ତ ଭାରତର ସର୍ବଜନବିଦିତ ଇତିହାସକୁ ବଦଳାଇବାକୁ ବ୍ୟଗ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାମହାତର ଖେଳ ! ନବୀନଙ୍କ ଲକ୍ଷ୍ୟ ସିଦ୍ଧ ହେବାରେ ବାଧା ବା ରହନ୍ତା କାହିଁକି?
ପାଣ୍ଡିଆନଙ୍କ ଇସ୍ତଫା ମଞ୍ଜୁର ହେବା ସଙ୍ଗେ ସଙ୍ଗେ ନବୀନ ତାହାକୁ କାର୍ଯ୍ୟକାରୀ କରିଦେଲେ । କୌଣସି ପ୍ରତିକୂଳ କାର୍ଯ୍ୟାନୁଷ୍ଠାନ ବିନା, କୌଣସି ଶୃଙ୍ଖଳାଗତ ଶାସ୍ତି ନଭୋଗି ନିଷ୍କଳଙ୍କ ସୁନାପୁଅ ପରି ପାଣ୍ଡିଆନ ସୁରୁଖୁରୁରେ ଦାୟିତ୍ୱମୁକ୍ତ ହୋଇଗଲେ ଓ ସମତାଳରେ ନିଜ ଯଥୈଚ୍ଛାଚାର ଦ୍ଵାରା ପାଣ୍ଡିଆନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଓଡ଼ିଶାର ପ୍ରଭୂତ ଆର୍ଥିକ କ୍ଷତି କଥା ମଧ୍ୟ ପରଦା ପଛକୁ ପଳାଇଲା ।
ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଏବେ କିଂକର୍ତ୍ତବ୍ୟବିମୂଢ଼ । କାରଣ, ଯେଉଁ ପାଣ୍ଡିଆନଙ୍କ ବିରୁଦ୍ଧରେ ଆଗତ ଅଭିଯୋଗ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ତାଙ୍କ ପାଖକୁ ପଠାଇଥିଲେ, ସେହି ପାଣ୍ଡିଆନ ବର୍ତ୍ତମାନ କାର୍ଯ୍ୟତଃ ଜଣେ କ୍ୟାବିନେଟ୍ ମନ୍ତ୍ରୀ । ଏହି ଅରାଜକତା ଏପରି ସର୍ବବ୍ୟାପୀ ଯେ, ଓଡ଼ିଶା ରାଜ୍ୟପାଳ ଏହାର ପ୍ରଖର ସ୍ରୋତରେ ଭାସିଯାଇ ପାଣ୍ଡିଆନଙ୍କୁ ମନ୍ତ୍ରୀ ମର୍ଯ୍ୟାଦାରେ ନିଯୁକ୍ତ କରିଛନ୍ତି, ଯଦିଓ ତାହା ସମ୍ବିଧାନ ତଥା କାର୍ଯ୍ୟ ନିୟମାବଳୀର ସଂପୂର୍ଣ୍ଣ ଅବଜ୍ଞା କରୁଛି । ଅପରପକ୍ଷେ ପାଣ୍ଡିଆନ ବଡ଼ମ୍ବା-ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ମୁହଁରେ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରଚାରିତ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଲା ଲୋକର ଯେମିତି କିଛି ପ୍ରତିକ୍ରିୟା ନଥାଏ ସେମିତି ପ୍ରତିକ୍ରିୟାହୀନ ହୋଇ ରହିଛନ୍ତି ।
ପାଣ୍ଡିଆନଙ୍କ ସାନି ନିଯୁକ୍ତି ଓଡ଼ିଶାରେ ଅସମ୍ବିଧାନିକ ରାଜୁତିର ଏକ ନୂଆ ନମୁନା ।
କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ପାଣ୍ଡିଆନଙ୍କୁ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତ କରି ମୁଖ୍ୟମନ୍ତ୍ରୀ କୌଣସି ବେଆଇନ କାମ କରିନାହାନ୍ତି ବୋଲି ଏକ ଟିଭି ଚ୍ୟାନେଲକୁ କହିଛନ୍ତି । ଫଳରେ ପାଣ୍ଡିଆନଙ୍କ ମନ୍ତ୍ରୀ ପାହ୍ୟା ପ୍ରାପ୍ତିକୁ ଅଗ୍ରାହ୍ୟ କରିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର ହେଉଛି । କିନ୍ତୁ ପ୍ରକୃତରେ କ’ଣ ଏହା ଆଇନ ସମ୍ମତ?
