କୃତଜ୍ଞତା ହିଁ ଅସ୍ମିତାର ପରିଚାୟକ, କୃତଘ୍ନତା ନୁହେଁ, ପ୍ରିୟ ଧର୍ମେନ୍ଦ୍ରବାବୁ ! ରେଭେନ୍ସା ନାମ ରାଜନୀତିର ଖେଳ ପଡ଼ିଆ ନହେଉ (ଭାଗ ୧ )
ସୁଭାଷ ଚନ୍ଦ୍ର ପଟ୍ଟନାୟକ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ଏକ ମୌଖିକ ପ୍ରସ୍ତାବ ଦେଇ ତାହାକୁ ତାଙ୍କ ବ୍ୟକ୍ତିଗତ ମତ ବୋଲି କହିଥିଲେ ମଧ୍ୟ ତହିଁରେ ଓଡ଼ିଆ ଅସ୍ମିତାର ପୁଟ ବୋଳି ଏପରି ଏକ ବାତାବରଣ ତିଆରି କରିଛନ୍ତି, ଯାହା ବସ୍ତୁତଃ ଓଡ଼ିଆ ଅସ୍ମିତାର ଘୋର ପରିପନ୍ଥୀ ।
ଯେଉଁ ରେଭେନ୍ସା ଓଡ଼ିଶା ଡିଭିଜନର କମିଶନର ଥିଲାବେଳେ ‘ନ ଅଙ୍କ’ ଦୁର୍ଭିକ୍ଷ ଓଡ଼ିଶାକୁ ତଳିତଳାନ୍ତ କରିଦେଇଥିଲା ଓ ଅନାହାର ମୃତ୍ୟୁ ମୁଖରେ ପଡିଥିଲେ ବହୁଲକ୍ଷ ଓଡ଼ିଆ , ସେହି ରେଭେନ୍ସାଙ୍କ ନାମରେ ରାଜ୍ୟର ପ୍ରାଚୀନତମ ଶିକ୍ଷାୟତନ ନାମିତ ହୋଇ ରହିବା ଓଡ଼ିଆ ଜାତିର ଅସ୍ମିତା ଦୃଷ୍ଟେ ଆଦୌ ସହ୍ୟ ନୁହେଁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ରେଭେନ୍ସା ନାମକୁ ରାଜନୀତିର ଖେଳ ପଡ଼ିଆ କରିବା ମତଲବ ନଥିଲେ ବା ସତ୍ୟ ଜାଣିଥିଲେ ସେ ସମ୍ଭବତଃ ଏହା କହିନଥାନ୍ତେ ।
ସତ୍ୟ ହେଲା, ସେହି ଭୟାନକ ଦୁର୍ଭିକ୍ଷର କାରଣ ନଥିଲେ ରେଭେନ୍ସା। ବରଂ ସେପରି ଏକ ଦୁର୍ଭିକ୍ଷ ପୁନର୍ବାର ଓଡ଼ିଶାରେ ଦେଖା ନଦେଉ -ଏଥିପାଇଁ ସେ ଏପରି ସୁଚିନ୍ତିତ ପଦକ୍ଷେପ ନେଇଥିଲେ ଯେ, ତାଙ୍କ ପରଠାରୁ ଏଯାଏଁ ସେପରି ଏକ ଦୁର୍ଭିକ୍ଷ ଆଉ ଓଡ଼ିଶାକୁ କବଳିତ କରିନାହିଁ ।
ଥୋମାସ ଏଡ଼ୱାର୍ଡ ରେଭେନ୍ସା ଓଡ଼ିଶା ଡିଭିଜନର ପଦାସୀନ କମିଶନର ଭାବେ କଟକରେ ଅବସ୍ଥାପିତ ହୋଇଥିଲେ ସନ ୧୮୬୫ ଜୁଲାଇରେ । ସେତେବେଳକୁ ନ ଅଙ୍କ ଦୁର୍ଭିକ୍ଷ ମୁଖବ୍ୟାଦାନ କରିସାରିଥିଲା ।
ଜୁଲାଇ ହେଉଛି ଓଡ଼ିଶାରେ ଜୀବନ ଧାରଣର ମୁଖ୍ୟ ଆଧାର – ଧାନ-ର ପରିପୁଷ୍ଟି କାଳ । ବର୍ଷା ଅଭାବରୁ ପୂର୍ବବର୍ଷର କ୍ଷେତ ଉଜୁଡ଼ି ଯାଇଥିଲା । କୌଣସି ଜଳସେଚନ ବ୍ୟବସ୍ଥା ନଥିଲା । କୃଷକମାନେ ବର୍ଷା ଉପରେ ନିର୍ଭର କରନ୍ତି ଯାହା ଜୁନରୁ ଆରମ୍ଭ ହୋଇଥାଏ । ବର୍ଷା ହେଲାନି । ଯେତେବେଳେ ହେଲା, ଭୟଙ୍କର ବନ୍ୟାରେ ମରୁଡ଼ିରୁ ବଞ୍ଚିଥିବା କ୍ଷେତ ଧୋଇହୋଇଗଲା । ଚାଷ ପୂର୍ବ ବର୍ଷ ପରି ସଂପୂର୍ଣ୍ଣ ଉଜୁଡ଼ି ଗଲା । ସାନି ଚାଷ ପାଇଁ ସମୟ ନଥିଲା । ପୂର୍ବବର୍ଷରୁ ଲାଗିରହିଥିବା ତିରୋଟ ୧୮୬୫ର ସର୍ବବ୍ୟାପୀ ମରୁଡ଼ି ଓ ବନ୍ୟା ସହ ମିଶି ସୃଷ୍ଟିକଲା ଦୁର୍ଭିକ୍ଷ । ସାରା ଓଡ଼ିଶା ଯେ ଭୟଙ୍କର ପ୍ରାଣଘାତୀ ଦୁର୍ଭିକ୍ଷର ସମ୍ମୁଖୀନ , ନୂଆ କମିଶନର ତାହା ଜାଣିବାର ଉପାୟ ବି ନଥିଲା । କାରଣ ସେତେବେଳକୁ ଏହି ଡିଭିଜନରେ ଇଂରେଜମାନଙ୍କ କାର୍ଯ୍ୟାଳୟ ଚଳଉଥିଲେ ବଙ୍ଗାଳୀମାନେ, ଯେଉଁମାନେ ପୂର୍ବ ତିରୋଟ ଅବସ୍ଥାର ସୁଯୋଗ ନେଇ ଅତ୍ୟନ୍ତ ଶସ୍ତାରେ ଓଡ଼ିଆମାନଙ୍କ ଜମି କିଣିନେଇଥିଲେ ଓ ଅଧିକ ଶସ୍ତାରେ ଅଧିକ ଜମି କିଣିପାରିବା ପାଇଁ ନ’ଙ୍କ ଦୁର୍ଭିକ୍ଷ ସକାଶେ ପଥ ପରିଷ୍କାର କରିଥିଲେ ।
ଶ୍ରୀଯୁକ୍ତ ରେଭେନ୍ସା ଓଡ଼ିଶା ଡିଭିଜନର କମିଶନର ହେବା ପୂର୍ବରୁ ସେହି ବଙ୍ଗାଳୀ କର୍ମଚାରୀମାନେ ଓଡ଼ିଶାଖଣ୍ଡକୁ କିପରି ସର୍ବନାଶ କବଳକୁ ଠେଲି ନେଇଚାଲିଥିଲେ ତାହାର ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇଛନ୍ତି ଏହି ଖଣ୍ଡର ‘କଟକ’ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିଥିବା ଡବ୍ଲ୍ୟୁ ଟ୍ରୋୱର (W. Trower)।
ବଙ୍ଗାଳୀମାନଙ୍କୁ ଇଂରେଜଙ୍କ ଦେଶୀ ଚାକର (“native servants”) ବୋଲି ବର୍ଣ୍ଣନା କରିଥିବା ଟ୍ରୋୱର ଲେଖିଛନ୍ତି – ଏହି ଦେଶୀ ଚାକରମାନେ ଜୁଲୁମ ଓ ଜାଲିଆତି ବଳରେ ଜିଲ୍ଲାର ମୂଳ ଅଧିବାସୀମାନଙ୍କର ଜମି ଓଗେର ଆତ୍ମସାତ କରିବାକୁ ଏଠି ସର୍ବତ୍ର ସତେ ଯେମିତି ଏକ ନିୟମସିଦ୍ଧ ପଦ୍ଧତ୍ତିରେ ପରିଣତ କରିସାରିଛନ୍ତି ଏବଂ ନିଯୁକ୍ତ କର୍ମଚାରୀ ଭାବେ ଅନ୍ୟାୟ କବଳରୁ ସାଧାରଣ ଲୋକଙ୍କୁ ରକ୍ଷା କରିବା ପରିବର୍ତ୍ତେ ସେମାନଙ୍କ ପାଇଁ ମହା ବିପତ୍ତି ଓ ସଂତ୍ରାସ ଭାବେ ଉଭା ହୋଇଛନ୍ତି । (A regular system of oppression and peculation appears to exist throughout and instead of proving a protection to the country and a preventive against improper conduct, these people are considered terror and the scourge of the district.” (Revenue Administration in Orissa, Report of W. Trower, Collector of Cuttack, dated 23rd May, 1817 – Ms. Vol.387, Orissa State Archives)