ସମ୍ବିଧାନରେ ‘ମନ୍ତ୍ରୀ’ ନିଯୁକ୍ତି କଥାଟା ଅଛି । ‘ମନ୍ତ୍ରୀ ପାହ୍ୟା’ରେ ନିଯୁକ୍ତି କଥା ତ ଆଦୌ ନାହିଁ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପରମାଧିକାର (prerogative) ପ୍ରୟୋଗ କରି କାହାକୁ ମନ୍ତ୍ରୀ ଭାବେ ନେବେ ତାହା ରାଜ୍ୟପାଳଙ୍କୁ ଜଣାଇ ତାଙ୍କୁ ମନ୍ତ୍ରୀଭାବେ ନିଯୁକ୍ତି ଦିଆଇବାକୁ ସକ୍ଷମ । ମାତ୍ର କୌଣସି ବ୍ୟକ୍ତିଙ୍କୁ କୌଣସି ଏକ ଚୌକି ଦେଇ ତାହାକୁ ସାମ୍ବିଧାନିକ ମନ୍ତ୍ରୀମାନଙ୍କ ସମକକ୍ଷ ପାହ୍ୟା ଦେବାର ଅଧିକାର ମୁଖ୍ୟମନ୍ତ୍ରୀ କେଉଁଠୁ ପାଇଲେ? ପୂର୍ବତନ ଆଇନ ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଶାଖାର ନେତା ନରସିଂହ ମିଶ୍ର ଓଡ଼ିଶାର ଏହି ସଂଶୟ ଦୂର କରି ପାରିଲେ ଭଲ ହୁଅନ୍ତା ।
ରାଜ୍ୟକ୍ଷମତା ପାଇଁ ଆଖେଇଥିବା ବିଜେପି ଯେଉଁ କଥାଟି ଗୁରୁତ୍ଵର ସହ ବିଚାରିବା ଉଚିତ , ତାହା ହେଲା, ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖକୁ ପାଣ୍ଡିଆନଙ୍କ ସମ୍ପର୍କରେ ପଠାଇଥିବା ରିପୋର୍ଟ । ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ପାଇଲା ପରେ ମୁଖ୍ୟ ଶାସନ ସଚିବ ସେହି ସବୁ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିଥିଲେ । ସେହି ଯାଞ୍ଚର ଯେଉଁ ରିପୋର୍ଟ ସେ ପ୍ରସ୍ତୁତ କରିଥିଲେ ତାହା ଉଭୟ ପାଣ୍ଡିଆନ ଓ ନବୀନଙ୍କ ଭିତରେ ଛନକା ସୃଷ୍ଟି କରିଥିଲା । ସେହି ଛନକା ପ୍ରବାହରେ ପାଣ୍ଡିଆନ ଇସ୍ତଫା ଦେଇଥିବା କଥା ପୂର୍ବରୁ ସୁଚାଇଛି । କିନ୍ତୁ ଇସ୍ତଫା ଦେଇ ଦାୟିତ୍ୱମୁକ୍ତ ହୋଇଯାଇଥିବା ହେତୁ ସେ କଣ ଅଭିଯୋଗମୁକ୍ତ ହୋଇଗଲେ? କି ତାଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜକୋଷର ଯେଉଁ ଅପଚୟ ଘଟାଇଲେ, ତାହା କ’ଣ ଜନାବଗତିର ଆବଶ୍ୟକତା ହରାଇଲା ?
ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ଯେହେତୁ ଏକ ଗୁପ୍ତ ଯାଞ୍ଚ ଉପରେ ଆଧାରିତ, ସେହେତୁ ତାହା କାହାକୁ ବି ସୂଚନା ଅଧିକାର ଆଇନ ବଳରେ ମିଳିବନି । ମାତ୍ର ଓଡ଼ିଆ ଜାତି ସେ ରିପୋର୍ଟ ଅବଗତ ହେବା ଆବଶ୍ୟକ ।
ଏ ପରିସ୍ଥିତିରେ , ବିଜେପିର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ନେତା ମନମୋହନ ସାମଲଙ୍କ ନୈତିକ କର୍ତ୍ତବ୍ୟ ହେଉଛି, ପାଣ୍ଡିଆନଙ୍କ ଉପରେ ସେମାନଙ୍କ ଅଭିଯୋଗକୁ କେନ୍ଦ୍ର କରି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯେଉଁ ଯାଞ୍ଚ କରିଥିଲେ ତାହାର ରିପୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ସଂଗ୍ରହ କରି ଓଡ଼ିଶାର ଜନସାଧାରଣଙ୍କୁ ଅବଗତ କରାଇବା । ଏହା ଅଧିକନ୍ତୁ, ପାଣ୍ଡିଆନଙ୍କ ବିରୁଦ୍ଧରେ ଏହି ଉଭୟେ ଯେଉଁ ଅଭିଯୋଗ ଦାଖଲ କରିଥିଲେ କେନ୍ଦ୍ର ସରକାରଙ୍କ ପାଖରେ, ସେହି ଅଭିଯୋଗ ମଧ୍ୟ ସେମାନେ ସାର୍ବଜନୀନ କରିବା ଆବଶ୍ୟକ ।


4 comments » Write a comment

Leave a Reply

Required fields are marked *.


This site uses Akismet to reduce spam. Learn how your comment data is processed.