ଟ୍ରୋୱରଙ୍କ ଉପରୋକ୍ତ ରିପୋର୍ଟରେ ବଙ୍ଗାଳୀ କର୍ମଚାରୀମାନେ ଓଡ଼ିଶାପାଇଁ “ମହା ବିପତ୍ତି ଓ ସଂତ୍ରାସ” ଭାବେ ଚିହ୍ନିତ ହୋଇଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା , କାରଣ ପ୍ରଶାସନିକ କାର୍ଯ୍ୟ ସମ୍ପାଦନ ପାଇଁ ଇଂରେଜମାନେ ସେହିମାନଙ୍କ ଉପରେ ନିର୍ଭରଶୀଳ ଥିଲେ। ରେଭେନ୍ସାଙ୍କ ଯାଏଁ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା । ସୁତରାଂ ପ୍ରଶାସନ ଦାୟିତ୍ବରେ ଥିବା ବଙ୍ଗାଳୀମାନେ କ୍ରମାଗତ ତିରୋଟ କଥା କର୍ତ୍ତୃପକ୍ଷଙ୍କଠାରୁ ଲୁଚାଇ ରଖି ଓ ସମ୍ଭାବ୍ୟ ଦୁର୍ଭିକ୍ଷ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଅନ୍ଧକାରରେ ରଖି ନ’ଙ୍କ ଦୁର୍ଭିକ୍ଷ କବଳକୁ ଫିଙ୍ଗିଦେଇଥିଲେ ଓଡ଼ିଶାକୁ । ଲୋକଙ୍କ ଦୁର୍ଦ୍ଦଶା ଦେଖି ସେମାନଙ୍କୁ ରକ୍ଷା କରିବା ପାଇଁ ଚାଉଳ ଆମଦାନୀ ସକାଶେ ରେଭେନ୍ସାଙ୍କ ଉଦ୍ୟମ ଓଡ଼ିଶା ଦାୟିତ୍ବରେ ଥିବା ବଙ୍ଗ ଉପରାଜ୍ୟପାଳଙ୍କ ଦ୍ଵାରା ଯେପରି ବାରମ୍ବାର ଉପେକ୍ଷିତ ହୋଇଥିଲା ତାହା ମୂଳରେ ବି ଥିଲେ ସେଠିକା ବଙ୍ଗାଳୀ ଅମଲା । କିନ୍ତୁ ଦୁର୍ଭିକ୍ଷ କବଳିତ ଓଡ଼ିଆମାନଙ୍କୁ ରକ୍ଷା କରିବା ପାଇଁ ରେଭେନ୍ସା ଯେଉଁ ଆକୃତିମ, ଅନନ୍ୟ, ନିରଳସ ଚେଷ୍ଟା ଚଳାଇଥିଲେ ତାହା ଇତିହାସ ଅଲିଭା ଅକ୍ଷରରେ ସାଇତି ରଖିଛି ।
ଏହି ଦୁର୍ଭିକ୍ଷର କାରଣ ଜାଣିବା ପାଇଁ ଇଂରେଜ କର୍ତ୍ତୃପକ୍ଷ ୧୮୬୬ରେ ଏକ ତିନିଜଣିଆ ତଦନ୍ତ କମିଟି ବସାଇଥିଲେ । ପ୍ରଶାସନିକ କଳ (administrative machineries) ଦୋଷରୁ ଏହି ଭୟାନକ ଦୁର୍ଭିକ୍ଷ ଘଟିଥିଲା ବୋଲି କମିଟି ରିପୋର୍ଟରେ ସ୍ଵୀକାର କରାଯାଇଛି । ଏକଥା ମଧ୍ୟ ଭାରତ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ History of Irrigation Development in Orissa ବିଷୟର ଗବେଷକ ଇଂ ଜି. ସି. ସାହୁ ପ୍ରସଙ୍ଗକ୍ରମେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, “In the report, they blamed the local officials and the entire system of administration of Bengal”(Para 5.1.1 of the report).
ଏହି ସତ୍ୟ ପ୍ରତି ଦୃଷ୍ଟିପାତ ନକରି ୧୮୬୫ ଜୁଲାଇରେ ଓଡ଼ିଶାର ପଦାସୀନ କମିସନର ହୋଇଥିବା ଶ୍ରୀ ରେଭେନ୍ସାଙ୍କୁ ନ’ଙ୍କ ଦୁର୍ଭିକ୍ଷ ପାଇଁ ଦାୟୀ କରିବା ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପକ୍ଷେ ଯେ ଅତ୍ୟନ୍ତ ଅସଙ୍ଗତ – ଏଥିରେ ସନ୍ଦେହର ଅବକାଶ ନାହିଁ ।
ଓଡ଼ିଶାର ସୌଭାଗ୍ଯକୁ ରେଭେନ୍ସା ସାହେବ କମିଶନର ଭାବେ ପଦାସୀନ ହେବା ଓ ନ’ଙ୍କ ଦୁର୍ଭିକ୍ଷ ମୁଖବ୍ୟାଦାନ କରିବା ଏକକାଳୀନ ଘଟିଥିଲା । ଲୋକଙ୍କ ଦୁର୍ଦ୍ଦଶା ପ୍ରତ୍ୟକ୍ଷ କରି ସେମାନଙ୍କ ଜୀବନରକ୍ଷା ପାଇଁ ଖାଦ୍ଯର ବନ୍ଦୋବସ୍ତ ସକାଶେ ସେ ଯେଉଁ ବ୍ଯାକୁଳ ପ୍ରଚେଷ୍ଟା କରିଥିଲେ ତାହା ଇତିହାସ ଅପରିବର୍ତ୍ତନୀୟ ଭାବେ ଲିପିବଦ୍ଧ କରିଛି ।
ରେଭେନ୍ସାଙ୍କ ଭିନ୍ନ ଅନ୍ୟ କେହି କମିଶନର ଥିଲେ ଦୁର୍ଭିକ୍ଷ ସମ୍ଭାବନାର ମୂଳପୋଛ ପାଇଁ ଯେଉଁସବୁ ପଦକ୍ଷେପ ନିଆ ହେଲା ତାହା ହୁଏତ ସେପରି ଯୁଦ୍ଧକାଳୀନ କ୍ଷିପ୍ରତା ଓ ଏକାଗ୍ରତା ସହ ସମ୍ପନ୍ନ ହୋଇପାରିନଥାନ୍ତା । ଉଦାହରଣ ସ୍ୱରୂପ, ତାଙ୍କରି ବ୍ୟଗ୍ରତା ହେତୁ ମହାନଦୀରେ ଯୋବ୍ରା ଆନିକଟ ଓ ସଂଲଗ୍ନ କେନାଲ ପାଇଁ ସରକାରୀ ମଞ୍ଜୁରୀ ଓ ଅନୁଦାନ ମିଳିଥିଲା ୨୪.୧୦.୧୮୬୫ । ଯେଉଁ ଆନିକଟ, ଆଡ଼ିବନ୍ଧ, କେନାଲ ସମୂହ ରେଭେନ୍ସାଙ୍କ ଅକ୍ଲାନ୍ତ ପରିଶ୍ରମ ହେତୁ ଦୁର୍ଭିକ୍ଷ ପରବର୍ତ୍ତୀ ଓଡ଼ିଶାକୁ ଶସ୍ୟଶ୍ଯାମଳ କରିପାରିଲା, ସେଗୁଡ଼ିକ ମଧ୍ୟରୁ ଉଲ୍ଲେଖନୀୟ ହେଲେ, ବ୍ରାହ୍ମଣୀ , ବିରୂପା , ବୈତରଣୀ, ସୁବର୍ଣ୍ଣରେଖା, ସାଳନ୍ଦୀ, ଲୁଣା, ଚିତ୍ରୋତ୍ପଳା ଇତ୍ୟାଦିରେ ବନ୍ଧ,ଆଡ଼ିବନ୍ଧ, ଆନିକଟ, କେନାଲ, ଉପକେନାଲ, ଶାଖା କେନାଲ ଇତ୍ୟାଦି ଯାହାର ଏକ ବିଶଦ ବିବରଣୀ ଆମକୁ ଉପରୋକ୍ତ History of Irrigation Development in Orissa ଶୀର୍ଷକ ନିବନ୍ଧରୁ ମିଳେ, ଯାହା ଭାରତ ସରକାର ପ୍ରକାଶ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେଭେନ୍ସାଙ୍କ ମୁଣ୍ଡରେ ଅଠା ବୋଲିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ଦସ୍ତାବିଜ ଅନୁଶୀଳନ କରିବା ଉଚିତ ଥିଲା । ସେ ଜାଣିବା ଉଚିତ ଯେ, କମିଶନର ରେଭେନ୍ସାଙ୍କ ସକ୍ରିୟ ତଦାରଖ ଓ ସମ୍ପୃକ୍ତି ଭିନ୍ନ ବନ୍ୟା ଓ ମରୁଡ଼ି ନିୟନ୍ତ୍ରଣର ଏହି ସବୁ ପ୍ରକୀର୍ଣ୍ଣ ଯୋଜନା ନିର୍ଭୁଲ ଭାବେ କାର୍ଯ୍ୟକାରୀ ହେବା ସମ୍ଭବ ନଥିଲା । ସେ ଓଡ଼ିଆ ସ୍ଵାର୍ଥ ରକ୍ଷା ପାଇଁ ଏତେ ବ୍ଯାକୁଳ ଥିଲେ ଯେ, ଓଡ଼ିଆମାନଙ୍କୁ ଅସୁବିଧାରେ ପକାଇ ଚାଲିଥିବା ବଙ୍ଗାଳୀମାନଙ୍କ ପ୍ରଭାବ-ଅନୁବର୍ତ୍ତୀ କେତେକ ଇଂରେଜଙ୍କ ଆଖିରେ ସେ ହୋଇଯାଇଥିଲେ ସତେ ଅବା ଜଣେ ନିପଟ ଓଡ଼ିଆ !
କଟକରେ ରହୁଥିବା ଇଂରେଜମାନେ ଜାଣିଥିଲେ ଯେ, ଓଡ଼ିଆମାନେ ସ୍ଵଭାବତଃ ସନ୍ତୁଷ୍ଟଚିତ୍ତ, ସରଳ, ଖୋଲା ହୃଦୟ ଓ ନିଷ୍କପଟ ଲୋକ । ଓଡ଼ିଆଙ୍କର ଏହି ସବୁ ସଦ୍ଗୁଣ ରେଭେନ୍ସାଙ୍କର ମଧ୍ୟ ଥିଲା ।
ଶ୍ରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ଦେଶ କାଳ ପାତ୍ର ବହିର ଅନୁଦିତ ପୁସ୍ତକ A Time Elsewhere ପଢିଲା ବେଳେ ଏକଥା ଦୃଷ୍ଟିକୁ ଆସେ । ପ୍ରେକ୍ଷାପଟ କୌତୁହଳୋଦ୍ଦୀପକ । ଅମଲାତନ୍ତ୍ରର ଅଭ୍ୟସ୍ତ ଓଡ଼ିଆବିଦ୍ଵେଷୀମାନେ ଦୁର୍ଭିକ୍ଷ ପରିସ୍ଥିତି ପାଇଁ ରେଭେନ୍ସାଙ୍କ ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟାରତ ଥିଲେ । ଦୁର୍ଭିକ୍ଷ ଉପରେ ଯେଉଁ ତଦନ୍ତ କମିଟି ବସିଥିଲା ତାହା ବଙ୍ଗଳା ପ୍ରଶାସନକୁ ଦାୟୀ କରିଥିଲେ ମଧ୍ୟ, ରେଭେନ୍ସା ଓଡ଼ିଶା ଆସିବାକୁ ମୂଳରୁ ଅମଙ୍ଗ ଥିବା ଦୃଷ୍ଟେ, ତାହା ତାଙ୍କ ଅବଚେତନରେ ଥିବା ଓଡ଼ିଆ-ବିଦ୍ଵେଷ ବୋଲି ମନେ କରି ଏହି ବିପତ୍ତି ପାଇଁ ସେ ବି ଦାୟୀ ଥିବାର ଆଶଙ୍କା ପ୍ରକାଶ ପାଇଥିଲା । ତାଙ୍କ ଉପରେ ଅଯୋଗ୍ୟତାର ଆରୋପ ତାଙ୍କୁ ଯେତିକି ମନୋବ୍ୟଥା ଦେଇଥିଲା, ତଦପେକ୍ଷା ଅଧିକ ବ୍ୟଥା ଦେଇଥିଲା ତାଙ୍କ ଉପରେ ଓଡ଼ିଆ-ବିଦ୍ବେଷର ଆରୋପଣ । ସେ ସେଥିପାଇଁ କଟକରେ ରହୁଥିବା କେତେକ ଇଂରେଜଙ୍କୁ ଅନୁରୋଧ କରିଥିଲେ କି, ସେ ଓଡ଼ିଆବିଦ୍ଵେଷୀ ନୁହନ୍ତି ବୋଲି ସେମାନେ ନିଜ ନିଜ ମତ ରଖିବା ଉଚିତ । ସେହି ଇଂରେଜମାନେ ରେଭେନ୍ସାଙ୍କୁ ଭଲପାଉଥିଲେ ମଧ୍ୟ ତାଙ୍କ ସରଳତା ଓ ନିଷ୍କପଟତା ଶାସକସୁଲ୍ଲଭ ନୁହେଁ ବୋଲି ବିଚାରୁଥିଲେ ଓ ସେଥିପାଇଁ ସେମାନେ ତାଙ୍କୁ ଓଡ଼ିଆମାନଙ୍କ ସମଗୋତ୍ରୀୟ କହି ଥଟ୍ଟା ଟାପରା କରିଥିଲେ । ବହିଟିର ଭାଷାରେ – “Ravenshaw decided that he would write to Englishmen in Cuttack and ask them to state that he harboured no ill feeling towards Oriyas. He had a talk with a couple of Englishmen about this and in no time news reached all Sahibs of Cuttack, They were all fond of Ravenshaw but at the same time, they made fun of him for his love of ease, his simplicity, his openness and plain dealing. Now the Sahibs remarked to each other that the finest specimen of the Oriya race was none other than Ravenshaw himself!” (page 143)
ପ୍ରେକ୍ଷାପଟ ଯାହା ବି ହେଉ, ଏଥିରୁ ଏହାହିଁ ସ୍ପଷ୍ଟ ଯେ, ଯେଉଁ ଇଂରେଜମାନେ ଓଡ଼ିଆମାନଙ୍କ ପାଇଁ “ମହାବିପତ୍ତି ଓ ସଂତ୍ରାସ” ବନିଥିବା ବଙ୍ଗାଳୀଙ୍କ ପୃଷ୍ଠପୋଷକ ଥିଲେ ଓ ସ୍ଵଭାବତଃ ସଦା ସନ୍ତୁଷ୍ଟ, ସରଳ, ସ୍ପଷ୍ଟବାଦୀ, ନିଷ୍କପଟ ଓଡ଼ିଆମାନଙ୍କୁ ଶୋଷଣଯୋଗ୍ୟ ଉପାଦାନ ବୋଲି ଭାବୁଥିଲେ, ସେମାନଙ୍କ ମତରେ ରେଭେନ୍ସା ଥିଲେ ସେହି ସମସ୍ତ ଓଡ଼ିଆ ଗୁଣର ଉତ୍କୃଷ୍ଟତମ ଦୃଷ୍ଟାନ୍ତ ।
ରେଭେନ୍ସାଙ୍କ ଏହି ଓଡ଼ିଆପଣ କୁଳବୃଦ୍ଧ ମଧୁସୂଦନ ପ୍ରତ୍ଯକ୍ଷ କରିଥିଲେ ୧୮୯୭ ଜୁଲାଇ ୧୨ରେ ଯେତେବେଳେ ବିଲାତ ଗସ୍ତ ବେଳେ ସେ ତାଙ୍କୁ ସାକ୍ଷାତ କରିଥିଲେ । ପୂର୍ବରୁ ପରିଚୟ ନଥିଲା । କିନ୍ତୁ ଓଡ଼ିଆ ଜାତି ପାଇଁ ତାଙ୍କର ଅତୁଳନୀୟ ଅବଦାନ ଓ ହୃଦୟଭରା ମମତା ସମ୍ପର୍କରେ ଅବଗତ ଥିବା ହେତୁ ବିଲାତ ରହଣି ବେଳେ ତାଙ୍କୁ ନିଶ୍ଚୟ ଭେଟି ଓଡ଼ିଆମାନଙ୍କ କୃତଜ୍ଞତା ଜ୍ଞାପନ କରିବାକୁ ମଧୁବାବୁ ମନ ସ୍ଥିର କରିଥିଲେ । ଆଳାପ ମଝିରେ ରେଭେନ୍ସା ହଠାତ୍ ପଚାରିଲେ, “କ୍ଷମା କରିବେ, ଆପଣ ଖାଣ୍ଟି ଓଡ଼ିଆ ତ ?” ମଧୁବାବୁ କହିଲେ, “ମୋ ଦେହର ପ୍ରତିଟି ରକ୍ତ କଣିକା ଓଡ଼ିଆର ।” ଏହା ଶୁଣି ରେଭେନ୍ସା ଖୁବ ଖୁସି ହୋଇଗଲେ ଓ ତାଙ୍କ ସହ ଓଡ଼ିଆ ଭାଷାରେ କଥା ହେଲେ । “ମୁଁ ଆପଣଙ୍କ ଜାତି (race ) ପାଇଁ ଗର୍ବକରେ ଏବଂ ଜଣେ ଓଡ଼ିଆଙ୍କ ସହ ମୁଁ ଯେପରି ମନ ଖୋଲି କଥା ହୋଇପାରିବି, ଅନ୍ୟ କାହା ସହ ସେପରି ନୁହେଁ ।” – କହିଥିଲେ ରେଭେନ୍ସା । ମଧୁବାବୁ ଉତ୍କଳ ଦୀପିକାକୁ ପଠାଇଥିବା ବୃତାନ୍ତରେ ଏହା ଏହିପରିଭାବେ ଲେଖିଥିଲେ – “….After a few minutes he (Ravenshaw) said, excuse me asking the question, are you a genuine Oriya? I said, every drop of blood in me is of Oriya origin. He – I am very fond of your race and I would talk more freely to an Oriya than to any other man. Ravenshaw spoke in Oriya, offering a cigar.”
ଏଥିରୁ ଓଡ଼ିଆ ଜାତି ପାଇଁ ରେଭେନ୍ସାଙ୍କ ଏକାତ୍ମବୋଧତା କେତେ ନିବିଡ଼ ଥିଲା ତାହା ଅନୁଭବ କରିହୁଏ ।
ବ୍ୟାସକବି ଫକୀରମୋହନଙ୍କଠୁ ନିଶ୍ଚୟ କେହି ଅସ୍ମିତା-ଅଭିନେତା ଅଧିକ ଓଡ଼ିଆ ନୁହନ୍ତି । ସେ ଲେଖିଛନ୍ତି :
“ହେ ରେଭେନ୍ସା ପୁଣ୍ୟଶ୍ଳୋକ ଧର୍ମପରାୟଣ,
ଧନ୍ଯ ମୁହିଁ ତୁମ୍ଭ ନାମ କଲି ଉଚ୍ଚାରଣ
ଓଡ଼ିଶା ମା ବାପ କାହିଁ ତୁମ୍ଭ ପରି ଜଣେ?
ଓଡ଼ିଶା ସକାଶେ ଲାଗିଥିଲ ପ୍ରାଣପଣେ ।
ପର ପାଇଁ କରିବାର ଆତ୍ମବିସର୍ଜନ ,
ଦେଖାଇ ଯାଇଛ ତୁମ୍ଭେ ସେଥି ନିଦର୍ଶନ ।” (ଉତ୍କଳ ଭ୍ରମଣ, ପୃ ୧୨ )
ଫକୀରମୋହନଙ୍କ ଉପରୋକ୍ତ ଅଭିମତରେ ରେଭେନ୍ସା ହୋଇଯାଇଥିଲେ ସତେ ଯେମିତି ଓଡ଼ିଆମାନଙ୍କ ପାଇଁ “ମା ବାପ” । ସେ ଓଡ଼ିଆମାନଙ୍କ ସପକ୍ଷରେ ବଙ୍ଗାଳୀମାନଙ୍କ ବିରୁଦ୍ଧରେ ପକ୍ଷପାତ କରୁଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କଟକ ହାଇସ୍କୁଲର ଏକ ଉତ୍ସବରେ ରେଭେନ୍ସା ଯାହା କହିଥିଲେ, ତହିଁରୁ ମଧ୍ୟ ଜାଣିହୁଏ , ମା ବାପା ନିଜ ସନ୍ତାନକୁ ହାତ ଧରି ଆଗକୁ ନେଲାପରି ସେହି ଅନ୍ଧକାରମୟ କାଳରେ ଓଡ଼ିଆଜାତିକୁ ଆଲୋକକୁ ନେଇଯିବା ପାଇଁ ତାଙ୍କ ବ୍ଯାକୁଳତା ଥିଲା ଏକାନ୍ତ ନୀତିନିଷ୍ଠ ଓ ନିରନ୍ଧ୍ର । ଉତ୍କଳ ଦୀପିକା ଦେଇଥିବା ତାଙ୍କ ଅଭିଭାଷଣର ବିବରଣୀ ଅନୁଯାୟୀ ସେ କହିଥିଲେ, “କେହି କେହି ମନେ କରନ୍ତି ଯେ, ସେ ଓଡ଼ିୟାଙ୍କ ପ୍ରତି ବିଶେଷ ଅନୁରକ୍ତ ହୋଇ ବଙ୍ଗାଳୀମାନଙ୍କ ଉନ୍ନତି ଦେଖିପାରନ୍ତି ନାହିଁ , ମାତ୍ର ଏକଥା ଭ୍ରମ ଅଟଇ । xxxxxxx ବଙ୍ଗାଳୀଙ୍କ ଶିକ୍ଷା ନିମିତ୍ତ ବଙ୍ଗଳାରେ ଯଥେଷ୍ଟ ସୁଯୋଗ ଅଛି । ଏଠା ବିଦ୍ୟାଳୟ କେବଳ ଏ ଦେଶୀୟଙ୍କ ସକାଶେ । ଅତଏବ, ଏ ଦେଶୀୟ ଲୋକମାନେ ଯେତେ ଉଚ୍ଚଶିକ୍ଷା ଲାଭ କରୁଥିବେ, ତେତେ ତାହାଙ୍କର ଆନନ୍ଦ ବୃଦ୍ଧି ହେଉଥିବ ( ଉତ୍କଳ ଦୀପିକା ଭା ୮ ଗ , ସଂ ୯ ଖ୍ୟା, ୧.୩.୧୮୭୩) । ବଙ୍ଗାଳୀମାନଙ୍କ ରୋଷ କଷାୟିତ ଭାଷାରେ ସେ ଥିଲେ ନିତାନ୍ତ ଓଡ଼ିଆ – “କମିସନରଟା ନିତାନ୍ତ ଉଡ଼େ ହୟେଛେ” ( ଉତ୍କଳ ଦୀପିକା ଭା ୮ ଗ , ସଂ ୧୨ ଖ୍ୟା, ୨୨.୩.୧୮୭୩)।
ରେଭେନ୍ସା କିପରି ଓଡ଼ିଆପ୍ରାଣ ଥିଲେ ତାହା ଜାଣିବା ପାଇଁ ଉପରୋକ୍ତ ତଥ୍ୟ ଯଦି ଧର୍ମେନ୍ଦ୍ରବାବୁଙ୍କୁ ଯଥେଷ୍ଟ ନହୁଏ, ତେବେ ତାଙ୍କ ଅବଗତିରେ ଥିବା ଘଟଣାରୁ ଗୋଟିଏ ଦୃଷ୍ଟାନ୍ତ ଦିଆଯାଇପାରେ ।
ନିର୍ବାଚନ ଯାଏଁ ତାଙ୍କ ଦଳ ବିଜେପିର ବରବନ୍ଧୁ ଥିବା ନବୀନ ପଟ୍ଟନାୟକ ଗୋଟେ ଅଣଓଡ଼ିଆ ଭି. କେ. ପଣ୍ଡିଆନଙ୍କୁ ନିଜର ବିଶ୍ବସ୍ତତମ ସହଯୋଗୀ ବନାଇ ଓଡ଼ିଶାକୁ ନାହିଁନଥିବା ଦୁର୍ନୀତି, ତୋଷରପାତ, ଜାଲିଆତି, ପ୍ରିୟାପ୍ରୀତିତୋଷଣର ଅଭୟାରଣ୍ୟରେ ପରିଣତ କରିଥିଲେ । ମାତ୍ର କମିଶନର ରେଭେନ୍ସା ବଙ୍ଗାଳୀ ପ୍ରାବଲ୍ୟ ସତ୍ତ୍ୱେ ଜଣେ ଓଡ଼ିଆଙ୍କୁ ନିଜ ଅନ୍ତରଙ୍ଗ ସହାୟକ ଭାବେ ଆଦରିଥିଲେ । ସେ ହେଲେ ବିଚିତ୍ରାନନ୍ଦ ଦାସ, ଯେ କି ଥିଲେ ଶ୍ରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ଭାଷାରେ “the right-hand man of the commissioner” (A Time Elsewhere, p.51)
ଏହିପରି ଜଣେ ଓଡ଼ିଆପ୍ରାଣ ମହାନୁଭାବଙ୍କୁ ନ’ଙ୍କ ଦୁର୍ଭିକ୍ଷ ପାଇଁ ଅଯଥାରେ ଦୋଷ ଦେଇ ସେ ଓଡ଼ିଆ ବିଦ୍ଵେଷୀ ବୋଲି କହିବା ଦାୟିତ୍ଵହିନତାର ପରିଚାୟକ ।
ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଓଡ଼ିଆ ଅସ୍ମିତା ଆଳରେ ରେଭେନ୍ସାଙ୍କ ପ୍ରତି ଅବାଞ୍ଛିତ ଆକ୍ଷେପ ନିକ୍ଷେପ କରିଥିବା ଧର୍ମେନ୍ଦ୍ରବାବୁଙ୍କ ଦଳ ହିଁ ନିଜ ଛଦ୍ମ ଏଜେଣ୍ଟ ଭାବେ ଉପରୋକ୍ତ ଅଣଓଡ଼ିଆ ପଣ୍ଡିଆନଙ୍କୁ କୌଶଳକ୍ରମେ ନବୀନଙ୍କ ସଚିବ ପଦରେ ଖଞ୍ଜି ଦେଇଥିଲା, ଯାହା ସହ ତହିଁର ଦ୍ଵିତୀୟ ତୁଙ୍ଗତମ ନେତା ଅମିତ ଶାହା ନିର୍ବାଚନ ସଜବାଜ ସମୟରେ କବାଟ କିଳା ଗୁପ୍ତ ଆଲୋଚନା କରିଥିଲେ । ରାଜନୀତିରେ ଯୋଗଦେଇ ନିର୍ବାଚନରେ ବିଜେପିର ଅଭ୍ଯୁଦୟ ନିଷ୍କଣ୍ଟକ କରିବା ପାଇଁ ଅନୁକୂଳ ବାତାବରଣ ତିଆରି କରିବା ସକାଶେ ଆଇ ଏ ଏସ୍ ଚାକିରିରୁ ତାଙ୍କ ଇସ୍ତଫା ଆବଶ୍ୟକୀୟ ଯାଞ୍ଚ ବିନା ତତ୍କାଳ ଗ୍ରହଣ କରିଥିଲେ ଧର୍ମେନ୍ଦ୍ରଙ୍କ ଦଳର ସରକାର । ଏହି ଭିତିରି ସମ୍ପର୍କ ହେତୁ ଧର୍ମେନ୍ଦ୍ରବାବୁଙ୍କ ଦଳ ଓଡ଼ିଶାରେ ସରକାର ଗଢିବାର ଏତେଦିନ ଅତିବାହିତ ହୋଇଥିଲେ ମଧ୍ୟ, ତାଙ୍କ ଗର୍ହିତ ଅପରାଧ ବିରୁଦ୍ଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ କରିନାହିଁ ।
ଓଡ଼ିଆ ଅସ୍ମିତାର ଉପରଠାଉରିଆ ଦୁହା କେଉଁଥିପାଇଁ ?
(ଅବଶିଷ୍ଟ ପରବର୍ତ୍ତୀ ଭାଗରେ)